ଆତଙ୍କବାଦୀ ଆଡ୍ଡା ପାକିସ୍ତାନକୁ କରୋନା ଭ୍ୟାକସିନ୍ ଦେବ କି ଭାରତ ? ଜାଣନ୍ତୁ…
17/01/2021 at 6:26 PM

ନୂଆଦିଲ୍ଲୀ ୧୭/୦୧ : ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା ଏବଂ ସହଯୋଗ କରୁଥିବା ପାକିସ୍ତାନକୁ, ଭାରତ ଭ୍ୟାକସିନ୍ ଦେବ କି ନାହିଁ ତାହା ଏବେ ସବୁଠାରୁ ବଡ ପ୍ରଶ୍ନ । କରୋନା ବିରୁଦ୍ଧରେ ଶେଷ ଲଢେଇ ଲଢୁଛି ଭାରତ । ଦେଶରେ ଆରମ୍ଭ ହୋଇଯାଇଛି ଟିକାକରଣ । ଅନ୍ୟଦେଶମାନଙ୍କୁ ମଧ୍ୟ ଟିକା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ପଡୋଶୀ ଦେଶଙ୍କ ସମେତ ଅନ୍ୟଦେଶମାନଙ୍କୁ ଟିକା ଯୋଗାଇଦେବାକୁ ଭାରତ ପକ୍ଷରୁ ସବୁଜ ସଙ୍କେତ ମଳିଛି ।
ତେବେ ଏହାରି ମଧ୍ୟରେ ପଡୋଶୀ ପାକିସ୍ତାନକୁ ଭାରତ ଭ୍ୟାକସିନ୍ ପଠାଇବ କି ନାହିଁ ତାହା ସବୁଠାରୁ ବଡ ପ୍ରଶ୍ନ । ତେବେ ପାକିସ୍ତାନକୁ ଭ୍ୟାକସିନ୍ର ଲାଭ ମିଳିବା ସମ୍ଭାବନା କମ । ଏହାର କାରଣ ହେଉଛି ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ବିବାଦ । ଚୀନର ଉହାନ୍ ସହରରେ ଯେତେବେଳେ ପାକିସ୍ତାନ ତାର ଛାତ୍ରମାନଙ୍କୁ ଚୀନ ହେପାଜତରେ ଛାଡିଦେଇଥିଲା ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେମାନେ ସାହାଯ୍ୟ ପାଇଁ କହିଥିଲେ । ମାନବିକତା ଦୃଷ୍ଟିରୁ ଭାରତ ସାହାଯ୍ୟର ହାତ ବଢାଇଥିଲା ।
ଭାରତରେ ବର୍ତ୍ତମାନ ଦୁଇ ଦୁଇଟି ଭ୍ୟାକସିନ୍ ସହିତ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଯାଇଛି । କିନ୍ତୁ ପାକିସ୍ତାନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଟିକା ଉପରେ ଗବେଷଣା କରିନାହିଁ କିମ୍ବା ଟିକା ବିକାଶ କରିନାହିଁ । ଭ୍ୟାକସିନ୍ ପାଇଁ କୌଣସି କମ୍ପାନୀଙ୍କ ସହ ଚୁକ୍ତି ମଧ୍ୟ କରିନାହିଁ ପାକିସ୍ତାନ । କଥା କଥାରେ ଭାରତକୁ ଚ୍ୟାଲେଞ୍ଜ ଦେଉଥିବା ପାକିସ୍ତାନର ଇମ୍ରାନ ଖାନ ସରକାର ଭ୍ୟାକସିନ୍ ମାମଲାରେ ପଛରେ ପଡିଯାଇଛନ୍ତି ।
ତେବେ ଅନ୍ୟ ଦେଶମାନଙ୍କୁ ଟିକା ଯୋଗାଇବାକୁ କିଛି ଦିନ ସମୟ ଲାଗିପାରେ । ଦେଶରେ ଭ୍ୟାକସିନ୍ର ଆବଶ୍ୟକତା ଏବଂ ଆକଳନ ପୂରା ହୋଇସାରିବା ପରେ ଅନ୍ୟ ଦେଶମାନଙ୍କୁ ଟିକା ଯୋଗାଣ ନେଇ ନିଷ୍ପତ୍ତି ନିଆଯିବ । ଏହା ସହ ଭାରତ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ଯେ, ଯେଉଁ ପଡୋଶୀ ଦେଶମାନଙ୍କୁ ଭ୍ୟାକସିନ୍ ଦେବାକୁ କୁହାଯାଇଛି ସେମାନଙ୍କୁ ଭ୍ୟାକସିନ୍ ପଠାଯିବ ।