ପୂର୍ବାନୁମାନ କରାଯାଉଥିବା ସମୟ ପୂର୍ବରୁ ଓଡିଶା ଉପକୂଳ ଅତିକ୍ରମ କରିବ ‘ଫନି’, ଚିଲିକା ନିକଟରେ ପବନର ବେଗ ରହିବ ଅଧିକ

Published By : Prameya-News7 Bureau | May 02, 2019 IST

ଭୁବନେଶ୍ବର ୨|୫: ସାମୁଦ୍ରିକ ବାତ୍ୟା ‘ଫନି’ ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଂଚଳରେ  ପ୍ରବଳ  ବର୍ଷା  ଆରମ୍ଭ ହୋଇଛି । ‘ଫନି’ ଶୁକ୍ରବାର ପୂର୍ବାହ୍ନରେ ଓଡ଼ିଶା ଛୁଇଁବ ବୋଲି ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭର୍ସିଟିର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଗୁରୁବାର ଦିନ ୧୧ଟା ୩୦ସୁଦ୍ଧା ଦକ୍ଷିଣ - ଦକ୍ଷିଣ ପଶ୍ଚିମ ଦିଗରେ ପୁରୀଠାରୁ ୩୬୦କିମି ଦୂରତାରେ ରହିଥିବା ଏହି ‘ଫନି’ ଶୁକ୍ରବାର ସକାଳ ୬ଟାଠାରୁ ୧୦ଟା ମଧ୍ୟରେ ଓଡିଶା ଉପକୂଳ ଛୁଇଁବ ବୋଲି ସି.ଇ.ସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ।

ପୂର୍ବରୁ ଏହା ଶୁକ୍ରବାର ସନ୍ଧ୍ୟା ୫ଟା୩୦ମିନିଟ୍ ସମୟରେ ଓଡ଼ିଶା ଉପକୂଳ ଛୁଇଁବାର ଆକଳନ କରାଯାଇଥିଲା ।

ଏହି ସାମୁଦ୍ରିକ ବାତ୍ୟା ‘ଫନି’ ଉତ୍ତର-ଉତ୍ତର ପୂର୍ବ ଦିଗରେ ଘଂଟା ପ୍ରତି ୧୬ କିମି ବେଗରେ ଗତି କରୁଥିବା ବେଳେ ଏହା ଗୋପାଳପୁର ଏବଂ ପାରାଦ୍ବୀପ ମଧ୍ୟରେ ପୁରୀର ଦକ୍ଷିଣ ଦେଇ ଗତି କରିବ ବୋଲି ସୂଚନା ମିଳିଛି । ଏହି ସମୟରେ ପବନର ବେଗ ଘଂଟା ପ୍ରତି ୧୭୦ ରୁ ୧୮୦ କି.ମି ରହୁଥିବା ବେଳେ ଲ୍ୟାଣ୍ଡଫଲ୍ ସମୟରେ ଏହାର ବେଗ ଘଂଟା ପ୍ରତି ୨୦୦ କିମି ହୋଇପାରେ ବୋଲି ସୂଚନା ଦେଇଛନ୍ତି ।

ଏହାର ପ୍ରଭାବରେ ପବନର ବେଗ ବଢ଼ିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ଏହି ସମୟରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ବର ସମେତ ଗଞ୍ଜାମର ଉତ୍ତରାଂଚଳରେ ଏହାର ପ୍ରଭାବ ପଡ଼ିବ ବୋଲି ଜଣାପଡ଼ିଛି । ଏହି ସାମୁଦ୍ରିକ ବାତ୍ୟାର ପ୍ରଭାବ କଟକ, ଯାଜପୁର, ନୟାଗଡ଼, ମୟୁରଭଞ୍ଜ, କେନ୍ଦୁଝର ଓ ଢ଼େଙ୍କାନାଳରେ ମଧ୍ୟ ଅନୁଭୂତ ହେବ । ‘ଫନି’ର କେନ୍ଦ୍ର ଅତ୍ୟନ୍ତ ବିସ୍ତୃତ ଓ ଏହା ପ୍ରାୟ ୨୪ କି.ମି ଲମ୍ବା ବୋଲି ଡ. ସାହୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.