ଭାରତରେ ବନ୍ଦ ହୋଇଯିବ କି ହ୍ବାଟ୍ସଆପ୍ ? କେନ୍ଦ୍ରର ନୂଆ ଗାଇଡ୍‌ଲାଇନ୍‌କୁ ମାନିବାକୁ ନାରାଜ ଲୋକପ୍ରିୟ ସୋସିଆଲ ମିଡିଆ ଆପ୍

Published By : Prameya-News7 Bureau | February 25, 2021 IST

ନୂଆଦିଲ୍ଲୀ ୨୫/୦୨ : କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋସିଆଲ ମିଡିଆର ଉପଯୁକ୍ତ ବ୍ୟବହାରକୁ ନେଇ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ବିଭିନ୍ନ ସାମାଜିକ ଗଣମାଧ୍ୟମର ଅପବ୍ୟବହାରକୁ ରୋକିବା ଦିଗରେ ଆହୁରି କଠୋର ହୋଇଛନ୍ତି କେନ୍ଦ୍ର ସରକାର । ସୋସିଆଲ ମିଡିଆ ଜରିଆରେ ମିଳୁଥିବା ଫାଇଦା ଏବଂ ଏହାର ଅପବ୍ୟବହାରକୁ ନେଇ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗୁରୁବାର ଏକ ସାମ୍ବାଦିକ ସମ୍ମୀଳନୀ କରିଥିଲେ । ଉକ୍ତ ପ୍ରେସ୍‌ ମିଟ୍‌ରେ ବିଭିନ୍ନ ସୋସିଆଲ ମିଡିଆ କମ୍ପାନୀମାନଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି କେନ୍ଦ୍ର ସରକାର ।

ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସାମାଜିକ ଗଣମାଧ୍ୟମ କମ୍ପାନୀମାନଙ୍କୁ ପରାମର୍ଶ ଦେଇ କହିଛନ୍ତି, ଯଦି କୌଣସି ବ୍ୟବହାରକାରୀ ସୋସିଆଲ ମିଡିଆର ଅପବ୍ୟବହାର କରୁଛନ୍ତି ତେବେ ସେମାନଙ୍କୁ ଚିହ୍ନଟ କରି ଆଇଗନତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ତେବେ ଏହାକୁ ନେଇ ଲୋକପ୍ରିୟ ଚାଟିଂ ଆପ୍ ହ୍ବାଟ୍ସଆପ୍‌ କହିଛି ଯେ, ଏଭଳି କରିବା ସମ୍ଭବପର ନୁହେଁ ।

ପୂର୍ବରୁ ହ୍ବାଟ୍ସଆପ୍‌ କହିସାରିଛି ଯେ, ଏଣ୍ଡ୍‌ ଟୁ ଏଣ୍ଡ୍‌ ଏନ୍ସ୍‌କ୍ରିପସନ୍‌ ଯୋଗୁଁ ଏହା ଖୋଜିବା ମୁସ୍କିଲ ଯେ କିଏ କେଉଁଠାରୁ ମେସେଜ୍‌ କରୁଛନ୍ତି । ଏହା ପୂର୍ବରୁ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ରିପୋର୍ଟ ମଗାଯାଇଥିଲା । କିନ୍ତୁ ଏବେ ରିପୋର୍ଟ ନୁହେଁ ବରଂ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ତେବେ ବର୍ତ୍ତମାନ ଯଦି ହ୍ବାଟ୍ସଆପ୍‌ ଗାଇଡ୍‌ଲାଇନ୍‌ ପାଳନ କରିବା ପାଇଁ ମନାକରେ ତେବେ ପରିସ୍ଥିତି କ’ଣ ହେବ ? ଭାରତରୁ ବନ୍ଦ ହୋଇଯିବ କି ଲୋକପ୍ରିୟ ଚାଟିଂ ଆପ୍‌ ହ୍ବାଟ୍ଦଆପ୍‌ ?

ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ହ୍ବାଟ୍ସଆପ୍‌କୁ ସ୍ପଷ୍ଟୀକରଣ ମଗାଯାଇଛି । କମ୍ପାନୀ ପକ୍ଷରୁ ପ୍ରତିକ୍ରିୟା ଆସିବା ପରେ ଯାଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ କଣ ରହିବ ତାହା ଜଣାପଡିବ । ହ୍ବାଟ୍ସଆପ୍‌ ମାଲିକାନାରେ ଥିବା​‌ ଫେସ୍‌ବୁକ୍‌ ପକ୍ଷରୁ ମଧ୍ୟ ସମାନ ପ୍ରତିକ୍ରିୟା ପ୍ରକାଶ ପାଇଛି । ଫେସ୍‌ବୁକ୍‌ କହିଛି ଯେ, ଏଣ୍ଡ୍‌ ଟୁ ଏଣ୍ଡ୍‌ ଏନ୍ସ୍‌କ୍ରିପସନ୍‌ ଯୋଗୁଁ ଏହା ଖୋଜିବା ମୁସ୍କିଲ ଯେ କିଏ କେଉଁଠାରୁ ମେସେଜ୍‌ କରୁଛନ୍ତି । ତେଣୁ ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ କଣ ହେଉଛି ତାହା ଦେଖିବା ବାକି ରହିଲା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.