ଶୀତରେ ଥରୁଛି ସାରା ଓଡିଶା : ଆଗକୁ ବି ଖସିବ ପାରଦ, ରହିଛି ଘନ କୁହୁଡି ସମ୍ଭାବନା

Published By : Prameya-News7 Bureau | December 03, 2020 IST

ଭୁବନେଶ୍ୱର,୦୩/୧୨:  ରାଜ୍ୟରେ ଶୀତ ପ୍ରକୋପ ବଢିବାରେ ଲାଗିଛି । ଆଭ୍ୟନ୍ତରୀଣରୁ ଆରମ୍ଭ କରି ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ କାଲୁଆ ପବନ ବହିଲାଣି । ଏଭଳି ଆଉ କିଛି ଦିନ ଧରି ଶୀତ ପ୍ରକୋପ ଜାରି ରହିବ । ଯଦିଓ ଶୀତ ବଢ଼ିବ ନାହିଁ, କିନ୍ତୁ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

ଏବେ ରାଜ୍ୟରେ ଶୀତ ପ୍ରକୋପ ସାମାନ୍ୟ ଅଧିକ ଅଛି । ମଙ୍ଗଳବାର ରାତିରେ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ଝାରସୁଗୁଡ଼ା ୧୨.୯, ସୁନ୍ଦରଗଡ଼ ୧୩, ବଲାଙ୍ଗିର ୧୪, ବୌଦ୍ଧ ୧୪, କଟକ ୧୪.୨, ଟିଟିଲାଗଡ଼ ୧୪.୫, ସମ୍ବଲପୁର ୧୪.୬, ଚାନ୍ଦବାଲି ୧୪.୬, ଭୁବନେଶ୍ୱର ୧୫ ଡିଗ୍ରୀ, ଫୁଲବାଣୀ ୯ ଡିଗ୍ରୀ, ଅନୁଗୁଳ ୧୦, ଦାରିଙ୍ଗିବାଡ଼ି ୧୦.୫, ଭବାନୀପାଟଣା ୧୧.୫, କେନ୍ଦୁଝର ୧୨.୨, ତାଳଚେର ୧୨.୩, ବାରିପଦା ୧୨.୫, କୋରାପୁଟ ୧୨.୬ ଡିଗ୍ରୀ ସେଲସିୟସ୍‌ ଥିଲା ।

ପାଣିପାଗ ବିଭାଗର ସୂଚନାନୁସାରେ, ଏବେ ପାଗ ଶୁଖିଲା ରହିଛି । ଦୁଇଦିନ ଧରି ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ି ସମ୍ଭାବନା ଅଛି । ଶୀତ ପ୍ରକୋପରେ କୌଣସି ପରିବର୍ତ୍ତନ ହେବ ନାହିଁ। କଳାହାଣ୍ଡି, କନ୍ଧମାଳ, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଅଛି ।

ଗୁରୁବାର ରାତି ଓ ଶୁକ୍ରବାର ସକାଳେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ଘେରିପାରେ । ଏଥିଯୋଗୁ ସକାଳ ସମୟରେ ଯାତାୟାତ କରୁଥିବା ଗାଡ଼ି ଚାଳକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ପରବର୍ତ୍ତୀ ୩ ଦିନ ଯାଏଁ ଆଉ କୁହୁଡ଼ି ସମ୍ଭାବନା ନଥିବା ପାଣିପାଗ ବିଭାଗ ଅନୁମାନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.