ବୀର ଚକ୍ରରେ ସମ୍ମାନୀତ ହେବେ ୱିଙ୍ଗ କମାଣ୍ଡର ଅଭିନନ୍ଦନ,ଜାଣନ୍ତୁ ପରମବୀର, ଅଶୋକ ଓ ମହାବୀର ଚକ୍ରରେ ଅନ୍ତର
14/08/2019 at 10:16 PM

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀଙ୍କ ବିସ୍ଫୋରଣ ପରେ ପାକ୍ କୁ କଡା ଜବାବ ଦେଇଥିଲା ଭାରତୀୟ ବାୟୁସେନା। ଏହା ପରେ ବି ସୁଧୁରିନଥିଲା ପାକିସ୍ତାନର ସ୍ୱଭାବ। ଫେବୃଆରୀ ୨୭ ତାରିଖରେ ଭାରତୀୟ ସୈନ୍ୟ ଠିକଣା ଉପରକୁ ଆକ୍ରମଣ କରିବାକୁ ନିଜର ଏପ-୧୬ ସ୍କ୍ୱାଡ୍ରନକୁ ଭାରତ ପଠାଇଥିଲା। ଭାରତୀୟ ବାୟୁସେନା ପାଇଲଟ ୱିଙ୍ଗ କମାଣ୍ଡାର ଅଭିନନ୍ଦନ ବର୍ଥମାନ ନା କେବଳ ପାକ୍ ଯୁଦ୍ଧବିମାନଙ୍କୁ ସଫଳତାର ସହ ଘଉଡାଇଥିଲେ ସେମାନଙ୍କର ଗୋଟିଏ ଏଫ-୧୬ ବିମାନକୁ ମଧ୍ୟ ଆକାଶରୁ ଖସାଇ ଦେଇଥିଲେ। ତେବେ ଏଥିରେ ନିଜ ମିଗ୍ -୨୧ ବାଇସନକୁ ସେ ହରାଇ ପାକ ଅଧିକୃତ କାଶ୍ମୀରରେ ଅବତରଣ କରିଥିଲେ। ଅଭିନନ୍ଦନଙ୍କ ଦୁଃଶାହସିକତାକୁ ପ୍ରଶଂସା କରି ତାଙ୍କୁ ସ୍ୱାଧୀନତା ଦିବସ ଅବସରରେ ବୀର ଚକ୍ର ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ। ଭାରତୀୟ ସୈନ୍ୟଙ୍କୁ ଯୁଦ୍ଧ ଓ କେବେ କେବେ ଶାନ୍ତି ପରିସ୍ଥିତିରେ ମଧ୍ୟ ସେମାନଙ୍କର ଅସାଧାରଣ ବୀରତା ପାଇଁ ସମ୍ମାନୀତ କରାଯାଇଥାଏ। ଏଥିରେ ସେମାନଙ୍କୁ ବୀର ଚକ୍ର ବ୍ୟତୀତ ପରମବୀର ଚକ୍ର, ଅଶୋକ ଚକ୍ର, ମହାବୀର ଚକ୍ର ଓ କିର୍ତ୍ତି ଚକ୍ରରେ ସମ୍ବର୍ଦ୍ଧିତ କରାଯାଇଥାଏ। ଆସନ୍ତୁ ଜାଣିବା ଭାରତର ଶୀର୍ଷ ସାମରିକ ସମ୍ମାନ ସମ୍ପର୍କରେ ।

ପରମବୀର ଚକ୍ର
ପରମବୀର ଚକ୍ର ସେନାରେ ପ୍ରଦାନ କରାଯାଉଥିବା ସବୁଠାରୁ ବଡ ବୀରତା ପୁରସ୍କାର। ଏହି ସମ୍ମାନ ସେନାର କେବଳ ସେହି ବୀର ଜବାନମାନଙ୍କୁ ପ୍ରଦାନ କରାଯାଇଥାଏ ଯେଉଁମାନେ ଶତ୍ରୁର ଉପସ୍ଥିତିରେ ନିଜ ବାହାଦୂରୀ, ବୀରତା ଓ ଆତ୍ମ ବଳିଦାନର ଶାହାସୀ କାର୍ଯ୍ୟ କରିଥାନ୍ତି। ଏହି ସମ୍ମାନ କେବଳ ଯୁଦ୍ଧ ସମୟରେ ଦୁଃଶାହସ ପ୍ରଦର୍ଶନ ନିମନ୍ତେ ସାମରିକ କର୍ମଚାରୀ ଓ ଅଧିକାରୀଙ୍କୁ ପ୍ରଦାନ କରାଯାଇଥାଏ। ଏହି ସମ୍ମାନ ପାଇଁ ପ୍ରଦାନ କରାଯାଉଥିବା ପଦକର ଆକାର ଗୋଲ ହୋଇଥିବା ବେଳେ ଏହା କାଂଶ୍ୟରେ ନିର୍ମିତ ହୋଇଥାଏ। ଏହାର କେନ୍ଦ୍ର ସ୍ଥଳରେ ବୀର ଜବାନଙ୍କ ରାଜ୍ୟର ନକ୍ସା ସହ ଇନ୍ଦ୍ରଙ୍କ ବଜ୍ରର ୪ଟି ପ୍ରତିକୃତି ନିର୍ମିତ ହୋଇଥାଏ। ଏହି ମେଡାଲ ସାଧା ବାଇଗଣୀ ରଙ୍ଗର ଫିତା ସହିତ ପ୍ରଦାନ କରାଯାଇଥାଏ।

ମହାବୀର ଚକ୍ର
ସେନାରେ ବୀରତା ପାଇଁ ପ୍ରଦାନ କରାଯାଉଥିବା ଏହା ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ। ଶତ୍ରୁର ଉପସ୍ଥିତିରେ ଜଳ,ସ୍ଥଳ ଓ ଗଗନରେ ଅସାଧାରଣ ବୀରତ୍ୱର ପରାକାଷ୍ଠା ପ୍ରଦର୍ଶନ କରିଥିବା ଜବାନଙ୍କୁ ଏହା ପ୍ରଦାନ କରାଯାଇଥାଏ। ଏହି ମେଡାଲର ଆକାର ଗୋଲାକାର ହୋଇଥିବା ବେଳେ ଏହା ରୌପ୍ୟ ନିର୍ମିତ। ଏହା ଉପରେ ପଞ୍ଚକୋଣୀୟ ତାରକା ଖୋଦିତ ହୋଇଥାଏ। ଅଧା ସାଧା ଓ ଅଧା ନାରଙ୍ଗୀ ରଙ୍ଗର ଫିତାରେ ଏହାକୁ ପ୍ରଦାନ କରାଯାଏ।

ବୀର ଚକ୍ର
ଯୁଦ୍ଧରେ ଶତ୍ରୁକୁ ପରାସ୍ତ କରିବା ଲାଗି ପ୍ରଦର୍ଶନ କରାଯାଇଥିବା ଦୁଃସାହାସ ନିମନ୍ତେ ବୀର ସୈନିକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ଏହି ପଦକ ରୌପ୍ୟ ନିର୍ମିତ ହୋଇଥିବା ବେଳେ ଏଥିରେ ମଧ୍ୟ ପଞ୍ଚକୋଣୀୟ ତାରକା ଖୋଦେଇ ହୋଇଥାଏ। ଏହାକୁ ଅଧା ନିଳ ଓ ଅଧା ନାରଙ୍ଗୀ ଫିତାରେ ପ୍ରଦାନ କରାଯାଇଥାଏ।

ଅଶୋକ ଚକ୍ର
ଶାନ୍ତି ସମୟରେ ବୀରତା ଲାଗି ସୈନିକଙ୍କୁ ପ୍ରଦାନ କରାଯାଉଥିବା ଏହା ସବୁଠାରୁ ବଡ ସମ୍ମାନ। ଏହି ଚକ୍ର ରାଷ୍ଟ୍ରପତି ପ୍ରଦାନ କରିଥାନ୍ତି। ପ୍ରଥମେ ଏହାକୁ ଅଶୋକଚକ୍ର କ୍ଲାସ୍ ୱାନ ବୋଲି କୁହାଯାଉଥିବା ସିଧା ନାରଙ୍ଗୀ ଓ ସବୁଜ ଧଡି ଫିତାରେ ଏହାକୁ ପ୍ରଦାନ କରାଯାଇଥାଏ।

କିର୍ତ୍ତି ଚକ୍ର
ଶାନ୍ତିକାଳରେ ବୀରତା ପ୍ରଦର୍ଶନ ନିମନ୍ତେ ସୈନିକଙ୍କୁ ଦିଆଯାଉଥିବା ଏହା ଏକ ବୀରତା ପଦକ। ଏହାକୁ ମରଣୋପରାନ୍ତ ମଧ୍ୟ ପ୍ରଦାନ କରାଯାଇଥାଏ। ଏହା ମଧ୍ୟ ରୌପ୍ୟ ନିର୍ମିତ ଗୋଲାକାର ମେଡାଲ। ସବୁଜ ଫିତା ଉପରେ ୩ ନାରଙ୍ଗୀ ଧଡି ଥିବା ଫିତାରେ ଏହାକୁ ପ୍ରଦାନ କରାଯାଇଥାଏ।

ସୌର୍ଯ୍ୟ ଚକ୍ର
କିର୍ତ୍ତି ଚକ୍ର ଓ ସୌର୍ଯ୍ୟ ଚକ୍ର ଅଶୋକ ଚକ୍ରର ଦୁଇଟି ଭାଗ। ଶାନ୍ତି ସମୟରେ ବୀରତା ପ୍ରଦର୍ଶନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ଏହାର ପଦକ କାଂଶ୍ୟରେ ନିର୍ମିତ ହୋଇଥିବା ବେଳେ ସବୁଜ ରଙ୍ଗର ୩ଟି ସମାନ୍ତରାଳ ଫିତାରେ ଏହାକୁ ପ୍ରଦାନ କରାଯାଇଥାଏ।