ଆଜି ପାକିସ୍ତାନର ହେବ ଭାଗ୍ୟ ନିର୍ଦ୍ଧାରଣ ! ବ୍ଲାକ୍ ଲିଷ୍ଟ ହେବ ନା ଗ୍ରେ ଲିଷ୍ଟରେ ରହିବ, ଆଜି ନିଷ୍ପତ୍ତି ଶୁଣାଇବ ଏଫଏଟିଏଫ

Published By : Prameya-News7 Bureau | June 25, 2021 IST

ଇସଲାମାବାଦ ୨୫।୦୬: ଆଜି ପାକିସ୍ତାନର ହେବ ଭାଗ୍ୟ ନିର୍ଦ୍ଧାରଣ। ଏହି ଆତଙ୍କୀ ଦେଶ ପୁଣି ଥରେ ଧୂସର ତାଲିକା(ଗ୍ରେ ଲିଷ୍ଟ)ରେ ରହିବ ନା କଳାତାଲିକା  ଭୁକ୍ତ(ବ୍ଲାକ୍ ଲିଷ୍ଟ) ହେବ ଏହାର ଘୋଷଣା କରିବ ଫାଇନାନସିଆଲ ଟାସ୍କ ଫୋର୍ସ(ଏଫଏଟିଏଫ)। ଏଫଏଟିଏଫର ନିଷ୍ପତ୍ତିରେ ସ୍ପଷ୍ଟ ହୋଇଯିବ ଯେ, ପାକିସ୍ତାନର ଭବିଷ୍ୟତ କେମିତି ରହିବ। ବୈଠକରେ ସାମିଲ୍ ପାଞ୍ଚ ଦେଶ ମଧ୍ୟରୁ ଚାରି ଦେଶ ପାକିସ୍ତାନର ଆତଙ୍କବାଦ ଦମନ ବିରୋଧରେ ନେଇଥିବା ପଦକ୍ଷେପରେ ଅସନ୍ତୁଷ୍ଟ ଅଛନ୍ତି।

ବୈଠକରେ ସାମିଲ୍ ଚୀନ ନିଜର ପରମ ମିତ୍ର ପାକିସ୍ତାନକୁ ବ୍ଲାକ ଲିଷ୍ଟରୁ ବଞ୍ଚାଇବାକୁ ଅହରହ ଉଦ୍ୟମ ଚଳାଇଛି। ଅନ୍ୟପଟେ ଭାରତ ନିଜର ରାଜନୈତିକ ହିତ ସାଧନ ପାଇଁ ଏହି ମଞ୍ଚର ବ୍ୟବହାର କରୁଥିବା ପାକିସ୍ତାନ ଚିତ୍କାର କରୁଛି । ଏଫଏଟିଏଫ ବୈଠକର ସୂତ୍ର ଅନୁଯାୟୀ, ପାକିସ୍ତାନକୁ ପୁଣି ଥରେ ଛଅ ମାସ ପାଇଁ ଧୂସର ତାଲିକା ବା ଗ୍ରେ ଲିଷ୍ଟରେ ରଖାଯାଇପାରେ। ଏହି ବୈଶ୍ଵିକ ସଂସ୍ଥା ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛି, ସେଥିରେ ପାକିସ୍ତାନ ୨୭ ସୂତ୍ରୀ ଆକ୍ସନ ପ୍ଲାନ ମଧ୍ୟରୁ ୨୬ଟି ପୂରା କରିଛି।

ଏଫଏଟିଏଫ ସମୂହରେ ଚୀନ, ଆମେରିକା, ବ୍ରିଟେନ୍, ଫ୍ରାନ୍ସ ଓ ଭାରତ ସାମିଲ। ସୂତ୍ର ଅନୁଯାୟୀ, ପାକିସ୍ତାନ ଏଫଏଟିଏଫର ୨୭ ସୂତ୍ରୀ ଆକ୍ସନ ପ୍ଲାନ ମଧ୍ୟରୁ ୨୬ ଲାଗୁ  କରିଛି। ପାକିସ୍ତାନ ଆଶା ରଖିଛି ଯେ, ଏହି ବୈଠକରେ କୌଣସି ଆଶ୍ଵସ୍ତିକର ଖବର ତାକୁ ମିଳିପାରେ। ଅପରପକ୍ଷେ ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି ଅଭିଯୋଗ କରିଛନ୍ତି ଯେ, ଭାରତ ଏଫଏଟିଏଫର ଉପଯୋଗ ନିଜର ରାଜନୈତିକ ହିତ ସାଧନ ପାଇଁ କରୁଛି। ଏହା ଏକ ବୈଷେୟିକ ମଞ୍ଚ ଏବଂ ଏହାର ଉପଯୋଗ ରାଜନୈତିକ  ହିତ ସାଧନ ପାଇଁ ବ୍ୟବହାର କରାଯିବା ଉଚିତ୍ ନୁହେଁ।

ସୂତ୍ର ଅନୁଯାୟୀ, ଆଫଗାନିସ୍ତାନରୁ ଆମେରିକା ସେନାର ପ୍ରତ୍ୟାହାରକୁ ଦୃଷ୍ଟିରେ ରଖି ପାକିସ୍ତାନ ଗ୍ରେ ଲିଷ୍ଟରେ ରହିବାର ସମ୍ଭାବନା ରହିଛି। ପାକିସ୍ତାନକୁ ଏଫଏଟିଏଫର ବାକି ବିନ୍ଦୁ ଲାଗୁ କରିବା ପାଇଁ ଅତି କମରେ ଦୁଇରୁ ତିନି ମାସ ସମୟ ଲାଗିବ। ଏମିତିରେ ଆମେରିକା, ଭାରତ, ଫ୍ରାନ୍ସ ଓ ବ୍ରିଟେନ୍‌ କୌଣସି ବି ପ୍ରକାରେ ପାକିସ୍ତାନକୁ କୋହଳ ଦେବାକୁ ପ୍ରସ୍ତୁତ ନାହାନ୍ତି। କିନ୍ତୁ ନିଜ ପ୍ରଦର୍ଶନକୁ ଦେଖି ପାକିସ୍ତାନ ଆଶାବାଦୀ ରହିଛି ଯେ, ଏଫଏଟିଏଫରୁ ବହୁତ ଭଲ ଖବର ମିଳିବ।

ଯଦି ପାକିସ୍ତାନ ପୁଣି ଥରେ ଗ୍ରେ ଲିଷ୍ଟରେ ରହେ ତେବେ ଏହାର ସ୍ଥିତି ଆହୁରି ଦୟନୀୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପାକିସ୍ତାନକୁ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ(ଆଇଏମଏଫ), ବିଶ୍ଵ ବ୍ୟାଙ୍କ ଓ ୟୁରୋପୀୟ ସଂଘରୁ ଆର୍ଥିକ ସାହାୟତା ମିଳିବା ମୁସ୍କିଲ ହୋଇଯିବ। ପୂର୍ବରୁ କାଙ୍ଗାଳ ଅବସ୍ଥା ଦେଇ ଗତି କରୁଥିବା ପାକିସ୍ତାନର ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡିବ। ଅନ୍ୟ ଦେଶରୁ ପାକିସ୍ତାନକୁ ଆର୍ଥିକ ସହାୟତା ମିଳିବା ବନ୍ଦ ହୋଇଯିବ। କୌଣସି ବି ଦେଶ ଆର୍ଥିକ ଭାବେ ଅସ୍ଥିର ଦେଶରେ ନିବେଶ କରିବାକୁ ଚାହିଁବେ ନାହିଁ। ପାକିସ୍ତାନକୁ ୨୦୧୮  ଜୁନରେ ଧୂସରତାଲିକାଭୁକ୍ତ କରାଯାଇଥିଲା।  ୨୦୧୮ ଅକ୍ଟୋବର ଓ ୨୦୧୯ ଫେବୃଆରୀରେ ହୋଇଥିବା ସମୀକ୍ଷା ବୈଠକରେ ପାକିସ୍ତାନକୁ କୌଣସି ଆଶ୍ଵସ୍ତି ମିଳିନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.