ଶୀତ ଆସିବ ଡେରିରେ : ଫେବୃଆରି ଶେଷ ଯାଏ ଲାଗି ରହିବ ଶୀତ
27/10/2019 at 10:38 AM

ଭୁବନେଶ୍ବର ୨୭/୧୦: ଏଥର ଶୀତ ଡେରିରେ ଆସିବ, ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଥଣ୍ଡା ପଡ଼ିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଚଳିତ ବର୍ଷ ମୌସୁମୀ ବର୍ଷା ବିଳମ୍ବରେ ଆରମ୍ଭ ହେଲା ଏବଂ ଅକ୍ଟୋବର ଶେଷ ସପ୍ତାହ ଯାଏ ଲାଗି ରହିଲା । ସେହିପରି ଶୀତ ମଧ୍ୟ ବିଳମ୍ବରେ ପଡ଼ିବ ଏବଂ ଫେବୃଆରି ଶେଷ ଯାଏ ଶୀତ ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ।
ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ର ପୂର୍ବାନୁମାନ ଅନୁଯାୟୀ, ଏଥର ନଭେମ୍ବର ପ୍ରଥମ ସପ୍ତାହରୁ ଉତ୍ତର ଭାରତରେ ଥଣ୍ଡା ଅନୁଭୂତ ହେବାକୁ ଥିବାବେଳେ ଦ୍ବିତୀୟ ସପ୍ତାହରୁ ପ୍ରବଳ ଶୀତ ହେବ। ଏହାର ପ୍ରଭାବରେ ଉତ୍ତର ପୂର୍ବ ଦିଗରୁ ଥଣ୍ଡା ପବନ ବହିବ। ଆଉ ଓଡ଼ିଶାରେ ଥଣ୍ଡା ଅନୁଭୂତ ହେବ। ଏଥର ବର୍ଷା ଭଳି ଶୀତ ବି ବିଳମ୍ବ ଯାଏ ହେବ। ସାଧାରଣତଃ ଓଡ଼ିଶାରେ ଜାନୁଆରି ଶେଷ ସପ୍ତାହ ଯାଏ ଥଣ୍ଡା ଅନୁଭୂତ ହେଉଥିଲେ ହେଁ ଚଳିତବର୍ଷ ଫେବୃଆରି ଶେଷ ଯାଏ ପ୍ରବଳ ଥଣ୍ଡା ଅନୁଭୂତ ହେବ ।
ନଭେମ୍ବର ପ୍ରଥମ ସପ୍ତାହରୁ ରାତିରେ ପାରଦ ୧ରୁ ୨ଡିଗ୍ରି ପର୍ଯ୍ୟନ୍ତ କମିବ। କିନ୍ତୁ ନଭେମ୍ବର ଦ୍ବିତୀୟ ସପ୍ତାହରୁ ବିଭିନ୍ନ ସ୍ଥାନରେ ପାରଦ ୩ରୁ ୬ଡିଗ୍ରି ପର୍ଯ୍ୟନ୍ତ ଖସିବ। ଆଭ୍ୟନ୍ତରୀଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ହେବ। ଉପକୂଳ ଓଡ଼ିଶା, ଉତ୍ତର ଓଡ଼ିଶାରେ ପାରଦ ବି ସ୍ବାଭାବିକଠାରୁ ଅଧିକ ଖସିବ।