ଦିଲ୍ଲୀ ଏନସିଆର ସମେତ ବିଭିନ୍ନ ରାଜ୍ୟରେ ଝଡବର୍ଷା ଓ ବଜ୍ରପାତ ସମ୍ଭାବନା, ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

Published By : Prameya-News7 Bureau | May 13, 2020 IST

ନୂଆଦିଲ୍ଲୀ ୧୩।୫: ଦିଲ୍ଲୀ ଏନସିଆରରେ ବୁଧବାର ଦିନ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ଝଡ ସହିତ ପ୍ରବଳ କୁଆପଥର ମାଡ ହେବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି । ପାଣିପାଗ ବିଭାଗ ଅନୁଯାୟୀ ଦିଲ୍ଲୀ ଏନସିଆରର ଅନେକ ଅଞ୍ଚଳ ସକାଳଠାରୁ ମେଘୁଆ ପାଗ ରହିବ। ଏଠାରେ ଧୂଳି ସହ ବଜ୍ରପାତ ହୋଇପାରେ । ଝଡ ପରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ ଏନସିଆର ସମେତ ଦେଶର ଅନେକ ରାଜ୍ୟରେ ଧୂଳି ବଜ୍ରପାତ ସହିତ ବର୍ଷା ହୋଇପାରେ । ପାଣିପାଗ ବିଭାଗ ଅନେକ ସ୍ଥାନରେ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି।

ପ୍ରାକ୍-ମୌସୁମୀ ଆରମ୍ଭ ହେବାର ସଂକେତ ମିଳୁଛି । ଦିଲ୍ଲୀ ପାଣିପାଗ ବିଭାଗ ଅନୁଯାୟୀ ବୁଧବାର ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରୀ ରହିବ। ବିଭାଗର ଆକଳନ ଅନୁଯାୟୀ, ଦିଲ୍ଲୀ ଏନସିଆରରେ ପ୍ରବଳ ପବନ ବୋହିପାରେ । ପବନର ବେଗ ଘଣ୍ଟା ପ୍ରତି ୬୦ ରୁ ୭୦ କିଲୋମିଟର ହୋଇପାରେ । ଏହାସହ ଗୁରୁବାର ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଞ୍ଜାବ, ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ରାଜସ୍ଥାନରେ ଧୂଳି ଝଡ ଏବଂ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଏଥି ସହିତ ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଓଡିଶା ଏବଂ ପଶ୍ଚିମବଙ୍ଗରେ ପାଗ ଶୁଖିଲା ରହିବ । ଏହି ରାଜ୍ୟଗୁଡିକର କେତେକ ସ୍ଥାନରେ ବର୍ଷା ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.