ବିଜେପିରେ ସାମିଲ୍ ହେବେ କ୍ୟାପଟେନ୍ ଅମରିନ୍ଦର ସିଂହ ? ଅମିତ୍ ଶାହାଙ୍କୁ ଭେଟିବାକୁ ବାସଭବନରେ ପହଞ୍ଚିଲେ

Published By : Prameya-News7 Bureau | September 29, 2021 IST

ନୂଆଦିଲ୍ଲୀ ୨୯।୦୯: ପଞ୍ଜାବ ରାଜନୀତିର ଗତି କେଉଁ ଆଡକୁ ଯିବ ତାହା କହିବା ବଡ ମୁସ୍କିଲ। ଗତକାଲି ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ନବଜୋତ ସିଂହ ସିଦ୍ଧୁ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଥିବା ବେଳେ ବୁଧବାରପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିଗ୍‌ଜ କଂଗ୍ରେସ ନେତା କ୍ୟାପଟେନ୍ ଅମରିନ୍ଦର ସିଂହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିବାକୁ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ଶାହା ଓ ଅମରିନ୍ଦର ଭେଟ ପଞ୍ଜାବ ରାଜନୀତିରେ ନୂତନ ମୋଡ ନେବାର ସମ୍ଭାବନା ରହିଛି। ଏହା ପୂର୍ବରୁ ଅମରିନ୍ଦର ପାର୍ଟିରେ ତାଙ୍କୁ ଘୋର ଅପମାନ କରାଯାଇଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

 ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ଗତକାଲି ଦିଲ୍ଲୀ ପହଞ୍ଚିଥିଲେ। ସେ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଥିଲେ ଯେ, ତାଙ୍କର ଏହା ସଂପୂର୍ଣ୍ଣ ବ୍ୟକ୍ତିଗତ ଦିଲ୍ଲୀ ଗସ୍ତ ଏବଂ କୌଣସି ରାଜନୈତିକ କାର୍ଯ୍ୟକ୍ରମ ନାହିଁ। ହେଲେ ବୁଧବାର ସନ୍ଧ୍ୟାରେ ସେ ଅମିତ୍ ଶାହାଙ୍କୁ  ଭେଟିବାକୁ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ତାଙ୍କର ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି।

wp:html /wp:html

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା  କ୍ୟାପଟେନ ଅମରିନ୍ଦର ସିଂହ ନିଜର ଆଗାମୀ ପଦକ୍ଷେପ ବିଷୟରେ କିଛି ମୁହଁ ଖୋଲି କହି ନାହାନ୍ତି। ହେଲେ ବର୍ତ୍ତମାନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିବା ପଞ୍ଜାବ ରାଜନୀତିରେ ଚହଳ ପକାଇଛି। ଇସ୍ତଫା ଦେବା ପରେ କ୍ୟାପଟେନ୍ କହିଥିଲେ ଯେ, ତାଙ୍କ ପାଖରେ ସବୁ ବିକଳ୍ପ ଖୋଲା ଅଛି। ସେ ନିଜର ସହଯୋଗୀଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ବିଷୟରେ ନିଷ୍ପତ୍ତି ନେବେ ବୋଲି କହିଥିଲେ। ଏବେ ପଞ୍ଜାବଠୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ରାଜନୈତିକ ମହଲରେ କ୍ୟାପଟେନ୍‌ଙ୍କ ବିଜେପିରେ ସାମିଲ୍ ହେବାର ସମ୍ଭାବନା ରହିଛି।

ଗତକାଲି ଚଣ୍ଡିଗଡରୁ ଦିଲ୍ଲୀ ପହଞ୍ଚିଥିବା କ୍ୟାପଟେନ୍ କହିଥିଲେ ଯେ, ସେ ଏଠାକୁ ଘର ଖାଲି କରିବାକୁ ଆସିଛନ୍ତି। ଏଠାରେ କୌଣସି ରାଜନୈତିକ ନେତାଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ନାହିଁ। ଏହା ସଂପୂର୍ଣ୍ଣ ମୋର ବ୍ୟକ୍ତିଗତ ଦିଲ୍ଲୀ ଗସ୍ତ। ମୁଁ କପୁରଥାଲା ହାଉସର ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିବାକୁ ଆସିଛି।

ଏହା ପୂର୍ବରୁ ଇସ୍ତଫା ପରେ କ୍ୟାପଟେନ୍ ଅମରିନ୍ଦର ସିଂହ ପରୋକ୍ଷରେ ସିଦ୍ଧୁଙ୍କୁ ପଞ୍ଜାବ ରାଜ୍ୟର ସୁରକ୍ଷାରେ ବିପଦ ଦର୍ଶାଇଥିଲେ। ତାଙ୍କ କହିବା କଥା ନବଜୋତ ସିଦ୍ଧୁ କଂଗ୍ରେସରେ ଜଣେ ବିପଦ ସଦୃଶ। କଂଗ୍ରେସ ତାଙ୍କୁ ସଭାପତି କରିବାର ନଥିଲା। ସିଦ୍ଧୁ ପାକିସ୍ତାନର ସେନା ପ୍ରମୁଖ ବାଜଓ୍ଵା ଓ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରମ ମିତ୍ର। ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ ତେବେ ରାଜ୍ୟର ସୁରକ୍ଷା ବିପଦରେ ପଡିଯିବ। ତେଣୁ ମୁଁ ଥିବା ଯାଏ ସିଦ୍ଧୁଙ୍କୁ କେବେ ବି  ମୁଖ୍ୟମନ୍ତ୍ରୀ କରିବାକୁ ଦେବି ନାହିଁ ବୋଲି ଅମରିନ୍ଦର ସିଂହ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.