ରାଜ୍ୟରେ ୩ ତାରିଖ ଯାଏଁ ଜାରି ରହିବ ଶୀତ ଲହରୀ, ୧୧ ଜିଲ୍ଲାକୁ ୟେଲ୍ଲୋ ଓ୍ୱାର୍ଣ୍ଣିଂ

Published By : Prameya-News7 Bureau | February 01, 2021 IST

ଭୁବନେଶ୍ୱର ୦୧/୦୨: ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ଲହରୀ ଜାରି ରହିବ। ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳ ଶୀତ ପ୍ରକୋପ  ଅନୁଭୂତ ହେବ । ଏନେଇ  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କରିଛି ।

ପାଣିପାଗ ବିଭାଗର କହିବାନୁସାରେ, ସୋମବାର ୧୧ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବ। ଶୀତ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌(ଏସ୍‌ଆର୍‌ସି) ସତର୍କ ସୂଚନା ଜାରି କରିଛନ୍ତି ।

ରାଜ୍ୟର ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେଓଗଡ଼, ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ଶୀତ ପ୍ରବାହ ସମ୍ଭାବନା ଅଧିକ ରହିଛି । ତେଣୁ ଏସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାତି ସମୟରେ ଘରେ ରହିବାକୁ କୁହାଯାଇଛି । ଏ ସମ୍ପର୍କରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ପୌର କମିଶନର୍‌, ଆରଡିସିଙ୍କୁ ସୂଚିତ କରାଯାଇଛି । ରାତି ସମୟରେ ନିରାଶ୍ରୟଙ୍କ ପାଇଁ ରାତ୍ରି ଆଶ୍ରୟସ୍ଥଳୀ, ଆବଶ୍ୟକ ପଡ଼ିଲେ ସ୍କୁଲ୍‌ ବିଲ୍ଡିଂ ଖୋଲିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ, ରାଜ୍ୟରେ ଆସନ୍ତା ୩ରୁ ୪ଦିନ ପର୍ଯ୍ୟନ୍ତ ଶୀତ ପ୍ରବାହ ଜାରି ରହିବ । ରାଜ୍ୟକୁ ଉତ୍ତର-ପୂର୍ବ ଦିଗରୁ ପବନ ବୋହୁଥିବାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୂତ ହେବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ।ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ସୋମବାର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ କମିବ । ଉପକୂଳ ଓଡ଼ିଶାରେ ପାଗ ବିଶେଷ ପରିବର୍ତ୍ତନ ହେବ ନାହିଁ । ୫ କିମ୍ବା ୬ ତାରିଖରେ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି ସେ ଅନୁମାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.