ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସରେ ମିଗ୍-୨୧ ଉଡାଇଲେ ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ

Published By : Prameya-News7 Bureau | October 08, 2019 IST

ନୂଆଦିଲ୍ଲୀ ୮।୧୦: ଭାରତୀୟ ବାୟୁସେନା ପାଳନ କରିଛି ୮୭ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାର ବେସ୍ ରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମରେ ଏୟାର ଚିଫ ମାର୍ଶାଲ ରାକେଶ୍ କୁମାର ଭଦୋରିୟା ନିଜ ସମ୍ବୋଧନରେ ସହିଦ୍ ହୋଇଥିବା ବାୟୁସେନାର ଯବାନଙ୍କୁ ମନେ ପକାଇଥିଲେ ଏବଂ ଯୁଦ୍ଧ ସେବା ମେଡାଲ୍ ପ୍ରଦାନ କରିଥିଲେ । ଉତ୍ସବରେ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୋରିଆ, ସ୍ଥଳସେନା ମୁଖ୍ୟ ବିପିନ ରାୱତ, ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ ପ୍ରମଖ ଉପସ୍ଥିତ ଥିଲେ ।

୮୭ ତମ ବାୟୁ ସେନା ଦିବସ ଅବସରରେ ଅଭିନନ୍ଦନ ବର୍ତ୍ତମାନଙ୍କୁ ସମ୍ମାନିତ କରାଯାଇଛି । ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନର ଏଫ୍-୧୬ ଲଢୁଆ ବିମାନର ପିଛା କରୁଥିବା ସମୟରେ ଅଭିନନ୍ଦନ ପାକିସ୍ତାନ ସୀମାରେ ପ୍ରବେଶ କରି ଏଫ୍-୧୬ କୁ ମାରି ଗଡାଇଥିଲେ ।

ବାୟୁସେନା ଦିବସ ଅବସରରେ ପ୍ରଥମେ ଏୟାର୍ ୱାରିୟର୍ ଡ୍ରିଲ୍ ଟିମ୍ ନିଜ ଜୋସ୍ ଦେଖାଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ଚମତ୍କାର ଏୟାର ସୋ' । ଏହି କାର୍ଯ୍ୟକ୍ରମରେ ମୋଟ୍ ୫୪ଟି ଏୟାର କ୍ରାଫ୍ଟ ସାମିଲ ହୋଇଥିଲା । ଯେଉଁଥିରେ ରହିଥିଲା ୧୯ଟି ଫାଇଟର ବିମାନ, ୭ଟି ଟ୍ରାନ୍ସପୋର୍ଟ ଏୟାର କ୍ରାଫ୍ଟ ଓ ୨୦ଟି ହେଲିକପ୍ଟର । ଯୁଦ୍ଧ ହେଲିକପ୍ଟର ଅପାଚେ ସହ ଏୟାର ସୋ' ପ୍ରଥମଥର ପାଇଁ ସାମିଲ୍ ହୋଇଛି ଚିନୁକ୍ ହେଲିକପ୍ଟର ଏବଂ ସ୍ୱଦେଶୀ ଯୁଦ୍ଧ ବିମାନ ତେଜସ୍ ।

ଏହି ଅବସରରେରେ ବାୟୁସେନା ହିରୋ ଅଭିନନ୍ଦନ ବର୍ଦ୍ଧମାନ ମିଗ୍ -୨୧ ଉଡାଇଥିଲେ । କାର୍ଯ୍ୟକ୍ରମରେ ସୁଖୋଇ ଏବଂ ଗ୍ଲୋବମାଷ୍ଟର ବିମାନ ସାମିଲ ହୋଇଥିଲେ । ବାୟୁସେନା ବିମାନର ଚିତ୍ତାକର୍ଷକ କଳାବାଜି ଦେଖି ଆଖି ଖୋସି ହୋଇଯାଇଥିଲା । ଦୁଃସାହସିକ ପ୍ରଦର୍ଶନ ଚକିତ କରିଥିଲା । ଆକାଶରେ ବିଭିନ୍ନ ପାଟର୍ନ ତିଆରି କରିଥିଲେ ବିମାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.