ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପ୍ରଶ୍ନ- କଣ ଚୀନ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ? ମିଳିଲା ଏମିତି ଜବାବ
14/04/2020 at 8:15 PM

ଓ୍ଵାଶିଂଟନ ୧୪।୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଥରେ କି ଦୁଇ ଥର ନୁହଁ ଅନେକ ଥର ଖୁଲମଖୁଲା ଚୀନ ବିରୋଧରେ ବୟାନ ଦେଇଛନ୍ତି। ବ୍ରିଟେନ୍ର ଗୁଇନ୍ଦା ଏଜେନ୍ସି କରୋନା ଉହାନର ଲ୍ୟାବ୍ରୁ ଲିକ୍ ହୋଇଥିବା ଆରୋପ ଲଗାଇ ସାରିଛି। ଜାପାନ ଚୀନର ଚାଲ୍କୁ ବୁଝି ସେଠାରୁ ନିଜର କମ୍ପାନୀକୁ ପ୍ରତ୍ୟାହାର କରିବାକୁ ପ୍ରସ୍ତୁତି କରୁଛି। ଅନ୍ୟପଟେ ଜର୍ମାନୀ ଚାନ୍ସେଲର କରୋନା ପୂର୍ବରୁ ଅନେକ ପ୍ରସଙ୍ଗରେ ଚୀନ ଉପରେ ଅବିଶ୍ଵାସ ପ୍ରକଟ୍ କରି ଆସିଛନ୍ତି। ଉଲ୍ଲେଖଯୋଗ୍ୟ, ଚୀନର ଉହାନରୁ ବ୍ୟାପିଥିବା କରୋନା ଭାଇରସ୍ରେ ସଂପ୍ରତି ଦୁନିଆରେ ୧ ଲକ୍ଷ ୧୯ ହଜାର ୯୬୬ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଟପିଛି।
ଆମେରିକା ବର୍ତ୍ତମାନ କରୋନାର ସବୁଠୁ ବଡ ଲଢେଇ ଲଢୁଛି। ଚୀନ ଉପରେ ଆମେରିକାର ଅସନ୍ତୋଷ ବଢିବାରେ ଲାଗିଛି। ରାଷ୍ଟ୍ରପତି ଟ୍ରମ୍ପ ଚୀନକୁ ସ୍ପଷ୍ଟ ଶବ୍ଦରେ ଧମକ ଦେଇଛନ୍ତି ଯେ, କରୋନା ସମ୍ବନ୍ଧିତ ସୂଚନାକୁ ଲୁଚାଇଥିବା ଚୀନକୁ ଏହାର ପରିଣାମ ଭୋଗିବାକୁ ପଡିବ। ରାଷ୍ଟ୍ରପତି ଟ୍ରମ୍ପ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା ମଧ୍ୟ କହିଛନ୍ତି ଯେ, ଚୀନ ବହୁତ ଶୀଘ୍ର ଜାଣିବ ଯେ, ସତ ଲୁଚାଇବାର ପରିଣାମ କେମିତି ଭୋଗିବାକୁ ପଡେ।

ହ୍ଵାଇଟ୍ ହାଉସ୍ରେ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକ ବାରମ୍ବାର ପ୍ରଶ୍ନ କରିଥଲେ ଯେ, ଏଥିପାଇଁ ଚୀନକୁ କଣ ପାଇଁ ଖରାପ ପରିଣାମ ଭୋଗିବାକୁ ପଡୁନାହିଁ ? ଏହାର ଜବାବରେ ଟ୍ରମ୍ପ କହିଛନ୍ତି ଯେ, ଆପଣ କେମିତି ଜାଣିବାକୁ ପାଇଲେ ଯେ, ଚୀନକୁ ଦୁଷ୍ପରିଣାମ ଭୋଗିବାକୁ ପଡିବ ନାହିଁ ? ଏହି ବିଷୟରେ ବାରମ୍ବାର ପ୍ରଶ୍ନ ପଚରାଯିବାରୁ ଟ୍ରମ୍ପ କହିଛନ୍ତି ଯେ, ମୁଁ ଏହି ବିଷୟରେ ଆପଣଙ୍କୁ କିଛି କହିବି ନାହିଁ। ମୁଁ ଆପଣଙ୍କୁ କଣ ପାଇଁ କହିବି ?
ଅନ୍ୟପଟେ ଆମେରିକା ଚୀନକୁ ଉଚିତ୍ ଶିକ୍ଷା ଦେବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ସିନେଟର ଷ୍ଟିଭ୍ ଡେନ୍ସ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚୀନ ବିରୋଧରେ ଚିଠି ଲେଖିଛନ୍ତି। ସେ ଚିଠିରେ ଚୀନର ଡାକ୍ତରୀ ଉପକରଣ ଆମଦାନୀ କରିବା ଓ ନିର୍ଭରତା ଶେଷ କରିବାକୁ ଦାବି କରିଛନ୍ତି। ଚାରି ରିପବ୍ଲିକନ ସାଂସଦ ଚୀନ ଉପରେ ନିର୍ଭରତା କମ କରିବାକୁ ବିଧେୟକ ଉପସ୍ଥାପନ କରିଛନ୍ତି। ଆମେରିକାରୁ ଯାହା ସଙ୍କେତ ମିଳୁଛି ସେଥିରୁ ଜଣା ପଡୁଛି ଯେ, ଚୀନରୁ ନିଜର କମ୍ପାନୀ ପ୍ରତ୍ୟାହାର କରିବାକୁ ଟ୍ରମ୍ପ ସରକାର ପ୍ରସ୍ତୁତି କରୁଛନ୍ତି। ଏଠାରେ କହି ରଖୁଛୁ ଯେ, ଚୀନ ପ୍ରତି କ୍ରୋଧ କେବଳ ଆମେରିକାର ନୁହଁ ଏମିତି ଅନେକ ଦେଶ ଅଛନ୍ତି।