ମଙ୍ଗଳବାରଠୁ ବଢିବ ଶୀତ, ଉପକୂଳବର୍ତ୍ତୀ ଜିଲ୍ଲାରେ ଘନ କୁହୁଡି ଆଶଙ୍କା

Published By : Prameya-News7 Bureau | January 11, 2021 IST

ଭୁବନେଶ୍ବର,୧୧/ ୦୧: ରାଜ୍ୟରେ ପୁଣି ବଢିବ ଶୀତ ।  ମଙ୍ଗଳବାରରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ପୁଣି ଶୀତର ପ୍ରକୋପ ବୃଦ୍ଧି ପାଇବ। ଆଗାମୀ ୭ ଦିନ ଯାଏଁ  ପାଗ ଶୁଖିଲା ଓ ଖରାଟିଆ ରହିବ । ଅପରପକ୍ଷେ ସୋମବାରଠୁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, କନ୍ଧମାଳ, ବୌଦ୍ଧ, ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାରେ ଘନ କୁହୁଡ଼ି ହେବ ବୋଲି ପାଣିପାଗବିତମାନେ ଅନୁମାନ କରିଛନ୍ତି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ,  ଯାଜପୁର, ସୋନପୁର, ପୁରୀ, ମାଲକାନଗିରି, କୋରାପୁଟ, ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବ । ତେବେ କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ଉତ୍ତରପ୍ରଦେଶ ରହିଥିବା ଗୁରୁଚାପ ବଳୟ ସ୍ଥାନ ପରିବର୍ତ୍ତନ କରି ଆସନ୍ତାକାଲି ମହାରାଷ୍ଟ୍ର ଉପରେ ରହିବ । ଫଳରେ ରାଜ୍ୟରେ ବାୟୁର ଦିଗ ପରିବର୍ତ୍ତନ ହେବ । ଏହି ଅବସ୍ଥା ୧୬ ତାରିଖ ପର୍ଯ୍ୟନ୍ତ ଲାଗିରହିବ ।

ଏତତ୍ ବ୍ୟତୀତ,  ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା, ପଶ୍ଚିମ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ଆସନ୍ତା ୧୨ରୁ ୧୪ ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ସେଲସିୟସରୁ ଅଧିକ କମିପାରେ । ପରେ ୧୬ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ । ଦିନର ସର୍ବାଧିକ ତାପମାତ୍ରା ମଧ୍ୟ ୧୨ ତାରିଖରୁ କମିବା ଆରମ୍ଭ କରିବ । ୧୩ ସୁଦ୍ଧା ଭୁବନେଶ୍ୱରରେ ୨ ଡିଗ୍ରୀ ସେଲସିୟସ୍‌, ରାଉରକେଲାରେ ୩ ଡିଗ୍ରୀ ସେଲସିୟସ୍‌ ଓ ବଲାଙ୍ଗୀରରେ ପ୍ରାୟ ୪ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା କମିବା ଯୋଗୁଁ ଦିନ ବେଳା ମଧ୍ୟ ଶୀତ ଲାଗିବ । ୧୩ରୁ ୧୫ ମଧ୍ୟରେ କୁହୁଡ଼ି ବିଶେଷ ଭାବେ ଉପକୂଳରେ ବଢ଼ିବ । ୧୭ରୁ ପୁଣି ପାଗ ପରିବର୍ତ୍ତନ ହେବ ବୋଲି ଆକଳନ କରିଛନ୍ତି ପ୍ରଫେସର ପଶୁପାଳକ ।

ଅପରପକ୍ଷେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ସୋମବାରଠୁ ତାପମାତ୍ରା ଧୀରେ ଧୀରେ କମିବ । ଉପକୂଳ ଓଡ଼ିଶାରେ ସାମାନ୍ୟ କୁହୁଡ଼ି ଦେଖାଦେବ । ଦିନ ତାପମାତ୍ରା ୩୨ରୁ ୩୪ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିବ । ୧୭ବେଳକୁ ତାପମାତ୍ରା ଅଧିକ କମିବ । ତେବେ ଅତ୍ୟଧିକ ଥଣ୍ଡା ହେବ ନାହିଁ ବୋଲି ଡ. ସାହୁ ଆକଳନ କରିଛନ୍ତି । ରବିବାର ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ସେଲସିୟସ୍‌ ରହିଥିଲା । ସେହିପରି ୫ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌ ତଳେ ରହିଥିଲା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.