କ'ଣ କୋହଲିଙ୍କୁ ପ୍ରଥମ ଆଇସିସି ଟାଇଟଲ୍ ଦେଇ ପାରିବେ ଧୋନୀ ? ଅଧିନାୟକତ୍ଵ ନେଇ ଅପେକ୍ଷାରେ ଆଉ ଜଣେ ଦିଗ୍‌ଜ

Published By : Prameya-News7 Bureau | September 12, 2021 IST

ନୂଆଦିଲ୍ଲୀ ୧୨।୦୯: ବିରାଟ କୋହଲିଙ୍କ ନେତୃତ୍ଵରେ ଭାରତୀୟ ଦଳ ବିଶ୍ଵ କପ୍ ଖେଳିବାକୁ ପ୍ରସ୍ତୁତ କରୁଛି। କିନ୍ତୁ ଗୋଟିଏ ସପ୍ତାହ ହେବ ଭାରତୀୟ କ୍ରିକେଟ୍‌ରେ ନାଟକୀୟ ପରିସ୍ଥିତି ଦେଖିବାକୁ ମିଳିଛି। ସେପ୍ଟେମ୍ବର ୬ରେ ଓଭାଲ ଟେଷ୍ଟରେ ଭାରତୀୟ ଦଳ ଦମଦାର ବିଜୟ  ହାସଲ କରିଥିଲା। ଏହା ପରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ଅନେକ ଦିଗ୍‌ଜ ଖେଳାଳି କୋହଲିଙ୍କ ଅଧିନାୟକତ୍ଵ ଖୁବ୍ ପ୍ରଶଂସା କରିଛନ୍ତି। ହେଲେ ମ୍ୟାଚ୍ ଜିତିବାର ଦୁଇ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୮ରେ ବିଶ୍ଵ କପ୍ ପାଇଁ ଦଳ ଘୋଷଣା ହୋଇଛି। ହେଲେ କୋହଲିଙ୍କୁ ଏଥର କୋଚ୍ ବ୍ୟତୀତ ମେଣ୍ଟର ମଧ୍ୟ ମିଳିଛି। ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କୁ ବିସିସିଆଇ ଏହି ଗୁରୁ ଦାୟିତ୍ଵ ଦେଇଛି। ଟି-୨୦ ବିଶ୍ଵ କପ୍ ଅକ୍ଟୋବର ୧୭ରୁ ଆରମ୍ଭ ହେଉଛି।

ଏମଏସ ଧୋନୀ ହେଉଛନ୍ତି ଭାରତର ସବୁଠୁ ସଫଳ ଅଧିନାୟକ। ତାଙ୍କ ନେତୃତ୍ଵରେ ଭାରତୀୟ ଦଳ ଟି-୨୦ ବିଶ୍ଵ କପ, ଦିନିକିଆ ବିଶ୍ଵ କପ୍ ଓ ଚାମ୍ପିଅନ୍ସ ଟ୍ରଫି  ଜିତିଛି। ଅନ୍ୟପଟେ ବିରାଟ କୋହଲି ୨୦୧୭ ଚାମ୍ପିଅନ୍ସ ଟ୍ରଫି, ୨୦୧୯ରେ ଦିନିକିଆ ବିଶ୍ଵ କପ୍ ଏବଂ ୨୦୨୧ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍‌ ପରେ ବି ଗୋଟିଏ ହେଲେ ଆଇସିସି ଟ୍ରଫ ଜିତି ପାରି ନାହାନ୍ତି।  ଇଣ୍ଡିଆନ ଏକ୍ସପ୍ରେସ୍ ଅନୁଯାୟୀ, ଏହା ପୂର୍ବରୁ ସିନିୟର ଖେଳାଳିଙ୍କୁ ଦଳ ସହ ଯୋଡା ଯାଇଥିଲା। ୨୦୧୪ରେ ଇଂଲଣ୍ଡ ଗସ୍ତରେ ରାହୁଲ ଦ୍ରାବିଡଙ୍କୁ ଦଳର ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଥିଲା। ଧୋନୀ ଏବେ କ୍ରିକେଟ୍‌ରେ ସକ୍ରିୟ ଅଛନ୍ତି ଏବଂ  ଆଇପିଏଲ ମଧ୍ୟ ଖେଳୁଛନ୍ତି। ପ୍ରଥମ ଥର ଜଣେ ସକ୍ରିୟ ଖେଳାଳିଙ୍କୁ ଏତେ ବଡ ଦାୟିତ୍ଵ ମିଳିଛି।

ଏମଏସ ଧୋନୀଙ୍କ ଉପରେ ଏକ ଖାସ୍ ଦାୟିତ୍ଵ ଦିଆଯାଇଛି। ତାଙ୍କ ଉପରେ ବିରାଟ କୋହଲିଙ୍କୁ ପ୍ରଥମ ଆଇସିସି ଟ୍ରଫି ଦେବାର ଭାର ରହିଛି। ଧୋନୀ ନିଜ ଅଧିନାୟକତ୍ଵରେ ଅନେକ ଇତିହାସ ରଚିଛନ୍ତି। ସେ ସୀମିତ ଓଭର କ୍ରିକେଟ୍‌ରେ ଜଣେ ବିଚକ୍ଷଣ ଅଧିନାୟକ। ତାଙ୍କ ନେତୃତ୍ଵରେ ଦଳ ଶେଷ ଥର ୨୦୧୩ରେ ଆଇସିସି ଟ୍ରଫି ଜିତିଥିଲା। ବିସିସିଆଇ ଅନୁଯାୟୀ, ଧୋନୀଙ୍କ ବ୍ୟତୀତ ଆଉ କେହି ଏହି ଦଳକୁ ଭଲ ଭାବେ  ବୁଝି ପାରିବେ ନାହିଁ। ତାଙ୍କ ପାଖରେ ଅନୁଭବ ରହିଛି ଏବଂ ଖେଳାଳି ତାଙ୍କ ଉପରେ ଭରସା ମଧ୍ୟ ରଖୁଛନ୍ତି।

ଅଧିନାୟକତ୍ଵ ନେଇ ଉଠୁଛି ସ୍ଵର

ଗତ କିଛି ସମୟରୁ ବିରାଟ କୋହଲିଙ୍କ ଅଧିନାୟକତ୍ଵକୁ ନେଇ ପ୍ରଶ୍ନ ଉଠି ଆସିଛି। ତାଙ୍କର ଦଳ ଚୟନ ଏବଂ ରଣନୀତି ଉପରେ ମଧ୍ୟ ଆଲୋଚନା ହେଉଛି। ପ୍ରତ୍ୟେକ ସଫଳ ଦଳରେ ଗୋଟିଏ କୋର ଗ୍ରୁପ ହୋଇଥାଏ। ମାତ୍ର କୋହଲିଙ୍କ ଅଧିନାୟକତ୍ଵରେ ପ୍ରତ୍ୟେକ ଖେଳାଳିଙ୍କୁ ଯେମିତି ହେଲେ ଅତି କମରେ ଥରୁଟିଏ ଦଳରୁ ବାହାରିବାକୁ ପଡିଛି। ଅନେକ ସିନିୟର ଖେଳାଳି ଦଳରେ ନିଜର ସ୍ଥାନ ସୁନିଶ୍ଚିତ କରି ପାରି ନାହାନ୍ତି। ଏହି କାରଣରୁ କେହି ଅଧିନାୟକତ୍ଵ ପାଇଁ ଦାବିଦାର ହୋଇ ପାରି ନାହାନ୍ତି। କିନ୍ତୁ ଏବେ କୋହଲିଙ୍କ ସାମ୍ନାରେ ରୋହିତ ଶର୍ମା ଅଛନ୍ତି।  ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପରେ କୋହଲିଙ୍କ ଅଧିନାୟକତ୍ଵକୁ ନେଇ ଅନେକ କଥା ଉଠିଥିଲା। ରୋହିତ  ଶର୍ମାଙ୍କୁ ଅଧିନାୟକ କରାଯିବାର ଦାବି ଉଠିଥିଲା। ୨୦୨୦ରେ ରୋହିତ ଶର୍ମା ଆହତ ହେବା ପରେ ବି ଖେଳିଥିଲେ। ସେହି ସମୟରେ ମଧ୍ୟ କୋହଲି ପ୍ରଶ୍ନ ଉଠାଇଥିଲେ। ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଆର ଅଶ୍ଵିନଙ୍କୁ ନେଇ କୋହଲି ମାର୍ଚ୍ଚ ମାସରେ ଆଶ୍ଵସ୍ତ ନଥିଲେ। ମାତ୍ର ଆଜି ଅଶ୍ଵିନ ବିଶ୍ଵ କପ୍ ଖେଳିବାକୁ ଯାଉଛନ୍ତି। ଅର୍ଥାତ ଏବେ ତାଙ୍କ ନିର୍ଣ୍ଣୟର ବୀପରିତ ନିର୍ଣ୍ଣୟ ଦେଖିବାକୁ ମିଳିଛି।

ଯଦି ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ଵ କପରେ ଭାରତ ଆଶାନୁରୂପ ପ୍ରଦର୍ଶନ ନକରେ ତେବେ ପୁଣି ଥରେ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ନେଇ ଦାବି ଜୋର ଧରିବ। କାରଣ ରୋହିତଙ୍କ ନେତୃତ୍ଵରେ ଭାରତ ଏସିଆ କପ୍ ଜିତିବା ସହ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଚାମ୍ପିଅନ ହୋଇଛି। ରୋହିତ ନିଜର ଅଧିନାୟକତ୍ଵ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ତାଙ୍କ ନେତୃତ୍ଵକୁ ମଧ୍ୟ ଖୁବ୍ ପ୍ରଶଂସା କରାଯାଇଛି। ତେଣୁ ବିରାଟ କୋହଲିଙ୍କ ଉପରେ ଟି-୨୦ ବିଶ୍ଵ କପ୍ ଟାଇଟଲ୍ ଜିତିବାର ଅତିରିକ୍ତ ଚାପ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.