୩୦ରୁ ହାଡଭଙ୍ଗା ଶୀତ, ନୂଆବର୍ଷ ଯାଏଁ ଥରାଇବ
29/12/2020 at 7:56 AM

ଭୁବନେଶ୍ୱର,୨୯/୧୨: ରାଜ୍ୟରେ ଜାରି ରହିବ ଶୀତ ଲହରୀ । ଏବେ ଥଣ୍ଡା କମିବନି । ବୁଧବାର ଠାରୁ ଆହୁରି ବଢିବ ଥଣ୍ଡା । ନୂଆବର୍ଷରେ ଆଭ୍ୟନ୍ତରୀଣ ଓଡ଼ିଶାକୁ ଥରାଉଥିବ ଶୀତ । ଏପରି କିଛି ଅନୁମାନ କରିଛି ପାଣିପାଗ ବିଭାଗ।ରାଜ୍ୟରେ ଏବେ ଶୀତ ପ୍ରକୋପ ଅସହ୍ୟ ଅଛି। ଯଦିଓ ଆଭ୍ୟନ୍ତରୀଣ ଏବଂ ଉପକୂଳରେ ପାରଦ ସାମାନ୍ୟ ଉପରକୁ ଉଠିଛି, ତଥାପି ଥଣ୍ଡା ଛାଡ଼ିନାହିଁ ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ମଙ୍ଗଳବାର ତାପମାତ୍ରାରେ ବିଶେଷ ଫରକ ଦେଖିବାକୁ ମିଳିବନି। ମାତ୍ର ତା’ ପରେ ରାତି ତାପମାତ୍ରା ଖସିବ। ଆସନ୍ତା ୩୧ ତାରିଖବେଳକୁ ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ସେଲସିୟସ୍ କମ୍ ହେବ। ଏଥିରୁ ଅନୁମାନ କରାଯାଇପାରେ, ନୂଆବର୍ଷ ବେଳକୁ ରାଜ୍ୟରେ ଭୀଷଣ ଶୀତ ପ୍ରକୋପ ଜାରି ରହିଥିବ ।
ମଙ୍ଗଳବାର ଓ ବୁଧବାର ସକାଳେ କଟକ, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡିରେ ମଧ୍ୟମ ଧରଣର କୁହୁଡ଼ି ରହିବ। ୩୦ ତାରିଖ ରାତିରୁ ଶୀତ ବଢ଼ିଯିବ। ବିଶେଷ କରି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ଶୀତ ଲହରୀ ଚାଲିଥିବ। ପରବର୍ତ୍ତୀ ଦୁଇଦିନ ପର୍ଯ୍ୟନ୍ତ ଏଭଳି ହାଡ଼ଭଙ୍ଗା ଜାଡ଼ ଥରାଇବ।
କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରବିବାର ରାତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିଛି। ସୋମବାର ରାତିରେ ମଧ୍ୟ ତାପମାତ୍ରା ଆଉ କିଛି ବଢ଼ିବାରୁ ଶୀତ ସାମାନ୍ୟ କମିଛି। କିନ୍ତୁ ମଙ୍ଗଳବାରଠାରୁ ଚାରିଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ଅପରିବର୍ତ୍ତିତ ରହିପାରେ। ତେଣୁ ନୂଆବର୍ଷବେଳକୁ ଥଣ୍ଡା ପ୍ରକୋପ ରହିପାରେ। ୨ ତାରିଖରୁ ପାରଦ ପୁଣି ବଢ଼ିବ ବୋଲି ସେ କହିଛନ୍ତି ।