ଚିଟଫଣ୍ଡରେ ସଂପୃକ୍ତି ଅଭିଯୋଗରେ ଜେଲ ଯାଇଥିବା କଟକ ଜିଲ୍ଲାର ଦୁଇ ବିଜେଡି ବିଧାୟକ ଏଥର ପାଇବେକି ଟିକେଟ ? ଜାଣିବା ପାଇଁ ପଢନ୍ତୁ ପୂରା ରିପୋର୍ଟ
14/02/2019 at 6:51 PM

କଟକ୧୪|୨: ନିର୍ବାଚନକୁ ନଜରରେ ରଖି ବିଜେଡିରେ ଆରମ୍ଭ ହୋଇଗଲାଣି ଟିକଟ ପାଇଁ ଛକାପଞ୍ଝା । ଚିଟ୍ଫଣ୍ଡରେ ଫସିଥିବା ବିଧାୟକ ଓ ସାଂସଦଙ୍କୁ ଏଥର ଟିକେଟ୍ ଦେଇନପାରେ ଦଳ । ଏମିତିରେ କଟକ କଥାକୁ ଯଦି ଦେଖିବା ତାହେଲେ କଟକର ଦୁଇ ପୁରୁଖା ନେତା ନିର୍ବାଚନ ଦୌଡ଼ରୁ ବାଦ୍ ପଡ଼ିବା ଏକ ରକମ ନିଶ୍ଚିତ । ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଏବଂ ଚୌଦ୍ବାର-କଟକ ବିଧାୟକ ପ୍ରଭାତ ବିଶ୍ବାଳ ଉଭୟ ଚିଟ୍ଫଣ୍ଡ ଲିଙ୍କ୍ ଅଭିଯୋଗରେ ଜେଲ୍ ଯାଇ ଏବେ ବେଲ୍ରେ ଅଛନ୍ତି । ତଥାପି ଦଳୀୟ ଟିକେଟ୍ ପ୍ରସଙ୍ଗରେ କିଏ କ’ଣ ଚିନ୍ତା କରିଛନ୍ତି ଚାଲନ୍ତୁ ତା’ ଉପରେ ଟିକେ ନଜର ପକାଇବା । ….

ବିଜେଡି ଟିକଟ ପାଇଁ ଚାଲିଲାଣି ଛକାପଞ୍ଝା । ବାଦ୍ ପଡ଼ିପାରନ୍ତି ବଦନାମ ନେତା । ଚିଟ୍ଫଣ୍ଡରେ ଫସିଥିବା ବିଧାୟକ ଓ ସାଂସଦଙ୍କୁ ଏଥର ଟିକେଟ୍ ଦେଇନପାରେ ଦଳ । ଏମିତିରେ କଟକରେ ଦୁଇ ପୁରୁଖା ନେତାଙ୍କୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ବାଙ୍କୀ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ଏବଂ ଚୌଦ୍ବାର-କଟକ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ପାଇଁ ଏଥର ରାସ୍ତା ସହଜ ହୋଇନପାରେ । ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଚିଟ୍ଫଣ୍ଡ ଲିଙ୍କ ଅଭିଯୋଗରେ ଜେଲ ଯାଇଥିଲେ । ହେଲେ ଜାମିନ୍ରେ ଆସିବା ପରେ ନିଜ ନିର୍ବାଚନ ମଣ୍ଡଳୀରେ ବେଶ୍ ସକ୍ରିୟ ଅଛନ୍ତି । ନିଜ ଅଂଚଳରେ ବେଶ୍ ପ୍ରଭାବ ସହ ପ୍ରଭାତ ତ୍ରିପାଠୀଙ୍କ ସଂଗଠନ ବି ମଜବୁତ୍ ଅଛି । ୨୦୦୯ ଓ ୨୦୧୪ ନିର୍ବାଚନରେ ବଡ଼ ବ୍ୟବଧାନରେ ଜିତିବା ପରେ ଏଥର ବାଙ୍କୀରୁ ହ୍ୟାଟ୍ରିକ୍ ବିଜୟ ଆଶାରେ ଅଛନ୍ତି ପ୍ରଭାତ ତ୍ରିପାଠୀ । ହେଲେ ଚିଟ୍ଫଣ୍ଡ ଲିଙ୍କ୍ ଅଭିଯୋଗର କଳାଦାଗ ତାଙ୍କ ଆଶାରେ ପାଣି ପକାଇଦେଇପାରେ । କିନ୍ତୁ ପ୍ରଭାତଙ୍କ କହିବା କଥା, ଦଳ ଯଦି ଜିତିବାର ସମ୍ଭାବନାକୁ ମାପକାଠି କରେ ତାହେଲେ ତାଙ୍କର ଟିକଟ ପାଇବା ନିଶ୍ଚିତ ।

ସେହିଭଳି ଚୌଦ୍ବାର-କଟକ ବିଧାୟକ ପ୍ରଭାତ ବିଶ୍ବାଳ ମଧ୍ୟ ତ୍ରିଶଙ୍କୁ ଅବସ୍ଥାରେ ଅଛନ୍ତି । କାରଣ ପ୍ରଭାତ ତ୍ରିପାଠୀଙ୍କ ଭଳି ପ୍ରଭାତ ବିଶ୍ବାଳଙ୍କର ମଧ୍ୟ ସମାନ ଅବସ୍ଥା । ସେ ମଧ୍ୟ ଚିଟ୍ଫଣ୍ଡ ଲିଙ୍କ୍ ଅଭିଯୋଗରେ ଜେଲ ଯାଇ ବେଲ୍ରେ ଆସିଛନ୍ତି । ହେଲେ ପ୍ରଭାତ ବିଶ୍ବାଳଙ୍କ କହିବା କଥା, ତାଙ୍କ ବିରୋଧରେ ହୋଇଥିବା ରାଜନୈତିକ ଷଡ଼ଯନ୍ତ୍ରକୁ ଦଳ ଅନୁଭବ କରିଛି । ସେମିତିରେ ବି ଚୌଦ୍ବାର-କଟକ ନିର୍ବାଚନ ମଣ୍ଡଳୀରେ ଏବେ ବି ପ୍ରଭାତ ବିଶ୍ବାଳଙ୍କ ପତିଆରା ଆଉ ଲୋକସମ୍ପର୍କ ଅକ୍ଷୁର୍ଣ୍ଣ ରହିଛି । ତେଣୁ ତାଙ୍କୁ ଟିକେଟ୍ ପାଇବାରେ କୌଣସି ସମସ୍ୟା ନାହିଁ ବୋଲି କହୁଛନ୍ତି ।

ପଛ କଥାକୁ ପଛରେ ପକାଇ ଦୁଇ ବିଧାୟକ ଆଗାମୀ ନିର୍ବାଚନ ପାଇଁ ଦଳରେ ନିଜର ଦବଦବା ଜାହିର କରିବା ଚେଷ୍ଟାରେ ଅଛନ୍ତି । ହେଲେ ଏହାକୁ କିନ୍ତୁ ଗ୍ରହଣ କରିବା ମୁଡ୍ରେ ନାହାନ୍ତି ରାଜନୈତିକ ସମୀକ୍ଷକ । ସେମାନଙ୍କ ମତରେ ଚିଟ୍ଫଣ୍ଡ ଅଭିଯୁକ୍ତଙ୍କୁ ଟିକେଟ୍ ନଦେଲେ ବିଜେଡି ପାଇଁ ଫାଇଦା ହେବ ।

ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟ ଅନୁସାରେ ଚିଟ୍ଫଣ୍ଡ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ପ୍ରାୟ ୭୨ ପ୍ରତିଶତ ଲୋକ ମତ ଦେଇଥିଲେ । ଏମିତିରେ ଏବେ ଦଳୀୟ ଟିକେଟ୍ ବାଣ୍ଟିବା ବେଳେ ବିଜେଡି କି ପ୍ରକାର ଆଭିମୁଖ୍ୟ ଗ୍ରହଣ କରୁଛି ତା’ ଉପରେ ରହିବ ନଜର ।