ଆହୁରି ୨ ଦିନ ଥରାଇବ, ଫେବ୍ରୁଆରୀ ପହିଲା ଯାଏଁ ଲୁଚକାଳି ଖେଳିବ ଶୀତ

Published By : Prameya-News7 Bureau | January 17, 2021 IST

ଭୁବନେଶ୍ୱର,୧୭/୦୧: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ବିଭିନ୍ନ ସ୍ଥାନରେ ପାରଦ ଖସିଛି । କିଛି ଦିନର ଲୁଚକାଳି ଖେଳ ପରେ ପୁଣି ବଢ଼ିଛି ଥଣ୍ଡା । ବିଶେଷକରି ପଶ୍ଚିମ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ସେଲସିୟସ୍‌ କମିଛି। ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଛି । ରାଜ୍ୟରେ ୫ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌ ତଳକୁ ଖସି ଥିବା ବେଳେ ଆହୁରି ଦୁଇ ଦିନ ଏଭଳି ଥଣ୍ଡା ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ରବିବାର ରାଜ୍ୟର ୭ଟି ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେଇଥିଲେ। ତେଣୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ସତର୍କ ସୂଚନା ଜାରି କରିଛନ୍ତି । ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ବୌଦ୍ଧ ଓ ଗଞ୍ଜାମ ଜିଲ୍ଲାରେ ଘନ କୁହୁଡ଼ି ହୋଇଥିବାରୁ ଜିଲ୍ଲାପାଳ ଓ ଏସପିମାନେ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ବିଶେଷକରି ଦୁର୍ଘଟଣା ଏଡ଼ାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି ।

ସେହିପରି ସୋମବାର କଟକ, କେନ୍ଦ୍ରାପଡ଼ା, ଭଦ୍ରକ, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଜାରି ରହିବ ।  ଆଉ ଦୁଇଦିନ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ କହିଛନ୍ତି ଯେ, ଦୁଇଦିନ ପରେ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୩-୪ ଡିଗ୍ରୀ ସେଲସିୟସ୍‌ ବଢ଼ିବ । ଏହା ସହ ଉପକୂଳ ଓଡ଼ିଶାରେ ୨ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ବଢ଼ିବ ।

ଅପରପକ୍ଷେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ପୂର୍ବାନୁମାନ କରିଛନ୍ତି, ସୋମବାର ମଧ୍ୟ ଥଣ୍ଡା ରହିବ । ସୋମବାରରୁ ସର୍ବନିମ୍ନ ତାପମାତ୍ରା ବଢ଼ିବ । ଏହାପରେ ଶୀତ କମିବ । ଫେବ୍ରୁଆରୀ ପହିଲା ପର୍ଯ୍ୟନ୍ତ ରାଜ୍ୟରେ ଶୀତ ବଢ଼ିବା ଓ କମିବା ଲାଗି ରହିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.