ମହାରାଷ୍ଟ୍ରରେ ପୁଣି ଥରେ ଗଠନ ହେବ ବିଜେପି-ଶିବସେନା ସରକାର ? ଫଡଣବିସ କହିଲେ- ସ୍ଥିତି ଦେଖି ପାର୍ଟି ଉଚିତ୍ ନିର୍ଣ୍ଣୟ ନେବ

Published By : Prameya-News7 Bureau | July 04, 2021 IST

ମୁମ୍ବାଇ ୦୪।୦୭: କମୁଛି ଦୂରତା, ବଢୁଛି ବନ୍ଧୁତା। କଣ ପରସ୍ପରର ମତଭେଦ ଭୁଲି ଏକାଠି ହେବେ ? କଣ ପୁଣି ଥରେ ମିଳିତ ସରକାର ଗଠନ କରିବେ ? ଏହି ପ୍ରଶ୍ନ ମହାରାଷ୍ଟ୍ର ରାଜନୀତିକୁ ନେଇ ଉଦ୍ଦିଷ୍ଟ। ମହାରାଷ୍ଟ୍ରରେ ଶିବସେନା-ବିଜେପି ନେତାଙ୍କ ମଧ୍ୟରେ ସାକ୍ଷାତ ଏବଂ ପ୍ରତିକ୍ରିୟାକୁ ଦେଖି ଲାଗୁଛି ଯେ, ଉଭୟ ଦଳ ମଧ୍ୟରେ ତିକ୍ତତା କମିବାରେ ଲାଗିଛି। କିନ୍ତୁ ଏବେଠୁ କିଛି  କହିବା ତରବରିଆ ହେବ। ମହାରାଷ୍ଟ୍ର ରାଜନୀତି କେତେବେଳେ କେଉଁ ଆଡେ କଡ ଲେଉଟାଉଛି ତାହା କହିବା ମୁସ୍କିଲ। କିନ୍ତୁ ସାଂପ୍ରତିକ ସ୍ଥିତିକୁ ଦେଖିଲେ ଲାଗୁଛି ବିଜେପି ଏବଂ ଶିବସେନା ମଧ୍ୟରେ ରହିଥିବା ଫାଟ ବନ୍ଦ ହେବାରେ ଲାଗିଛି। ଯେମିତି ଲାଗୁଛି ବିଜେପି ଓ ଶିବସେନା  ପରସ୍ପରର ନିକଟତର  ହେବାରେ ଲାଗିଛନ୍ତି।

ବିଜେପିର  ବରିଷ୍ଠ ନେତା ଦେବେନ୍ଦ୍ର ଫଡଣବିସ ରବିବାର କହିଛନ୍ତି, ତାଙ୍କ ଦଳ ଏବଂ ପୂର୍ବ ସହଯୋଗୀ ଶିବସେନା ଶତ୍ରୁ ନୁହନ୍ତି। କିନ୍ତୁ ଉଭୟଙ୍କ ମଧ୍ୟରେ କିଛି ପ୍ରସଙ୍ଗରେ ମତଭେଦ ରହିଛି।  ରାଜନୀତିରେ କୌଣସି କିନ୍ତୁ ପରନ୍ତୁ ନଥାଏ। ତାଙ୍କୁ ପ୍ରଶ୍ନ ହୋଇଥିଲା ଯେ, କଣ ଦୁଇ ପୂର୍ବତନ ସହଯୋଗୀ ପୁଣି ଥରେ ଏକାଠି ଆସିବାର ସମ୍ଭାବନା ରହିଛି ? ଫଡଣବିସ ଏହାର ଉତ୍ତରରେ କହିଛନ୍ତି ଯେ, ସ୍ଥିତି ଆଧାରରେ ଉଚିତ୍ ନିର୍ଣ୍ଣୟ ନିଆଯିବ। ଫଡଣବିସ କହିଛନ୍ତି, ଆମର ବନ୍ଧୁ ଶିବସେନା ଆମ ସହିତ ୨୦୧୯ ନିର୍ବାଚନ ଏକାଠି ଲଢିଲେ। ମାତ୍ର ନିର୍ବାଚନ ପରେ ସେମାନେ ଏନସିପି ଓ କଂଗ୍ରେସ ସହ ହାତ ମିଳାଇଲେ, ଯିଏ ଆମ ବିରୋଧରେ ନିର୍ବାଚନ ଲଢିଥିଲେ।

ଫଡଣବିସ କହିଛନ୍ତି, କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ କ୍ରମେ ମହାରାଷ୍ଟ୍ରରେ ବିଭିନ୍ନ ମାମଲାର ଯାଞ୍ଚ କରୁଛି। ସେମାନଙ୍କ ଉପରେ କୌଣସି ରାଜନୈତିକ ଚାପ ନାହିଁ। ଫଡଣବିସଙ୍କ ଏହି ବୟାନ ଗତ ଦିନରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହୋଇଥିବା ବୈଠକର ପୃଷ୍ଠଭୂମିକୁ ନେଇ ଆସିଛି। ଠାକରେ ଗତ ମାସରେ ଦିଲ୍ଲୀ ଗସ୍ତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସ୍ଵତନ୍ତ୍ର ସାକ୍ଷାତ କରିଥିଲେ। ସେହି ସାକ୍ଷାତ ପରଠୁ ବିଜେପି ଓ  ଶିବସେନା ମଧ୍ୟରେ ରହିଥିବା ମତଭେଦ ଦୂର ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.