କ’ଣ ସିଡନୀରେ ଚମତ୍କାର କରି ପାରିବ ଟିମ୍ ଇଣ୍ଡିଆ ? ଆଜିଙ୍କ୍ୟ ରାହାଣେ-ଚେତେଶ୍ଵର ପୂଜାରାଙ୍କ ଉପରେ ଦଳର ଭାଗ୍ୟ
10/01/2021 at 4:09 PM

ସିଡନୀ ୧୦।୦୧: ସିଡନୀ ଟେଷ୍ଟର ଚତୁର୍ଥ ଦିନରେ ହିଟ୍ମ୍ୟାନ୍ ରୋହିତ ଶର୍ମା ଯେଉଁ ଲୟରେ ବ୍ୟାଟିଂ କରୁଥିଲେ ତାକୁ ଦେଖି ଲାଗୁଥିଲା ଭାରତ ଏହି ମ୍ୟାଚ୍କୁ କେବଳ ଡ୍ର କରି ପାରିବ ନାହିଁ ବରଂ ଜିତିବି ମଧ୍ୟ ପାରିବ। ରୋହିତ ଶର୍ମା ଦ୍ଵିତୀୟ ଇନିଂସରେ ୯୮ ବଲରୁ ୫ ଚୌକା ଓ ୧ ଛକା ସହ ୫୨ ରନ କରିଛନ୍ତି। ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ସତ୍ଵେ ଭାରତ ଅଷ୍ଟ୍ରେଲିଆ ଦ୍ଵାରା ଧାର୍ଯ୍ୟ ୪୦୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୨ ଓ୍ଵିକେଟ୍ ହରାଇ ୯୮ ରନ କରିଛି। ଦଳ ଉପରେ ବର୍ତ୍ତମାନ ପରାଜୟର ବାଦଲ ଛାଇ ରହିଛି।
ଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ଚେତେଶ୍ଵର ପୂଜାରା କ୍ରିଜ୍ରେ ଅଛନ୍ତି। ଭାରତୀୟ ଦଳ ଓପନର ରୋହିତ ଶର୍ମା ଓ ଶୁବମାନ ଗିଲ୍ ଓ୍ଵିକେଟ୍ ହରାଇ ସାରିଛି। ଗିଲ୍ ୩୧ ରନ କରି ଆଉଟ୍ ହୋଇଥିବା ବେଳେ ରୋହିତ ଶର୍ମା ୫୨ ରନର ଇନିଂସରେ ଏକ ଖରାପ ସଟ୍ ଖେଳି ପାଭିଲିୟନ ଫେରିଛନ୍ତି। ଦୁଇ ସେଟ୍ ବ୍ୟାଟସମ୍ୟାନ ଏହି ପରି ଆଉଟ୍ ହେବା ଦଳ ପାଇଁ ବଡ ଝଟକା ହୋଇଛି। କାରଣ ବର୍ତ୍ତମାନ ଭାରତୀୟ ଦଳର ମଧ୍ୟକ୍ରମ ଆହତ ସମସ୍ୟାରେ ଗତି କରୁଥିବା ବେଳେ ଫର୍ମରେ ନାହାନ୍ତି। ଏବେ ପ୍ରଶ୍ନ ଉଠୁଛି କଣ ଭାରତ ସିଡନୀରେ ଚମତ୍କାର କରି ପାରିବ, କଣ ତୃତୀୟ ଟେଷ୍ଟରେ ପରାଜୟକୁ ଏଡାଇ ପାରିବ ?
ଏମିତିରେ ରେକର୍ଡ ଦେଖିଲେ ସିଡନୀ ଟେଷ୍ଟରେ ପରାଜୟରୁ ବର୍ତ୍ତିବା ଭାରତ ପାଇଁ ବହୁତ ମୁସ୍କିଲ। ସିଡନୀ ପିଚ୍ର ବାଉନ୍ସ ଅସମାନ ହୋଇ ଯାଇଛି ଏବଂ ଆମର ବ୍ୟାଟସମ୍ୟାନ କିଛି ଖାସ୍ ଫର୍ମରେ ନାହାନ୍ତି। ବିଶେଷ କରି ରାହାଣେ ଓ ପୂଜାରା କ୍ରିଜ୍ରେ ଜମି ରହିବା ପରିବର୍ତ୍ତେ ସଂଘର୍ଷ କରୁଥିବା ନଜର ଆସିଛନ୍ତି। ପୂର୍ବରୁ ସିଡନୀରେ ଭାରତ ଚତୁର୍ଥ ଇନିଂସରେ ୪୪୫ ରନ କରିଥିଲା, ଏହା ସତ୍ଵେ ଦଳକୁ ପରାଜୟ ଭୋଗିବାକୁ ପଡିଥିଲା। ଭାରତ ଏହି ମ୍ୟାଚ୍ ପୂର୍ବରୁ ଭାରତ ସିଡନୀରେ ୩ ଥର ଚତୁର୍ଥ ଇନିଂସରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଛି। ଏଥିରୁ ୨ଟିରେ ଦଳକୁ ପରାଜୟ ମିଳିଥିବା ବେଳେ ଗୋଟିଏ ମ୍ୟାଚ୍ ଡ୍ର କରାଇବାରେ ଦଳ ସଫଳ ହୋଇଥିଲା।
ସିଡନୀ ପିଚ୍ରେ ଚତୁର୍ଥ ଇନିଂସରେ ବ୍ୟାଟିଂ କରିବା ବହୁତ ମୁସ୍କିଲ ହୋଇଥାଏ। ବିଶେଷ କରି ପଞ୍ଚମ ଦିନରେ। ସିଡନୀରେ କେବେ ବି ୩୦୦ରୁ ଅଧିକ ରନର ବିଜୟ ଲକ୍ଷ୍ୟ ହାସଲ ହୋଇ ପାରି ନାହିଁ। ୨୦୦୬ରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୮୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ରେକର୍ଡ କରିଥିଲା, ଯାହା ଆଜି ପର୍ଯ୍ୟନ୍ତ ଅତୁଟ ରହିଛି। ଏଥିରୁ ସ୍ପଷ୍ଟ ଯେ, ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ୪୦୭ ରନର ଲକ୍ଷ୍ୟ ହାସଲ କରିବା ଭାରତୀୟ ଦଳ ପାଇଁ କୌଣସି ଚମତ୍କାରଠୁ କମ୍ ହେବ ନାହିଁ।
ଏମିତିରେ ଭାରତୀୟ ଦଳରେ ବ୍ୟାଟସମ୍ୟାନଙ୍କଠାରେ ପ୍ରତିଭାର ଅଭାବ ନାହିଁ। ଅଧିନାୟକ ରାହାଣେ ଗତ ମ୍ୟାଚ୍ରେ ଶତକ ଅର୍ଜନ କରିଥିଲେ। ପୂଜାରା ମଧ୍ୟ ଦେଖାଇ ସାରିଛନ୍ତି ଯେ, ସେ ଅଷ୍ଟ୍ରେଲିଆ ମାଟିରେ ବଡ ଇନିଂସ ଖେଳି ପାରିବେ। ସବୁଠୁ ବଡ ସମସ୍ୟା ମଧ୍ୟକ୍ରମରେ ହନୁମା ବିହାରୀ ରନ କରି ପାରୁ ନାହାନ୍ତି ଏବଂ ଋଷଭ ପନ୍ତ ଆହତ। ଏହା ବ୍ୟତୀତ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଆଙ୍ଗୁଠି ଭାଙ୍ଗି ଯିବାରୁ ସେ ଟେଷ୍ଟ ସିରିଜ୍ରୁ ବାଦ୍ ପଡି ସାରିଛନ୍ତି।