ବୁଧବାରରୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ
11/11/2019 at 9:57 PM

ଭୁବନେଶ୍ୱର ୧୧।୧୧- ବୁଧବାରରୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ । ୩୦ ଦିନ ଚାଲିବାକୁ ଥିବା ଏହି ଅଧିବେଶନ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ। ବିରୋଧୀଙ୍କ ହାତରେ ଏଥର ପୂଳା ପୂଳା ପ୍ରସଙ୍ଗ । ନାରୀ ସୁରକ୍ଷା ଠାରୁ ଆରମ୍ଭ କରି ପିସି କାରବାର, ପ୍ରଧାନମନ୍ତ୍ରୀ ଅବାସ ଯୋଜନା ଦୁର୍ନୀତି ପ୍ରସଙ୍ଗ ଏଥର ସରକାରଙ୍କ ପାଇଁ ସାଜିବ ମୁଣ୍ଡ ବ୍ୟଥା। ଏପଟେ ବିରୋଧୀଙ୍କ ମୁକାବିଲା ପାଇଁ ସରକାରୀ ଦଳ ବି ପୂରା ରଣନୀତି ପ୍ରସ୍ତୁତି କରିଛି ।

ଏଥର କମ୍ପିବ ବିଧାନସଭା । ବିରୋଧୀଙ୍କ ଶାଣିତ ତୀରରେ ଘାଇଲା ହୋଇପାରନ୍ତି ସରକାର । ବୁଧବାର ଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ବେଶ ସରଗରମ ହେବ ବୋଲି ଆଭାସ ମିଳିଲାଣି । ବିରୋଧୀଙ୍କ ହାତରେ ଏଥର ପୁଳା ପୁଳା ପ୍ରସଙ୍ଗ ।

ନାରୀ ସୁରକ୍ଷା ବିଶେଷ କରି ସ୍ବିତାରାଣୀ ବିଶ୍ବାଳ ଆତ୍ମହତ୍ୟା, କେନ୍ଦ୍ରାପଡା କ୍ରେଡିଟ କୋପ ଅପରେଟିପ ସୋସାଇଟି ଯୌନ ଶୋଷଣ ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ, ଫନି ବତ୍ୟାରେ କ୍ଷତିଗ୍ରସ୍ତ ଚିହ୍ନଟରେ ଅନିୟମିତତା, ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛି ବିଜେପି । ସେହିଭଳି କଂଗ୍ରେସ ବି ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତି, ବିରୋଧୀ ଦଳ ବିରୋଧରେ ପୋଲିସ ପ୍ରଶାସନର ବ୍ୟବହାର, ପିସି କାରବାର, ଦୁର୍ନୀତି ଗ୍ରସ୍ତ ଅଫିସରଙ୍କୁ ଘଣ୍ଟ ଘୋଡେଇବା ଏବଂ ୫ଟି ପ୍ରସଙ୍ଗ ଉଠାଇବ ବୋଲି କହିଛି ।

ଏଥର ଅଧିବେଶନରେ ପ୍ରଥମ ଅତିରିକ୍ତ ବଜେଟ ଆଗତ ହେବ । ତା ଉପରେ ଆଲୋଚନା ହେବ । ଅତିରିକ୍ତ ବଜେଟ ପାସ କରିବା ସରକାରଙ୍କ ବଡ ଟେନସନ । ନାରୀ ସୁରକ୍ଷା ପ୍ରସଙ୍ଗ ସରକାରଙ୍କୁ ବିରୋଧୀ କାଠଗଡାରେ ଛାଡା କରିବେ। ଏଥିରୁ କିଭଳି ସରକାର ମୁକୁଳିବେ ସେଥିପାଇଁ ପ୍ରସ୍ତୁତି କରିଛି ବିଜେଡି। ଏପରିକି ବିରୋଧୀ ଆଲୋଚନା ପାଇଁ ଯେଉଁ ପ୍ରସଙ୍ଗ ଉଠାଇବେ ତାର ଉଚିତ୍ ଜବାବ ଦେବାକୁ ସରରକାର ପ୍ରସ୍ତୁତ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।

ବିଧାନସଭା ଶୀତକାଳୀନ ଅଧିବେଶନ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ସମୁଦାୟ ୩୦ ଟି କାର୍ଯ୍ୟଦିବସ ରହିଛି। ବିଧାନସଭା ରଣନୀତି ପ୍ରସ୍ତୁତି ପାଇଁ ଆସନ୍ତା କାଲି କଂଗ୍ରେସ ବିଧାୟକ ଦଳ ବୈଠକ ବସିବାକୁ ଥିବାବେଳେ ୧୩ ସକାଳ ୧୦ଟାରେ ବିଜେଡି ଓ ବିଜେପି ବିଧାୟକ ଦଳ ବୈଠକ ବସିବ।