ଓ୍ୱିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜ ଏବେ ସୁରକ୍ଷିତ, ପ୍ରତ୍ୟାର୍ପଣ ଆବେଦନକୁ ଖାରଜ କଲେ ବ୍ରିଟିଶ କୋର୍ଟ, କହିଲେ- 'ଆମେରିକା ପଠାଇଲେ ସେ ଆତ୍ମହତ୍ୟା କରି ଦେଇପାରନ୍ତି'

Published By : Prameya-News7 Bureau | January 04, 2021 IST

ନ୍ୟୁୟର୍କ, ୦୪/୦୧ :  ଓ୍ୱିକିଲିକ୍ସର ପ୍ରତିଷ୍ଠାତା ଜୁଲିଆନ ଅସେଞ୍ଜଙ୍କୁ ଆମେରିକା ପ୍ରତ୍ୟାର୍ପଣ କରାଯିବ ନାହିଁ । ବ୍ରିଟେନ କୋର୍ଟ ସୋମବାର ଏହି ଗୁରୁତ୍ୱପୂର୍ଣ୍ଣି ନିଷ୍ପତ୍ତି ଶୁଣାଇଛନ୍ତି । ଆମେରିକାର ଗୋପନୀୟ ଦସ୍ତାବିଜ ଓ କୂଟନୈତିକ ସନ୍ଦେଶକୁ ସାର୍ବଜନୀନ କରିବା ଅଭିଯୋଗରେ ଜୁଲିଅନଙ୍କୁ ପ୍ରତ୍ୟାର୍ପଣ ପାଇଁ ଦାବି କରାଯାଇଥିଲା ।

ଜୁଲିଆନଙ୍କୁ ଏହା ପୂର୍ବରୁ ସ୍ୱିଡେନରେ ଏକ ଦୁଷ୍କର୍ମ ମାମଲାରେ ମଧ୍ୟ ଆଶ୍ୱସ୍ତୀ ମିଳିସାରିଛି । ଏହି ମାମଲାରେ ଗିରଫଦାରିରୁ ବର୍ତ୍ତିବା ପାଇଁ ସେ ଅନେକ ଦିନ ଧରି ବ୍ରିଟେନର ଇକ୍ୱେଡରର ଦୂତାବାସରରେ ରହିଥିଲେ  ।

ସେଣ୍ଟ୍ରାଲ ଲଣ୍ଡନର ଡିଷ୍ଟ୍ରିକ୍ଟ ଓଲ୍ଡ ବେଲେ କୋର୍ଟର ଜଜ୍ ବେନିସା ଓ୍ୱେରିଏଷ୍ଟର କହିଛନ୍ତି ଯେ, ଜୁଲିଆନ ଆତ୍ମହତ୍ୟା କରିପାରନ୍ତି । ପ୍ରତ୍ୟାର୍ପଣ ଆଦେଶ ତାଙ୍କର ମାନସିକ ଉତ୍ପୀଡନ ଭଳି ହେବ ।ଆମେରିକାରେ ତାଙ୍କୁ ବନ୍ଦୀ କରାଗଲେ ସେ ବହୁ କଠିନ ପରିସ୍ଥିତିରେ ଗତି କରିବେ । ତାଙ୍କର ସାମାଜିକ ସମ୍ପର୍କ ଶେଷ ହୋଇଯିବ । ବାହାରେ ସେ କାହା ସହ ସମ୍ପର୍କ ପ୍ରତିଷ୍ଠା କରିପାରିବେ ନାହିଁ ।

ଅଦାଲତଙ୍କ ନିଷ୍ପତ୍ତି ପରେ ୪୯ ବର୍ଷୀୟ ଜୁଲିଆନଙ୍କ ମଥାରୁ ଝାଳ ବାହାରୁଥିବା ଦେଖିବାକୁ ମିଳିଥିଲା । ସେହି ସମୟରେ ତାଙ୍କ ପ୍ରେମିକା ଷ୍ଟେଲା ମୋରିସ କାନ୍ଦି ପକାଇଥିଲେ । ତେବେ ଆମେରିକା ବ୍ରିଟେନ୍ ତଳ କୋର୍ଟର ଏହି ନିଷ୍ପତ୍ତି ବିରୋଧରେ ଆବେଦନ କରିପାରେ ।

ସୂଚନାଯୋଗ୍ୟ, ଜୁଲିଆନାଙ୍କୁ ୨୦୧୦ରେ ଦୁଷ୍କର୍ମ ମାମଲାରେ ଲଣ୍ଡନରେ ଗିରଫ କରାଯାଇଥିଲା । ସ୍ୱିଡେନ ସରକାର ତାଙ୍କୁ ଏହି ପ୍ରସଙ୍ଗରେ ଜେରା କରିବାକୁ ଚାହୁଁଥିଲେ । କିନ୍ତୁ ସେ ୨୦୧୨ରେ ଲଣ୍ଡନ ଇକ୍ୱେଡରର ଦୂତାବାସରେ ଆଶ୍ରୟ ନେଇଥିଲେ । ଏପ୍ରିଲ ୨୦୧୯ରେ ସେ ବାହାରକୁ ଆସିବା ପରେ ବ୍ରିଟେନ୍ ପୋଲିସ ତାଙ୍କୁ ଗିରଫ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.