କୃଷି ଆଇନର ସମାଧାନର ରାସ୍ତା ବାହାର କରି ବିଜେପିରେ ମିଶିବେ କ୍ୟାପଟେନ୍ ? ମିଳିପାରେ ଏହି ମନ୍ତ୍ରୀ ପଦ

Published By : Prameya-News7 Bureau | September 29, 2021 IST

ନୂଆଦିଲ୍ଲୀ ୨୯।୦୯:  ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କ୍ୟାପଟେନ୍ ଅମରିନ୍ଦର ସିଂହ ବୁଧବାର ଦିଲ୍ଲୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଛନ୍ତି। ଶାହାଙ୍କ ସହ ସାକ୍ଷାତ ପରେ କ୍ୟାପଟେନ୍‌ଙ୍କ ବିଜେପିରେ ମିଶିବା ନେଇ ସମ୍ଭାବନା ବଢି ଯାଇଛି। ନୂତନ ତିନି କୃଷି ଆଇନକୁ ନେଇ ଜାରି ବିବାଦର ସମାଧାନର ରାସ୍ତା ବାହାର କରି ସେ ବିଜେପିରେ ସାମିଲ୍ ହୋଇ ପାରନ୍ତି। ଏପରିକି ତାଙ୍କୁ କେନ୍ଦ୍ରରେ କୃଷି ମନ୍ତ୍ରୀ ପଦ ମିଳିପାରେ ବୋଲି ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ।

ଏହି ସାକ୍ଷାତ ପରେ ଅମରିନ୍ଦର ସିଂହଙ୍କ ଗଣମାଧ୍ୟମ ପରାମର୍ଶଦାତା କହିଛନ୍ତି, ଦିଲ୍ଲୀର କ୍ୟାପଟେନ୍ ଅମରିନ୍ଦରଙ୍କ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ସେହ ଭେଟ ହୋଇଛି। ଏହି ସାକ୍ଷାତରେ ଉଭୟଙ୍କ ମଧ୍ୟରେ କୃଷକ ଆନ୍ଦୋଳନ ଓ କୃଷି ଆଇନ ଉପରେ ଆଲୋଚନା ହୋଇଛି। ଯଥା ଶୀଘ୍ର କୃଷକ ଆଇନକୁ ପ୍ରତ୍ୟାହାର କରିବା ଏବଂ ଏମଏସପି ଉପରେ ଗ୍ୟାରେଣ୍ଟି ଦିଆଯାଉ ବୋଲି ଅମରିନ୍ଦର କେନ୍ଦ୍ର ମନ୍ତ୍ରୀଙ୍କୁ କହିଛନ୍ତି। କ୍ୟାପଟେନ୍ ଓ ଶାହାଙ୍କ ମଧ୍ୟରେ ୪୫ ମିନିଟ୍ ପର୍ଯ୍ୟନ୍ତ ଆଲୋଚନା ହୋଇଥିବା କୁହାଯାଉଛି।

ତାଙ୍କର ଦିଲ୍ଲୀ ଗସ୍ତକୁ ନେଇ ଅନେକ ଚର୍ଚ୍ଚା କରାଯାଉଥିଲା। ରାଜନୈତିକ ମହଲରେ ଆଲୋଚନା ଚାଲିଥିଲା ଯେ, ଅମରିନ୍ଦର ତିନି ନୂତନ କୃଷି ଆଇନକୁ ନେଇ କୌଣସି ବଡ ପ୍ରସ୍ତାବ ଧରି ଦିଲ୍ଲୀ ଆସିଛନ୍ତି। କୃଷକ ଆନ୍ଦୋଳନ ସମାପ୍ତ କରିବାକୁ ସେ ବଡ ଭୂମିକା ଗ୍ରହଣ କରି ପାରନ୍ତି । ଏଥିପାଇଁ ସେ କେନ୍ଦ୍ର ସରକାରଙ୍କ ସହ କୌଣସି ରଣନୀତି ପ୍ରସ୍ତୁତ କରି ପାରନ୍ତି ବୋଲି କୁହାଯାଉଛି।

ମିଡିଆ ରିପୋର୍ଟ ଅନୁଯାୟୀ, କ୍ୟାପଟେନ୍ ଅମରିନ୍ଦର ସିଂହ ଶୀଘ୍ର ଅମିତ୍ ଶାହାଙ୍କୁ ଦ୍ଵିତୀୟ ଥର ଭେଟି ପାରନ୍ତି। ଏପରିକି କ୍ୟାପଟେନ୍‌ଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ  ହେବାର ସମ୍ଭାବନା ରହିଛି। ଏହା ଦୁଇ ନେତାଙ୍କ ମଧ୍ୟରେ ଅନ୍ତିମ ପର୍ଯ୍ୟାୟ ଆଲୋଚନା ହୋଇପାରେ। ପଞ୍ଜାବ କଂଗ୍ରେସର ନେତା ନବଜୋତ ସିଂହ ସିଦ୍ଧୁଙ୍କ ସହିତ ଦୀର୍ଘ ସମୟ ଧରି ତିକ୍ତତା ପରେ ଏବଂ ଦଳରେ ନିଜକୁ ବହୁତ ଅପମାନବୋଧ କରିବା ପରେ କ୍ୟାପଟେନ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।  ଅମରିନ୍ଦର ସିଂହ କୃଷି ଆଇନ ଉପରେ ଜାରି ବିବାଦର ସମାଧାନ ରାସ୍ତା ବାହାର କରି ବିଜେପିରେ ପ୍ରବେଶ କରି ପାରନ୍ତି।

ଆଉ କିଛି ମିଡିଆ ରିପୋର୍ଟ ଅନୁଯାୟୀ, କ୍ୟାପଟେନ୍ ଅମରିନ୍ଦର ବିଜେପିରେ ଯୋଗ ଦେଇ ପାରନ୍ତି। ତାଙ୍କୁ କେନ୍ଦ୍ରରେ କୃଷି ମନ୍ତ୍ରୀ କରାଯିବାର ସମ୍ଭାବନା ମଧ୍ୟ ରହିଛି। ଯଦି କ୍ୟାପଟେନ୍ ବିଜେପିରେ ମିଶନ୍ତି ତେବେ ପାର୍ଟି ତାଙ୍କୁ ରାଜ୍ୟସଭା ପଠାଇପାରେ। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍‌ରେ ସାମିଲ୍ କରାଯାଇ କୃଷି ମନ୍ତ୍ରୀ କରାଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.