ବରୁଣଙ୍କ ଭଳି ଅବସ୍ଥା ଭୋଗିବା ଆଗରୁ ବାପାଙ୍କ ବାଟରେ ଯିବେକି ଜ୍ୟୋତିରାଦିତ୍ୟ ସିନ୍ଧିଆ ?
14/03/2020 at 4:10 PM

ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗଦେବା ପରଠାରୁ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଅଟକଳ ଜାରି ରହିଛି। ରାହୁଲଙ୍କ ଭଳି ହେବାକୁ ଚାହୁଁ ନଥାଇପାରନ୍ତି ସିନ୍ଧିଆ, ସଚ୍ଚିନଙ୍କ ଭଳି ହେବାକୁ ଭାବିଥାଇପାରନ୍ତି। କିଛି ରାଜନୈତିକ ବିଶେଷଜ୍ଞଙ୍କ ଆଶଙ୍କା ବିଜେପିରେ ବରୁଣ ଗାନ୍ଧିଙ୍କ ଭଳି ଅବସ୍ଥା ହେବନିତ ସିନ୍ଧିଆଙ୍କର ? ବିଜେପି ଏବେ ଇନ୍ଦିରା ଗାନ୍ଧିଙ୍କ ସମୟରେ ନାହିଁ। ଯେତେବେଳେ ସଂସଦରେ ନିଜ ଲାଗି ଆସନଟିଏ ଯୋଗାଡ ଲାଗି ସଂଘର୍ଷ କରୁଥଲା। ଏଥିରେ ସିନ୍ଧିଆଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଏଭଳି ଚିନ୍ତା ଉଦ୍ରେକ ହେବା ସ୍ୱଭାବିକ।

ରାଜନୀତିରେ ୨ ପ୍ରକାର ନେତା ଥାନ୍ତି। ଦଳେ ଲୋକଙ୍କ ସହ ଲୋକମତରେ ନିର୍ବାଚିତ ହୋଇ ଲୋକଙ୍କ ବଳରେ କ୍ଷମତା ହାସଲ କରନ୍ତି। ଆଉ ଦଳେ ହେଉଛନ୍ତି ଦରବାରୀ। ଯେଉଁମାନେ ଦଳର ଆବଶ୍ୟକତା ଅନୁସାରେ ସମୟ ଓ ସୁଯୋଗରେ ନେତା ହେବାର ସୌଭାଗ୍ୟ ପାଇଥାନ୍ତି। ଏପରି ନେତା ଭାବେ ରାହୁଲ, ଜ୍ୟୋତିରାଦିତ୍ୟ ଆଦିଙ୍କୁ ଗଣାଯାଇପାରେ। ଯେଉଁମାନଙ୍କୁ ରାଜନୀତି ଉତ୍ତରାଧିକାରରେ ମିଳିଛି।

ତେବେ ସଚ୍ଚିନ ପାଇଲଟ ମଧ୍ୟ ଏମାନଙ୍କ ଭଳି ଥିଲେ। ପିତାଙ୍କ ଉତ୍ତରାଧିକାରୀ ଭାବେ ସେ ରାଜନୀତିକୁ ଆସିଥିଲେ। ହେଲେ ରାଜନୀତିରେ ନିଜ ଲାଗି ସ୍ଥାନ ସୃଷ୍ଟି କରିବାରେ ଏବେ ସଚ୍ଚିନ ସକ୍ଷମ ହୋଇଛନ୍ତି। ରାଜସ୍ଥାନରେ ଏବେ ଉପମୁଖ୍ୟମନ୍ତ୍ରୀ ଥିବା ସଚ୍ଚିନ ତାଙ୍କ ଜନସମର୍ଥନରେ ସେ ତାଙ୍କ ପାର୍ଟିକୁ ମଧ୍ୟ ଧମକାଇପାରୁଛନ୍ତି। ସଚ୍ଚିନଙ୍କ ସହ ଯଦି ଜ୍ୟାତିରାଦିତ୍ୟଙ୍କୁ ଏବେ ତୁଳନା କରାଯାଏ ତେବେ ଆକାଶ ପାତାଳ ଫରକ ଦେଖିବାକୁ ମିଳିବ। ଗତ ଲୋକସଭା ନିର୍ବାଚନରେ ଜ୍ୟୋତିରାଦିତ୍ୟ ତାଙ୍କ ପାରିବାରିକ ଆସନ ଗୁନାକୁ ବି ବଞ୍ଚାଇ ରଖିପାରିନଥିଲେ। ଏହି ଆସନରୁ ତାଙ୍କ ଜେଜେମା ବାରମ୍ବାର ନିର୍ବାଚିତ ହୋଇଥିବା ବେଳେ ତାଙ୍କ ପିତା ମାଧବ ରାଓ ସିନ୍ଧିଆ ମଧ୍ୟ ପାର୍ଟିରେ ବିଦ୍ରୋହ କରି ଏଠାରୁ ନିର୍ଦ୍ଦଳୀୟ ନିର୍ବାଚିତ ହୋଇଥିଲେ। ହୁଏତ ଜ୍ୟୋତିରାଦିତ୍ୟ ସେତେବେଳର ମୋଦି ଲହରକୁ ଏଥିଲାଗି ଦାୟୀ କରିପାରନ୍ତି। ହେଲେ ଗୁନାରେ ସେ ତାଙ୍କର ନିକଟତମ ତଥା ବିଶ୍ୱସ୍ଥ ସହଯୋଗୀ କୃଷ୍ମପାଲ ସିଂହଠାରୁ ହାରିଛନ୍ତି ଏବଂ ଏହା କେବଳ ତାଙ୍କର ରାଜାର ଅହଂକାର ତଥା ପାରିବାର ସଦସ୍ୟଙ୍କ ବେପରୁଆ ଆଚରଣରୁ ହୋଇଥିବା ଆଲୋଚନା ହୁଏ।

କଂଗ୍ରେସରେ କଣ ଠେସା ହୋଇଯାଇଥିଲେ ଜ୍ୟୋତିରାଦିତ୍ୟ। ଏଣୁ ତାଙ୍କର ରାଜନୈତିକ ଭବିଷ୍ୟତ ରାହୁଲଙ୍କ ଭଳି ହୋଇଯାଉଥିବା ଅନୁଭବ କରିଥିଲେ। ଯିଏ ନିଜ ଭାଗ୍ୟ ଚମକେଇବା ଲାଗି ଜଣେ ମହିଳାଙ୍କ ଅପେକ୍ଷାରେ ଅଛନ୍ତି। ଏଣୁ ଦଳରେ ବିଦ୍ରୋହ କରିବା ବ୍ୟତୀତ ଜ୍ୟୋତିରାଦିତ୍ୟଙ୍କ ହାତରେ ଅନ୍ୟପନ୍ଥା ନଥିଲା। ତେବେ ବିଜେପିରେ ଜ୍ୟୋତିରାଦିତ୍ୟଙ୍କର ଆବଶ୍ୟକତା ଥିଲା କି ନା ତାହା ହଁ ହେଉଛି ସମୟର ବଡ ପ୍ରଶ୍ନ। ହୁଏତ କୁହାଯାଇପାରେ ଥିଲା, କାରଣ ମଧ୍ୟପ୍ରଦେଶରେ ବିଜେପିର ଅପରେସନ କମଲ ଥଣ୍ଡା ହୋଇଯାଇଥିଲା। ଏଥିରେ ଜ୍ୟୋତିରାଦିତ୍ୟଙ୍କ ମନ ପରିବର୍ତ୍ତନ ରାଜ୍ୟରେ କ୍ଷମତା ପରିବର୍ତ୍ତନ ଲାଗି ବିଜେପି ପାଇଁ ଏବେ ସୁଯୋଗ ସୃଷ୍ଟି କରିଛି।

ଏକ ସମୟ ଥିଲା ବିଜେପିକୁ ଗାନ୍ଧିପରିବାରର ୨ ଜଣ ସଦସ୍ୟ ମେନକା ଓ ବରୁଣ ଗାନ୍ଧି ଚାଲିଆସିଥିଲେ। ଦଳ ନିଜକୁ ବେଶ୍ ମଜଭୁତ ଅନୁଭବ କରିଥିଲା। ୨୦୦୪ ମସିହାରେ ମେନକା ଓ ବରୁଣ ବିଜେପିରେ ଯୋଗଦେବା ସମୟ ଠାରୁ ଏବେକାର ପରିସ୍ଥିତି ଅନେକ ବଦଳି ଯାଇଛି। ମେନକାଙ୍କର ଆଉ ପୋର୍ଟଫୋଲିଓ ନଥିବା ବେଳେ ବରୁଣ ନିଜକୁ ୟୁପିର ଆଗାମୀ ମୁଖ୍ୟମନ୍ତ୍ରୀ ପ୍ରତ୍ୟାସୀ ଭାବେ ପ୍ରୋଜେକ୍ଟ କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ବାସ୍ତବରେ ଦେଖିବାକୁ ଗଲେ ବିଜେପି ସେମାନଙ୍କ ରାଜନୈତିକ ଭବିଷ୍ୟତକୁ ସମାପ୍ତ କରିଦେଇଛି ବୋଲି କୁହାଯାଇପାରେ।

ଏଥିରେ ରାହୁଲ ଗାନ୍ଧି ହେବାକୁ ଚାହୁଁ ନଥିବା ଜ୍ୟୋତିରାଦିତ୍ୟ ମଧ୍ୟପ୍ରଦେଶରେ ସଚ୍ଚିନ ପାଇଲଟ ବି ହୋଇପାରିବେନି। ହୁଏତ ବିଜେପି ତାଙ୍କୁ ଏବେ ମୁଣ୍ଡରେ ବୋହି ବୁଲିପାରେ ହେଲେ ଆଗକୁ ତାଙ୍କୁ ବରୁଣ ଗାନ୍ଧି ନ କରିଦେବ ତାହା ଏବେଠାରୁ କୁହାଯାଇପାରିବନି। ଯଦି ଜ୍ୟୋତିରାଦିତ୍ୟ ଆଗକୁ ବିଜେପିରେ ବରୁଣ ହେବାକୁ ନଚାହିଁବେ ତେବେ ତାଙ୍କ ପିତାଙ୍କ ମାର୍ଗ ନିଶ୍ଚିତ ଅନୁସାରଣ କରିବେ ବୋଲି ଆକଳନ କରାଗଲାଣି। ଅତୀତରେ ମାଧବ ରାଓ ସିନ୍ଧିଆ କଂଗ୍ରେସରେ ବିଦ୍ରୋହ କରି ଦଳରୁ ଅଲଗା ହୋଇଯାଇଥିଲେ। ନିଜ ଦଳ ଗଢି ପ୍ରାର୍ଥୀ ବି ଜିତାଇଥିଲେ। ରାଜ୍ୟରେ ଏକଦା କିଙ୍ଗମେକର ହୋଇଥିବା ମାଧବରାଓ ଶେଷରେ ପୁଣି କଂଗ୍ରେସକୁ ଫେରିଯିବାକୁ ବାଧ୍ୟ ହୋଇଥିଲେ। ଏଣୁ ଜ୍ୟୋତିରାଦିତ୍ୟଙ୍କ କ୍ଷେତ୍ରରେ ବି ଏବେ ସେଇଆ ଅନୁଭବ କରୁଛନ୍ତି ରାଜନୈତିକ ସମୀକ୍ଷକ।