ଶୀତରେ ଥରୁଛି ସାରା ଓଡିଶା, ଦିନକରେ ୫ ଡିଗ୍ରୀ ଖସିଲା ତାପମାତ୍ରା, ଆହୁରି ଥଣ୍ଡା ବଢିବ

Published By : Prameya-News7 Bureau | December 20, 2020 IST

ଭୁବନେଶ୍ୱର,୨୦/୧୨:  ଶୀତରେ ଥରୁଛି ସାରା ଓଡିଶା । ହେଉଛି ଅସମ୍ଭାଳ ଶୀତ । ଶୁକ୍ରବାର ତୁଳନାରେ ଶନିବାର ରାତିରୁ ତାପମାତ୍ରା କମିବାର ସହ ବଢିଛି ଥଣ୍ଡା। ସେହିଭଳି ଝାରସୁଗୁଡ଼ାରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରୀ କମି ୮.୨ ଡିଗ୍ରୀ ସେଲସିୟସରେ ପହଞ୍ଚିଥିବା ରେକର୍ଡ କରାଯାଇଛି। ଏତତ୍ ବ୍ୟତୀତ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ପୂର୍ବ ରାତି ତୁଳନାରେ ୫ ଡିଗ୍ରୀ କମିଛି । ଏଠାରେ ପାରଦ ୯.୫ ଡିଗ୍ରୀ ସେଲସିୟସରେ ପହଞ୍ଚିଛି ।

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ରାଜ୍ୟରେ ଶୀତ ପ୍ରକୋପ ଆହୁରି ବଢ଼ିବ । ଶନିବାର ଓ ରବିବାର ଭୀଷଣ ଥଣ୍ଡା ଅନୁଭୂତ ହେବ । ଆସନ୍ତା ୨୪ ଘଣ୍ଟାରେ ପାରଦ ଆହୁରି ୧-୨ରୁ ଡିଗ୍ରୀ କମିପାରେ । ତା’ପରେ ଉପକୂଳ ଓଡ଼ିଶାରେ ବିଶେଷ ପରିବର୍ତ୍ତନ ହେବନି । ଆସନ୍ତା ୩ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ କମ୍‌ ରହିପାରେ ।

ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ, ଉତ୍ତର ଦିଗରୁ ଥଣ୍ଡା ପବନ ସିଧା ରାଜ୍ୟ ଭିତରକୁ ପ୍ରବେଶ କରୁଛି । ଏହି ପବନ ଶକ୍ତିଶାଳୀ ଥିବାରୁ ପାରଦ ପୂର୍ବାନୁମାନଠାରୁ ମଧ୍ୟ ଅଧିକ ହ୍ରାସ ପାଇପାରେ । ଯଦି ପାରଦ ଆଉ ୩ ଡିଗ୍ରୀ କମିବ, ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ଶୀତ ବଢିବ ।

ଶୁକ୍ରବାର ରାତିରେ ଅନୁଗୋଳର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଛି । ପୂର୍ବ ରାତିଠାରୁ ଅନୁଗୋଳ ତାପମାତ୍ରା ୪ ଡିଗ୍ରୀ ଅଧିକ ରହିଥିଲା । କେନ୍ଦୁଝରରେ ପାରଦ ୧୧.୭ ଡିଗ୍ରୀରେ ପହଞ୍ଚିଥିଲା । ବାରିପଦାରେ ଶୁକ୍ରବାର ରାତିରେ ତାପମାତ୍ରା ୪.୭ ଡିଗ୍ରୀ କମି ୧୦.୫ ଡିଗ୍ରୀ ରେକର୍ଡ ହୋଇଛି ।
ଅନ୍ୟ ସହର ଭିତରେ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀକୁ ଖସି ଆସିଥିଲା । ଶୁକ୍ରବାର ରାତିରେ କୋରାପୁଟର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ଥିବାବେଳେ ବୌଦ୍ଧ ୧୨.୫, ସୁନ୍ଦରଗଡ଼ ୧୨, ବଲାଙ୍ଗିର ୧୨.୪, ସୋନପୁର ୧୩, ସମ୍ବଲପୁର ୧୩ ଡିଗ୍ରୀ ଥିଲା । ଉପକୂଳ ଓଡ଼ିଶାର ବାଲେଶ୍ୱରରେ ପାରଦ ସ୍ୱାଭାବିକଠାରୁ ୧ ଡିଗ୍ରୀ ଖସି ୧୩.୪ ଡିଗ୍ରୀ ଥିବାବେଳେ ଚାନ୍ଦବାଲି ୧୪.୪, କଟକ ୧୩.୮, ଭୁବନେଶ୍ୱର ୧୬.୫ ଡିଗ୍ରୀ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.