ଆଗୁଆ ସରିଲା ବିଧାନସଭା ଶୀତ ଅଧିବେଶନ- ୧୭ ଦିନ ପୂର୍ବରୁ ମୁଲତବୀ ଘୋଷଣା କଲେ ବାଚସ୍ପତି

Published By : Prameya-News7 Bureau | November 28, 2019 IST

ଭୁବନେଶ୍ୱର ୨୮।୧୧ - ବିଧାନସଭା ଶୀତ ଅଧିବେଶନ ଆଗୁଆ ଶେଷ ହୋଇଛି । ୧୭ ଦିନ ଆଗୁଆ ବିଧାନସଭାକୁ ମୁଲତବୀ ଘୋଷଣା କରାଯାଇଛି । ନଭେମ୍ବର ୧୩ ତାରିଖରେ ଶୀତ ଅଧିବେଶନ ଆରମ୍ଭ ହୋଇଥିଲା ।

ବିଧାନସଭାରେ ମହିଳାଙ୍କ ବିରୋଧରେ ବିଭିନ୍ନ ଅପରାଧ, ଚାଷୀ ପ୍ରସଙ୍ଗରେ ସରଗରମ ଆଲୋଚନା ହୋଇଥିଲା । ଏହା ସହ ଏକ ଡାକ୍ତରଖାନା ସହ ପାକିସ୍ତାନ ଲିଙ୍କ ଓ ପର୍ଯ୍ୟଟନ ମନ୍ତ୍ରୀ ଦୁଇ ଜଣ ମହିଳା ବନ୍ଧୁଙ୍କୁ ହାଇଦ୍ରାବାଦ ନେବା ଘଟଣାରେ ବିଧାନସଭା ହୁଲସ୍ତୁଲ ହୋଇଥିଲା ।

ବିଧାନସଭାରେ ସ୍ମିତାରାଣୀ ପ୍ରସଙ୍ଗ ଓ ଜଗତସିଂହପୁର ଦୁଷ୍କର୍ମ ମାମଲାରେ ସରକାରଙ୍କୁ ଭେଟିଥିଲେ । ସ୍ମିତାରାଣୀ ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କରିଥିଲେ ବିରୋଧୀ । ମୁଖ୍ୟମନ୍ତ୍ରୀ ବି ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ବିଷୟକୁ ରାଜନୀତିକରଣ କରିବା ନ କରିବା ପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା ପାଇଁ ପ୍ରତିଶୃତିବଦ୍ଧ ଥିବା କଥା ଉଲ୍ଲେଖ କରିଥିଲେ ।

ମାତ୍ର ଆଇନ ଶୃଙ୍ଖଳା ପରିସ୍ଥିତି ଓ ମହିଳାଙ୍କ ବିରୋଧରେ ଅପରାଧ ହେଲେ ଏହାକୁ ଗୃହରେ ଉପସ୍ଥାପନ କରିବା ପାଇଁ ବିରୋଧୀ ଅଣ୍ଟା ଭିଡିଥିଲେ । ଜଗତିସଂହପୁରରେ ଦୁଷ୍କର୍ମ ଶିକାର ହେବାପରେ ଲଜ୍ୟାରେ ଆତ୍ମହତ୍ୟା କରିଥିବା ଦଳିତ ଯୁବତୀଙ୍କ ପ୍ରସଙ୍ଗରେ ବିଧାନସଭା ଅଚଳାବସ୍ଥା ଦେଖାଦେଇଥିଲା ।

ଚାଷୀଙ୍କର ଧାନବିକ୍ରିରେ ଟୋକନ ପ୍ରସଙ୍ଗରେ ମଧ୍ୟ ବିଧାନସଭାରେ ସରଗରମ ଆଲୋଚନା ହୋଇଥିଲା । ଡ୍ରାଇଭିଂ ଲାଇସେନ୍ସ ଓ ଗାଡି କାଗଜ ପତ୍ର ମିଳିବାରେ ବିଳମ୍ବ ହେବା ପ୍ରସଙ୍ଗରେ ମଧ୍ୟ ଗୃହରେ ଆଲୋଚନା ହୋଇଥିଲା । ଏହାପରେ ପରିବହନ ମନ୍ତ୍ରୀ ଏହାକୁ ୩ ମାସ ପାଇଁ କୋହଳ କରାଯାଇଥିବା କଥା ଗୃହରେ ପ୍ରକାଶ କରିଥିଲେ ।

ଗୃହରେ ୮୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ବା ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ ହୋଇଥିଲା । ଏହାକୁ ବିଧାନ ସଭାର ପ୍ରଥମ ଦିନରେ ଉପସ୍ଥାପନ କରାଯାଇଥିଲା । ଗୃହରେ ଦେବୋତ୍ତର ଆଇନ ସଂଶୋଧନ ବିଲ୍‌ ଆଗତ ହୋଇଥିଲା । ଏଥିରେ ପୁରୀ ଗୋବର୍ଦ୍ଧନ ମଠକୁ ଶଙ୍କରାଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ପରିଚାଳନା ପାଇଁ ନିଷ୍ପତ୍ତି ନିଆଯାଇଛି । ଓଡିଶାରେ ଦ୍ୱିତୀୟ ହକି ବିଶ୍ୱ କପ୍‌ ଆୟୋଜନ ନେଇ ନରସିଂହ ମିଶ୍ର ଏକ ସଙ୍କଳ୍ପ ଆଗତ କରିଥିଲେ ।

ଏହି ଅଧିବେଶନରେ ୧୩ଟି ମୁଲତବୀ ପ୍ରସ୍ତାବ ବିଷୟରେ ଆଲୋଚନା କରାଯାଇଥିଲା । ୫ଟି ବିଧେୟକ ଗୃହରେ ପାରିତ ହୋଇଥିଲା। ସିଏଜି , ୧୭ଟି ବାର୍ଷିକ ବିବରଣୀ ଓ ୪ଟି କମିଟିର ରିପୋର୍ଟକୁ ମଧ୍ୟ ଗୃହରେ ଉପସ୍ଥାପନ କରାଯାଇଥିଲା । ଏହା ସହ ଗୃହରେ ପୂର୍ବତନ କୃଷିମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀ ଓ ପଞ୍ଚୟତିରାଜ ଓ ପାନୀଜଳ ଯୋଗାଣମନ୍ତ୍ରୀ ମନ୍ତ୍ରୀ ପ୍ରତାପ ଜେନାଙ୍କ ମଧ୍ୟରେ ଜୋରଦାର୍‌ ବିତର୍କ ହୋଇଥିଲା। ପାନୀୟ ଜଳ ଯୋଗାଣ ପ୍ରସଙ୍ଗରେ ପ୍ରତାପଙ୍କୁ ଟାର୍ଗେଟ କରିଥିଲେ ପ୍ରଦୀପ । ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ନରସିଂହ ମିଶ୍ର ମଧ୍ୟ ସାମ୍ନାସାମ୍ନି ହୋଇଥିଲେ । ସ୍ମିତାରାଣୀ ମୃତ୍ୟ ପ୍ରସଙ୍ଗ ଓ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ପ୍ରସଙ୍ଗରେ ଜୋରଦାର ଆଲୋଚନା ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.