ଦ୍ବିତୀୟ ଭଳି ତୃତୀୟ ଲହର ଘାତକ ହେବ କି ? ଜାଣନ୍ତୁ ବିଶେଷଜ୍ଞଙ୍କ ଜବାବ

Published By : Prameya-News7 Bureau | June 09, 2021 IST

ନୂଆଦିଲ୍ଲୀ ୯/୬: କରୋନାର ଦ୍ବିତୀୟ ଲହର ତାଣ୍ଡବ ରଚି ଧିରେ ଧିରେ ଅପସରି ଯିବାକୁ ଥିବା ବେଳେ ଏବେ ତୃତୀୟ ଲହର ଆଶଙ୍କା ଭୟ ବଢ଼ାଇଦେଇଛି। ଦ୍ବିତୀୟ ଲହର ଭଳି ତୃତୀୟ ଲହର ଘାତକ ହେବ କି ? ଏନେଇ ପ୍ରଶ୍ନ ଉଙ୍କିମାରୁଥିବା ବେଳେ ତୃତୀୟ ଲହର ପିଲାମାନଙ୍କ ପାଇଁ ଘାତକ ହୋଇପାରେ ବୋଲି ମଧ୍ୟ କୁହାଯାଉଛି। ଏହାକୁ ନେଇ ଭାରତୀୟ ବୈଷୟିକ ଶିକ୍ଷା ସଂସ୍ଥାନ  (ଆଇଆଇଟି) ବିଶେଷଜ୍ଞଙ୍କ ମତରେ ତୃତୀୟ ଲହର ପ୍ରଭାବ କମ ରହିପାରେ।

ତୃତୀୟ ଲହରକୁ ନେଇ ବିଶେଷଜ୍ଞମାନେ ଏକ ମଡେଲ୍‌ ତିଆରି କରୁଥିବା ବେଳେ ଆଗାମୀ ସପ୍ତାହରେ ଏହା ଉପରେ ବିସ୍ତୃତ ବିବରଣୀ ପ୍ରକାଶ କରିବେ ବୋଲି ଜଣାପଡ଼ିଛି। ଆଇଆଇଟି ପ୍ରଫେସର ମନିନ୍ଦର ଅଗ୍ରଓ୍ବାଲ୍‌ ଟ୍ବିଟ୍‌ କରି ଲେଖିଛନ୍ତି, ବ୍ରିଟେନରେ କରୋନାର ନୂଆ ଲହରକୁ ନେଇ ଚିନ୍ତା ଜାହିର କରାଯାଉଥିବା ବେଳେ ସଂକ୍ରମଣର ସଂଜ୍ଞାକୁ ଦେଖିଲେ ତୃତୀୟ ଲହର କମ ଘାତକ ହେବ ବୋଲି ଜଣାପଡ଼ୁଛି। ତେବେ ଏହା ଆଗକୁ ବଢ଼ିବ ନାହିଁ ବୋଲି ସଂକେତ ମିଳୁନାହିଁ।

ହିନ୍ଦୁସ୍ତାନକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ଏବେ ମଡେଲର ଫଳାଫଳକୁ ନେଇ ବିଶ୍ଳେଷଣ କରି ଅନ୍ତିମ ରୂପ ଦେବା ବାକି ଅଛି। କିନ୍ତୁ ପ୍ରାରମ୍ଭିକ ସଂକେତରୁ ଜଣାପଡ଼ୁଛି ତୃତୀୟ ଲହର ଅଧିକ ବଡ଼ ହେବ ନାହିଁ। ଏହା ପ୍ରଥମ ଏବଂ ଦ୍ବିତୀୟ ଲହର ତୁଳନାରେ ବହୁତ କମଜୋର ହୋଇପାରେ। ଏହା ସହ ସେ କହିଛନ୍ତି, ପରବର୍ତ୍ତୀ ଲହର କେବେ ଆସିବ  ଏବଂ ପ୍ରକୃତରେ ଏହାର ପ୍ରଭାବ କେତେ ରହିବ ଏହାର ବିଶ୍ଳେଷଣ କରାଯାଉଛି। ଏହାକୁ ନେଇ ଆଗାମୀ ସପ୍ତାହରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବ ।

ଅଗ୍ରଓ୍ବାଲ୍‌ କହିଛନ୍ତି ବ୍ରିଟେନରେ ତୃତୀୟ ଲହର ପୂର୍ବରୁ ଆସିସାରିଛି। ଚତୁର୍ଥ ଲହର ନଆସିବାର କାରଣ ଟିକାକରଣ ହୋଇପାରେ। ଦେଶରେ କରୋନା ଟିକାକରଣ ଜୋର ସୋରରେ ଚାଲିଛି। ଏହା ମଧ୍ୟ ସଂକ୍ରମଣ କମିବାର କାରଣ ହୋଇପାରେ । କିନ୍ତୁ ଏବେର କରୋନା ସ୍ଥିତି ପୂର୍ବାବସ୍ଥାକୁ ଫେରିବା ପାଇଁ ଆହୁରି ମାସେ ଲାଗିପାରେ ବୋଲି ସେ କହିଛନ୍ତି। ଫେବୃଆରୀ ମାସରେ କରୋନା ମାମଲା କମି ହଜାରେ ପାଖାପାଖି ପହଞ୍ଚିଯାଇଥିଲା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.