ମଦର ହୋମ ଡେଲିଭରି ହେବ କି ନାହିଁ ? କୋଭିଡ୍ ସ୍ଥିତି ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

Published By : Prameya-News7 Bureau | May 13, 2021 IST

ଭୁବନେଶ୍ଵର ୧୩।୦୫: କରୋନା ମୁକାବିଲା ପାଇଁ ରାଜ୍ୟରେ ଲକ୍‌ଡାଉନ୍ ଲାଗୁ ହୋଇଛି। ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଲେ ବାକି ସବୁ କିଛି ବନ୍ଦ ରହିଛି। ଖାଦ୍ୟର ହୋମ ଡେଲିଭରିକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ହେଲେ ଲକ୍‌ଡାଉନ୍‌ ସମୟରେ ମଦର ହୋମ ଡେଲିଭରି ଉପରେ ରାଜ୍ୟ ସରକାର ବିଚାର କରୁଛନ୍ତି। ଗତ ବର୍ଷ ଲକ୍‌ଡାଉନ୍ ପରି ଏଥର ହୋମ ଡେଲିଭରିର ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ଛାଡିଛନ୍ତି ରାଜ୍ୟ ସରକାର।

ରାଜ୍ୟ ସରକାରଙ୍କ ଅନୁଯାୟୀ, ମଦ ହୋମ୍ ଡେଲିଭରି ନିଷ୍ପତ୍ତି ନେବେ ଜିଲ୍ଲାପାଳ।  ଏନେଇ ଅବକାରୀ ସଚିବ ଗୁରୁବାର ଅବକାରୀ କମିଶନରଙ୍କୁ ଚିଠି ଲେଖିଛନ୍ତି। ଜିଲ୍ଲାର କୋଭିଡ ସ୍ଥିତି ଦେଖି ଜିଲ୍ଲାପାଳ ନିଜ ଜିଲ୍ଲାରେ ମଦର ହୋମ ଡେଲିଭରି ହେବା ନେଇ ନିଷ୍ପତ୍ତି ନେବେ। କୋଭିଡ ନିୟମ ଅନୁଯାୟୀ ମଦ ହୋମ୍ ଡେଲିଭରି ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି।

ତେବେ ଅନ୍‌ଲାଇନ୍‌ରେ ବିକ୍ରି ହେଲେ ମଦ ଜୋମାଟୋ ଓ ସ୍ୱିଗୀ ଜରିଆରେ ଗ୍ରାହକମାନେ ମଦ ପାଇପାରିବେ । ଏମିତି ହେଲେ ଗ୍ରାହକଙ୍କୁ ମଧ୍ୟ ଅଧିକ ଚାର୍ଜ ଦେବାକୁ ପଡିପାରେ। କିଛି ଦିନ ପୂର୍ବେ ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ, ଯଦି ଅନଲାଇନ୍‌ ବ୍ୟବସାୟ ପାଇଁ ଅନୁମତି ମିଳେ, ତେବେ ୧ ହଜାର ଟଙ୍କା ଭିତରେ ମଦ କିଣିଲେ ୧ ଶହ ଟଙ୍କା ଡେଲିଭରୀ ଚାର୍ଜ ଦେବାକୁ ପଡିବ । ୧ ହଜାର ୧ ଟଙ୍କାରୁ ୧୫ ଶହ ଟଙ୍କା ଭିତରେ ମଦ କିଣିଲେ ୧୨୫ ଟଙ୍କା ଡେଲିଭରୀ ଚାର୍ଜ ପଡିବ।

ସେହିଭଳି ୧୫ ଶହ ୧ ଟଙ୍କାରୁ ୨ ହଜାର ଟଙ୍କାରେ ମଦ କିଣିଲେ ୧୫୦ ଟଙ୍କା, ଦୁଇ ହଜାର ୧ ଟଙ୍କାରୁ ୨୫ ଶହ ଟଙ୍କାର ମଦରେ ୧୭୫ ଟଙ୍କା, ୩ ହଜାର ପାଇଁ ୨ ଶହ ଟଙ୍କା ଡେଲିଭାରୀ ଚାର୍ଜ ଦେବାକୁ ପଡିବ । ସେଇଭଳି ୩ ହାଜାର ୧ ଟଙ୍କାରୁ ୩୫ ଶହ ଟଙ୍କାରେ ମଦ କିଣିଲେ ୨୫୦ ଟଙ୍କା, ୩୫୦୧ ଟଙ୍କାରୁ ୪ ହାଜର ଟଙ୍କା ମଦରେ ୨୫୦ ଟଙ୍କା ଚାର୍ଜ, ୪ ହଜାର ୧ ଟଙ୍କାରୁ ୪ ହାଜର ୫ ଶହ ଟଙ୍କାରେ ମଦ କିଣିଲେ ୨୭୫ ଟଙ୍କା ଡେଲିଭରୀ ଚାର୍ଜ ଦେବାକୁ ପଡ଼ିବ । ୪,୫୦୧ ଟଙ୍କାରୁ ଅଧିକ ମଦ ପାଇଁ ୩ ଶହ ଟଙ୍କା ଡେଲିଭରୀ ଚାର୍ଜ ନେବେ ଜୋମାଟୋ ଓ ସ୍ୱିଗୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.