ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ

Published By : Prameya-News7 Bureau | December 06, 2021 IST

ଭୁବନେଶ୍ୱର,୦୬/୧୨: ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ବଦଳିବ । କୋହଲା ପାଗ ବଦଳରେ ଖରାଟିଆ ପାଗ ହେବ । ଗଞ୍ଜାମ ଓ ଗଜପତିରେ ଦିନରେ ଶୁଖିଲା ପାଗ ହେବ । ଖରା ବି ହୋଇପାରେ । ରାଜ୍ୟର ବାକି ଅଞ୍ଚଳରେ ମଙ୍ଗଳବାରଠାରୁ ଖରା ପାଗ ହେବ । ଆଉ କୌଣସି ସ୍ଥାନରେ ବିଶେଷ ବର୍ଷା ସମ୍ଭାବନା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

ବାତ୍ୟା ଜୋୱାଦର ପ୍ରଭାବ ରବିବାର ରାତି ସୁଦ୍ଧା ଧୀରେ ଧୀରେ ଦୁର୍ବଳ ହୋଇଛି । ପ୍ରଥମେ ଗଭୀର ଅବପାତରୁ ଅବପାତକୁ ଖସିବା ପରେ ବିଳମ୍ବିତ ରାତି ସୁଦ୍ଧା ଏହା ଲଘୁଚାପକୁ ଖସିଆସିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଥିଲା । ସୋମବାର ସକାଳ ସୁଦ୍ଧା ଏହା ଓଡ଼ିଶା ଉପକୂଳ ଡେଇଁ ପଶ୍ଚିମବଙ୍ଗକୁ ମୁହାଇଁଛି ।

ସୋମବାର ଆଉ ବର୍ଷାର ବିଶେଷ ପ୍ରଭାବ ନାହିଁ । ଉତ୍ତର ଉପକୂଳର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ ସୋମବାର ସାମାନ୍ୟ ବର୍ଷା ହୋଇପାରେ ବୋଲି ପ୍ରଫେସର ଶ୍ରୀ ପଶୁପାଳକ କହିଛନ୍ତି । ତେବେ ରାଜ୍ୟରେ ଶୀତ ପ୍ରବାହ ଅପରିବର୍ତ୍ତିତ ରହିବ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଶୀତ ରହିବ । ୧୧ ଓ ୧୨ ତାରିଖରେ ଶୀତ କମିବ । ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶାରେ ୧୦ ଓ ୧୧ ତାରିଖରେ ୬ଡିଗ୍ରୀ ପର୍ଯ୍ୟନ୍ତ ଶୀତ କମିବ ବୋଲି ଶ୍ରୀ ପଶୁପାଳକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.