ଟି-୨୦ ବିଶ୍ଵ କପ୍‌ ଦଳରୁ ନିଜ ସ୍ଥାନ ହରାଇ ପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ? ଚିନ୍ତାର କାରଣ ପାଲଟିଛି ଫର୍ମ ଓ ଫିଟନେସ୍

Published By : Prameya-News7 Bureau | October 09, 2021 IST

ଆବୁଧାବି ୦୯।୧୦: ଆଇପିଏଲ ୨୦୨୧ରେ ମୁମ୍ବାଇ ଇଣ୍ଡିଆନ୍ସର ଅଭିଯାନ ସମାପ୍ତ ହୋଇ ସାରିଛି। ଏଥିସହ ଟି-୨୦ ବିଶ୍ଵ କପ୍‌ରେ ସାମିଲ୍ ମୁମ୍ବାଇ ଇଣ୍ଡିଆନ୍ସର ୬ ଖେଳାଳିଙ୍କ ଫର୍ମକୁ ନେଇ ମଧ୍ୟ ବିତର୍କ ଆରମ୍ଭ  ହୋଇ ଯାଇଛି। ରୋହିତଙ୍କ ବ୍ୟତୀତ ମୁମ୍ବାଇ ଇଣ୍ଡିଆନ୍ସର ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ରାହୁଲ ଚହର ଏବଂ ଯଶପ୍ରୀତ ବୁମରା ଟି-୨୦ ବିଶ୍ଵ କପ୍‌ ଦଳର ସଦସ୍ୟ ଅଛନ୍ତି। ସବୁଠୁ ଅଧିକ ଚର୍ଚ୍ଚା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫର୍ମ ଏବଂ ଫିଟନେସ୍‌କୁ ନେଇ ଲାଗି ରହିଛି।

ଏହା ମଧ୍ୟ କୁହାଯାଉଛି ଯେ, ଦଳରୁ ତାଙ୍କୁ ବାଦ୍ ଦିଆଯାଇପାରେ। ଏହାର କାରଣ ଆଇପିଏଲରେ ତାଙ୍କର ଖରାପ ପ୍ରଦର୍ଶନ। ପାଣ୍ଡ୍ୟା ବ୍ୟାଟିଂରେ ଦଳକୁ ନିରାଶ କରିଛନ୍ତି ଏବଂ ପୂରା ଟୁର୍ଣ୍ଣାମେଣ୍ଟରେ ମାତ୍ର ୧୨୭ ରନ କରିଛନ୍ତି। ତାଙ୍କର ବ୍ୟାଟିଂ ହାର ୧୪.୧୧ ରହିଥିବା ବେଳେ ଷ୍ଟ୍ରାଇକ୍ ରେଟ୍ ୧୧୩.୩୯ ରହିଛି। ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ୍ ଉପରେ କହିଛନ୍ତି ଯେ, ସେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ବଲ୍ ଫିଙ୍ଗି ନାହାନ୍ତି।

ରୋହିତଙ୍କ ଏହି ବୟାନ ପରେ ଏହି ଆଶଙ୍କା ସୃଷ୍ଟି ହୋଇଛି ଯେ, ହାର୍ଦ୍ଦିକ ଟି-୨୦ ବିଶ୍ଵ କପ୍‌ ପାଇଁ ଭାରତୀୟ ଦଳରେ ନିଜର ସ୍ଥାନ ବଜାୟ ରଖି ପାରିବେ କି ନାହିଁ ? ପାଣ୍ଡ୍ୟା ଆଇପିଏଲ ୨୦୨୧ରେ ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୦ ରନ କରିଥିଲେ। ମାତ୍ର ଟି-୨୦ ବିଶ୍ଵ କପ୍‌ ଉପରେ ନଜର ପକାଇଲେ ତାଙ୍କର ବୋଲିଂ ଫିଟନେସ୍ ଚିନ୍ତାର ବିଷୟ ପାଲଟିଛି।

ୟୁଏଇରେ ଆଇପିଏଲ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଥମ ଦୁଇଟି ମୁକାବିଲାରେ ବାହାରେ ରହିବା ପରେ ହାର୍ଦ୍ଦିକ ମୁମ୍ବାଇ ପାଇଁ ଜଣେ ବ୍ୟାଟସମ୍ୟାନ ଭାବେ ଦଳରେ ସାମିଲ୍ ହୋଇଥିଲେ। ହେଲେ ସେ ବୋଲିଂ କରିନଥିଲେ। ଏହା ପୂର୍ବରୁ ଭାରତରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରେ ମଧ୍ୟ ସେ ଗୋଟିଏ ହେଲେ ବଲ୍ ଫିଙ୍ଗିନଥିଲେ।

ରୋହିତ କହିଛନ୍ତି, ଫିଜିଓ, ଟ୍ରେନର ଓ ମେଡିକାଲ୍ ଟିମ୍ ତାଙ୍କ ବୋଲିଂ ଉପରେ କାମ କରୁଛନ୍ତି। ମୋତେ ଯେତିକି ଜଣା ସେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ବଲ୍ ବୋଲିଂ କରି ନାହାନ୍ତି। ଆମେ ଚାହୁଁଛୁ ଯେ, ସମୟ ଆସିଲେ ତାଙ୍କୁ ମ୍ୟାଚ୍‌ରେ ଗୋଟିଏ ଓଭର ବୋଲିଂ କରାଇ ତାଙ୍କର ଫିଟନେସ୍ ପରୀକ୍ଷା ନିଆଯାଉ।

ରୋହିତ କହିଛନ୍ତି, ଡାକ୍ତର ଓ ଫିଜିଓ ଏହି ବିଷୟରେ ଆମକୁ ସଠିକ୍ ରିପୋର୍ଟ ଦେଇ ପାରିବେ। ବ୍ୟାଟିଂ କ୍ରମରେ ହାର୍ଦ୍ଦିକ ଦଳକୁ କିଛିଟା ନିରାଶ କରିଛନ୍ତି, ମାତ୍ର ଆମକୁ ଜଣା ଯେ, ତାଙ୍କ ନିକଟରେ କଣ ଗୁଭବତ୍ତା ରହିଛି। ସେ ଜଣେ କ୍ଵାଲିଟି ଖେଳାଳି ଏବଂ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ଭାରତୀୟ ଦଳର ଉପ ଅଧିନାୟକ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.