ଦେଶରେ ଭୟାନକ ହେଉଛି ସଂକ୍ରମଣ, ପୁଣି ଠପ୍‌ ହୋଇଯିବ କି ଟ୍ରେନ୍‌ ଚଳାଚଳ ? ସ୍ପଷ୍ଟୀକରଣ ଦେଲା ରେଳ ବିଭାଗ

Published By : Prameya-News7 Bureau | April 09, 2021 IST

ନୂଆଦିଲ୍ଲୀ ୦୯/୦୪ : ମହାମାରୀ କରୋନାର ଦ୍ବିତୀୟ ଲହର ଭୟାନକ ହେବାରେ ଲାଗିଛି । ଦେଶରେ ଲଗାତାର ଭାବେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରେଳ ସେବା ସମ୍ପୂର୍ଣ୍ଣ ବନ୍ଦ ହେବାନେଇ ଆଶଙ୍କା ଦେଖାଦେଇଛି । ତେବେ ଏହାକୁ ନେଇ ରେଳ ବିଭାଗ ପକ୍ଷରୁ ବୟାନ ଜାରି କରାଯାଇଛି । ରେଲଓ୍ବେ ବୋର୍ଡ ଚେୟାରମ୍ୟାନ୍‌ ସୁନୀତ ଶର୍ମା କହିଛନ୍ତି, ବର୍ତ୍ତମାନ ରେଳ ଚଳାଚଳ ବନ୍ଦ କରିବାକୁ କୌଣସି ଯୋଜନା ହୋଇନାହିଁ । ଯେଉଁମାନେ ଯାତ୍ରା କରିବାକୁ ଚାହୁଁଛନ୍ତି ସେମାନେ ଅନାୟାସରେ ଯାତ୍ରା କରିପାରିବେ ।

ଏହା ସହିତ ରେଲଓ୍ବେ ବୋର୍ଡ ଚେୟାରମ୍ୟାନ୍‌ ସୁନୀତ ଶର୍ମା କହିଛନ୍ତି ଯେ, ଯାତ୍ରୀମାନଙ୍କ ଆବଶ୍ୟକତା ଅନୁଯାୟୀ ରେଳ ଚଳାଚଳ ଜାରି ରହିବ । ଆବଶ୍ୟକ ଅନୁଯାୟୀ ଟ୍ରେନ୍‌ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ । ଯାତ୍ରୀଙ୍କ ସଂଖ୍ୟା ଅଧିକ ଥିବାରୁ ସମସ୍ତଙ୍କୁ କୋଭିଡ ରିପୋର୍ଟ ମଗାଯାଇପାରିବ ନାହିଁ ।

ଲକ୍ଷ୍ନୌରୁ ଦିଲ୍ଲୀ ମଧ୍ୟରେ ଆରମ୍ଭ ହେବାକୁ ଥିବା ତେଜସ୍‌ ଏକ୍ସପ୍ରେସ୍‌କୁ ପୁଣି ଥ​‌ରେ ରଦ୍ଦ କରିଦିଆଯାଇଛି । ଦେଶରେ ସ୍ଥିତି ଅଣାୟତ ହେଉଥିବାରୁ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ଦେଶରେ ଦୈନିକ ସଂକ୍ରମଣ ଲକ୍ଷେ ଟପିଲାଣି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌, କର୍ଫ୍ୟୁ ମଧ୍ୟ ଲାଗୁ କରାଗଲାଣି । ତେବେ ଅନ୍ୟ ରାଜ୍ୟରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ନିଜ ଭିଟାମାଟିକୁ ଫେରିଆସିବା ପାଇଁ ରେଳ ଷ୍ଟେସନଗୁଡିକରେ ଭିଡ ଜମାଉଥିବା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ରେଳ ଚଳାଚଳ ବନ୍ଦ ହେବା ଆଶଙ୍କା ଦେଖାଦେଇଥିଲା । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ରେଳ ଚଳାଚଳ ବନ୍ଦ ହେବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.