ଡାକ୍ତରଖାନାରୁ ଫେରିବା ପରେ ଗାଙ୍ଗୁଲିଙ୍କ ପ୍ରଥମ ଫଟୋ ଓ ଇନଷ୍ଟାରେ ଲେଖିଲେ, ତୁମେ ମୋ ପାଇଁ ୫ ଦିନ ଯାହା କରିଛ ତାହା ସବୁ ଦିନ ମନେ ରହିବ…
7/01/2021 at 9:57 PM

କୋଲକାତା,୦୭/୦୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଗୁରୁବାର କୋଲକାତାର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ହସ୍ପିଟାଲରୁ ବାହାରକୁ ଆସିବା ପରେ ଗାଙ୍ଗୁଲି ଗଣମାଧ୍ୟମ ସହ କଥା ହୋଇଛନ୍ତି । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଅତିଶୀଘ୍ର କାର୍ଯ୍ୟାଳୟକୁ ଫେରିବେ ବୋଲି କହିଛନ୍ତି ।
ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଇନଷ୍ଟାରେ ପ୍ରଥମ ଫଟୋ ପୋଷ୍ଟ କରିଛନ୍ତି। ଗାଙ୍ଗୁଲି ନିଜର ସାଥୀ ଜୟଦୀପଙ୍କ ସହିତ ଫଟୋ ଛାଡି ଲେଖିଛନ୍ତି, ଆପଣ ଗତ ୫ ଦିନ ହେବ ମୋ ପାଇଁ ଯାହା କିଛି କରିଛନ୍ତି, ତାହା ଜୀବନସାରା ମୋର ମନେ ରହିବ। ଆପଣ କେବଳ ମୋର ପରିବାର ନୁହନ୍ତି, ତାଠୁ ବି ବଳି ଆମର ଏ ସଂପର୍କ।
କୋଲକାତାର ଉଡଲାଣ୍ଡ୍ ହସ୍ପିଟାଲରେ ୪୮ ବର୍ଷୀୟ ଗାଙ୍ଗୁଲିଙ୍କ ଚିକିତ୍ସା ଚାଲିଥିଲା । ଗତ ଶନିବାର ତାଙ୍କୁ ହୃଦଘାତ ହୋଇଥିଲା। ଏହାପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ଘରେ କିଛି ଦିନ ବିଶ୍ରାମ କରିବେ ଗାଙ୍ଗୁଲି । ଶନିବାର ଗାଙ୍ଗୁଲିଙ୍କୁ ଏଞ୍ଜିୟୋପ୍ଲାଷ୍ଟି କରାଯାଇଥିଲା । ତାଙ୍କ ହୃତପିଣ୍ଡର ଧମନୀରେ ଥିବା ବ୍ଲକେଜ ପାଇଁ ଏଞ୍ଜିୟୋପ୍ଲାଷ୍ଟି ହୋଇଥିଲା । ଏବେ ସେ ସୁସ୍ଥ ଅଛନ୍ତି ।
ହସ୍ପିଟାଲ ଏମଡି ଓ ସିଇଓ ରୁପାଲୀ ବାସୁ କହିଛନ୍ତି ଯେ, ଗାଙ୍ଗୁଲି କ୍ଲିନିକାଲି ଫିଟ୍ ଅଛନ୍ତି। ଗୁରୁବାର ଦିନ ଡିସଚାର୍ଜ କରାଯିବ। ଡିସଚାର୍ଜ ପରେ ଗାଙ୍ଗୁଲିଙ୍କୁ ଘରେ ଆରାମ କରିବାକୁ ହେବ ବୋଲି ସେ କହିଥିଲେ ।