ସମାଲୋଚକଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଜବାବ- ଲକ୍‌ଡାଉନ୍ ହଟାଇବାକୁ ପ୍ରସ୍ତୁତ, ଲୋକଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ହେବ ?

Published By : Prameya-News7 Bureau | July 25, 2020 IST

ମୁମ୍ବାଇ ୨୫।୦୭: କରୋନା ଭାଇରସ୍‌ ମହାମାରୀ ଦେଶର ସ୍ଥିତିକୁ ଦୟନୀୟ କରି ଦେଇଛି। ଦେଶରେ ମହାମାରୀରେ ସର୍ବାଧିକ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶିବସେନାର ମୁଖପତ୍ର ସାମନାକୁ ଦେଇଥିବା ସାକ୍ଷାତକାରରେ ଲକ୍‌ଡାଉନ୍‌ ହଟାଇବା ନେଇ ସ୍ପଷ୍ଟ ଭାବେ ନିଜର ରାୟ ରଖିଛନ୍ତି। ଏହା  ସହିତ ବିରୋଧୀଙ୍କୁ ମଧ୍ୟ ରାଜନୈତିକ ଉତ୍ସବ ପାଳନ ନକରିବାକୁ ଉପଦେଶ ଦେଇଛନ୍ତି।

ଉଦ୍ଧବ ଠାକରେ କହିଛନ୍ତି ରାଜ୍ୟରେ ସ୍ଥିତି ଏବେ ଧିରେ ଧିରେ ସୁଧୁରୁଛି। କିନ୍ତୁ ଅବହେଳାରେ କାମ ଚଳିବ ନାହିଁ। ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେଉଁ ଲୋକେ କହୁଛନ୍ତି ଲକ୍‌ଡାଉନ୍‌ ହଟାଇ ଦିଆଯାଉ, ସବୁ ଖୋଲାଯାଉ। ଏମିତି କିଛି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ପ୍ରଶ୍ନ କରୁଛନ୍ତି ଲକ୍‌ଡାଉନ୍‌ରେ କଣ ମିଳୁଛି ? ଓଲଟା ଆର୍ଥିକ ସ୍ଥିତି ଖରାପ ହେଉଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଏମିତି ଲୋକଙ୍କୁ ମୁଁ କହିବାକୁ ଚାହୁଁଛି ଲକ୍‌ଡାଉନ୍ ଖୋଲିବାକୁ ମୁଁ ପ୍ରସ୍ତୁତ। ଯଦି ଲୋକ ମରନ୍ତି, ତେବେ ସେମାନେ କଣ ଦାୟି ରହିବେ ଏବଂ  ଦାୟିତ୍ଵ ନେବାକୁ ପ୍ରସ୍ତୁତ କି ?

ସେ କହିଛନ୍ତି ମୁଁ ଟ୍ରମ୍ପ ନୁହେଁ। ମୁଁ ଆଖି ସାମ୍ନାରେ ଲୋକଙ୍କୁ ମରୁଥିବା ଦେଖି ପାରିବି ନାହିଁ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି କେବେ ମଧ୍ୟ ଲକ୍‌ଡାଉନ୍‌ ହଟାଇବା ପରି ଶବ୍ଦର ଉପଯୋଗ କରି ନାହିଁ। କାରଣ ଆମେ ଧିରେ ଧିରେ ସବୁ ଖୋଲୁଛୁ ଏବଂ ଗତିବିଧି ଚଳାଚଳକୁ ଅନୁମତି ଦେଉଛୁ। କେବଳ ଅର୍ଥବ୍ୟବସ୍ଥା କିମ୍ବା ସ୍ଵାସ୍ଥ୍ୟ ବିଷୟରେ ଚିନ୍ତା କରି ପାରିବା ନାହିଁ। ଆମକୁ ଉଭୟକୁ ନେଇ ଚିନ୍ତା କରିବାକୁ ପଡିବ ବୋଲି ଉଦ୍ଧବ କହିଛନ୍ତି।

ଉଲ୍ଲେଖନୀୟ ରାଜ୍ୟରେ ଲାଗୁ ଲକ୍‌ଡାଉନ୍ ଜୁଲାଇ ୩୧ରେ ଶେଷ ହେବ। ଜୁନ ପରଠୁ ସରକାର ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ ହଟାଇବା ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ମହାମାରୀ ଏକ ବୈଶ୍ଵିକ ଲଢେଇ। ଏହା ପୂରା ଦୁନିଆ ଉପରେ ପ୍ରଭାବ ପକାଇଛି। ଯେଉଁ ଦେଶ ଏହା ଭାବି ତରବରିଆ ଭାବେ ଲକ୍‌ଡାଉନ୍ ହଟାଇ ଦେଇଥିଲେ ଯେ, କରୋନା ସମାପ୍ତ ହୋଇ ଯାଇଛି। କିନ୍ତୁ ପୁଣି ଥରେ ସେମାନେ ଲକ୍‌ଡାଉନ୍ ଲଗାଇବାକୁ ବିବଶ ହୋଇଛନ୍ତି। ଅଷ୍ଟ୍ରେଲିଆରେ ସେନାର ସହାୟତା ନେବାକୁ ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.