ଶୁକ୍ରବାରଠୁ ବଢିବ ଶୀତ, ୩ ଡିଗ୍ରୀ ଖସିବ ତାପମାତ୍ରା

Published By : Prameya-News7 Bureau | October 28, 2021 IST

ଭୁବନେଶ୍ୱର, ୨୮/୧୦: ରାଜ୍ୟକୁ ଏବେ ଉତ୍ତରା ପବନ ବହୁଥିବାବେଳେ ପାଗ ଶୁଖିଲା ଓ ଖରାଟିଆ ରହିବ । ଏଥିଯୋଗୁ ଆସନ୍ତା ୨୯ରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ସେଲସିୟସ୍‌ କମିପାରେ । ଏହା ପ୍ରଭାବରେ ଥଣ୍ଡା ପ୍ରକୋପ ସାମାନ୍ୟ ବଢ଼ିବ । ଏଭଳି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ।

ଡକ୍ଟର ପଶୁପାଳକଙ୍କ ଆକଳନ ଅନୁଯାୟୀ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ । ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦ୍ୱାରା ତାମିଲନାଡ଼ୁ ଓ କେରଳରେ ଭାରି ବର୍ଷା ହେବ । ଏହାର ପ୍ରଭାବରେ ଅକ୍ଟୋବର ୩୧ ଓ ନଭେମ୍ବର ୧ରେ ଗଞ୍ଜାମ, ଗଜପତି ଜିଲ୍ଲାରେ ପାଗ ମେଘୁଆ ସହ ହାଲୁକା ବର୍ଷା ହୋଇପାରେ । ଥାଇଲାଣ୍ଡରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପର ଅଂଶବିଶେଷ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୩୦ ତାରିଖରେ ଲଘୁଚାପ କ୍ଷେତ୍ର ହିସାବରେ ପହଞ୍ଚିବ । ନଭେମ୍ବର ୨ରେ ଏହା ଦୁର୍ବଳ ହୋଇଯିବ ।

କିନ୍ତୁ, ଲଘୁଚାପ ବଳୟ ଅବସ୍ଥାରେ ବଙ୍ଗୋପସାଗରରେ ବିସ୍ତୃତ ହେବା ସହ ଉତ୍ତର-ପୂର୍ବ ମୌସୁମୀ ବାୟୁକୁ ସକ୍ରିୟ କରାଇବ । ଏହାଦ୍ୱାରା ତାମିଲନାଡ଼ୁ ଓ ସଂଲଗ୍ନ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ହୋଇପାରେ । ଏହାର ପ୍ରଭାବରେ ନଭେମ୍ବର ୪ ଓ ୫ରେ ଉପକୂଳ ଜିଲ୍ଲାରେ ମେଘୁଆ ପାଗ ସହିତ ହାଲୁକା ବର୍ଷା ସମ୍ଭାବନା ଅଛି । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ାର ସମୁଦ୍ର ସଂଲଗ୍ନ ଅଞ୍ଚଳରେ ସ୍ୱଳ୍ପ ବର୍ଷା ହେବ । ଉପକୂଳ ସଂଲଗ୍ନ ଜିଲ୍ଲାର ପାଗ ଆଂଶିକ ମେଘୁଆ ହେବା ସମ୍ଭାବନା ରହିଛି ।
  

ସେ କହିଛନ୍ତି, ୨୯ରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ପ୍ରକୋପ ବଢ଼ିପାରେ । ୨ ତାରିଖ ପରେ ରାତି ତାପମାତ୍ରା ସାମାନ୍ୟ ବଢ଼ିବା ଯୋଗୁ ଶୀତ କମିବ । ତେବେ ୫ ତାରିଖ ପରେ ପୁଣି ଥଣ୍ଡା ବଢ଼ିବା ନେଇ ସଙ୍କେତ ମିଳୁଛି । ବର୍ତ୍ତମାନ ରାଜ୍ୟର କେତେକ ସ୍ଥାନରେ ଧାନ ଫସଲରେ ମହିଷା ରୋଗ, ପତ୍ରପୋଡ଼ା ଓ ଚକଡ଼ା ପୋକ ବା ମାଟି ଗୁଣ୍ଡି ପୋକ ଆକ୍ରାନ୍ତ କରିଛି । ନଭେମ୍ବର ପ୍ରଥମ ସପ୍ତାହରେ ଏହା ଆହୁରି ବଢ଼ିବା ଆଶଙ୍କା ଅଛି । ଚାଷୀମାନେ ଅନୁମୋଦିତ ପ୍ରଣାଳୀରେ ଏହି ରୋଗ ପୋକକୁ ଦମନ କରିବାକୁ ଡକ୍ଟର ପଶୁପାଳକ ପରାମର୍ଶ ଦେଇଛନ୍ତି ।

ବୁଧବାର ଦିନବେଳା ପାରାଦୀପରେ ୩୬ ମିଲିମିଟର ବର୍ଷା ହୋଇଛି । ବାକି ସବୁଠି ପାଗ ଶୁଖିଲା ରହିଥିଲା । ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ଥିବାବେଳେ କୋରାପୁଟରେ ୧୫.୫, ଫୁଲବାଣୀରେ ୧୭, ଭବାନୀପାଟଣାରେ ୧୭.୬, ସୋନପୁରରେ ୧୭.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.