ପୋଲିସ ସ୍ବାମୀ ନିଜ ସ୍ତ୍ରୀର ଚରିତ୍ରକୁ ଆକ୍ଷେପ କରି ଦେଲା ଛାଡ଼ପତ୍ର ଧମକ : ୨ପୁଅଙ୍କୁ ହତ୍ୟା କରି ସ୍ତ୍ରୀ କଲା ଆତ୍ମହତ୍ୟା

Published By : Prameya-News7 Bureau | November 21, 2020 IST

ଫତେହାବାଦ ୨୧/୧୧: ହରିୟାଣାର ଫତେହାବାଦରେ ଅନୈତିକ ସମ୍ପର୍କ ସନ୍ଦେହରେ ସୁନାର ସଂସାର ଉଜୁଡ଼ିଗଲା। ହରିୟାଣା ପୋଲିସରେ ମୁତୟନ ଯବାନ ତାଙ୍କ ପତ୍ନୀ ଜନ୍ମ ଦେଇଥିବା ଦ୍ବିତୀୟ ସନ୍ତାନକୁ ଅବୈଧ କହି ତାଙ୍କ ସହ ଝଗଡ଼ା କରୁଥିଲା। ଏଥିରେ ରାଗି ଯାଇ ପତ୍ନୀ ବାପଘରକୁ ଚାଲି ଯାଇଥିଲେ। ୨ମାସ ହେବ ସ୍ବାମୀ-ସ୍ତ୍ରୀ ଅଲଗା ରହୁଥିଲେ। କିଛି ଦିନ ତଳେ ପୁଣି ଥରେ ଫୋନରେ ଉଭୟଙ୍କ ଝଗଡ଼ା ହୋଇଥିଲା ଯାହା ପରେ ମହିଳା ୨ପିଲାଙ୍କ ହତ୍ୟା କରି ନିଜେ ଫାଶୀ ଖୁଣ୍ଟରେ ଝୁଲି ଆତ୍ମହତ୍ୟା କରିଥିଲେ। ସୂଚନା ପାଇ ପୋଲିସ୍ ପହଞ୍ଚି ଘଟଣାସ୍ଥଳକୁ ନିରୀକ୍ଷଣ କରି ମାମଲାର ତଦନ୍ତ ଆରମ୍ଭ କରିଛି।

ଫତେହାବାଦ ଗାଁର ଖୈରାତିଖେଡ଼ାରେ ରହୁଥିବା ନରେଶ ହରିୟାଣା ପୋଲିସରେ କନେଷ୍ଟବଳ ପଦରେ ନିୟୋଜିତ ଅଛି। ତା ବିବାହ ଏହି ଜିଲ୍ଲାର ସୁଖମନପୁରରେ ରହୁଥିବା ସଞ୍ଜୁଙ୍କ ସହ ହୋଇଥିଲା। କୁହାଯାଇଛି ଯେ ସ୍ବାମୀଙ୍କ ସହ ଝଗଡ଼ା ପରେ ଗତ ୨ମାସରୁ ସଞ୍ଜୁ ନିଜ ବାପଘରେ ରହୁଥିଲେ। କିଛି ଦିନ ତଳେ ଯେତେବେଳେ ବାପଘର ଲୋକେ କୌଣସି କାମରେ ବାହାରକୁ ଯାଇଥିଲେ ସେତେବେଳେ ସଞ୍ଜୁ ୩ବର୍ଷର ପୁଅ ସହ ୩ମାସର ପୁଅର ମଧ୍ୟ ହତ୍ୟା କରି ଦେଇଥିଲେ।

ଏହା ପରେ ସେ ନିଜେ ମଧ୍ୟ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ଘରକୁ ଫେରିବାରୁ ଏଠାକାର ଦୃଶ୍ୟ ଦେଖି ସ୍ତବ୍ଧ ହୋଇଯାଇଥିଲେ। ସୂଚନା ପାଇ ଥାନା ପୋଲିସ୍ ଘଟଣାସ୍ଥଳକୁ ପହଞ୍ଚି ଯାଇଥିଲେ। ପୋଲିସ୍ ଘଟଣାସ୍ଥଳର ନିରୀକ୍ଷଣ କରି ୩ଜଣଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି।

ଏହି ମାମଲାରେ ପୋଲିସ୍ ପରିବାର ଲୋକଙ୍କ ବୟାନ ରୁଜୁ କରିଛି। ମୃତ ମହିଳାଙ୍କ ଦାଦା ପୁଅ ଭାଇଙ୍କ କହିବା ଅନୁସାରେ ସଞ୍ଜୁ ୨ମାସ ହେବ ଏଠାରେ ବାପଘରେ ରହୁଥିଲେ। ୩ମାସ ତଳେ ସଞ୍ଜୁ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ସଞ୍ଜୁଙ୍କ ସ୍ବାମୀ ଏହି ପୁଅକୁ ଆଉ କାହାର ବୋଲି କହୁଥିଲା। ଏହି କାରଣରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ଯାହା କାରଣରୁ ସଞ୍ଜୁ ବାପଘରକୁ ପଳାଇ ଆସିଥିଲେ।

ସ୍ବାମୀ ନରେଶ ତାଙ୍କ ଚରିତ୍ରକୁ ସନ୍ଦେହ କରି ସଙ୍ଗୀନ ଅଭିଯୋଗ ଲଗାଇ ନିକଟରେ ଛାଡ଼ପତ୍ର ଦେବାକୁ ଚାପ ପ୍ରୟୋଗ କରୁଥିଲା। ଶୁକ୍ରବାର ମଧ୍ୟ ଉଭୟଙ୍କ ଫୋନରେ ଝଗଡ଼ା ହୋଇଥିଲା ଯାହାର ମୋବାଇଲ୍ ରେକର୍ଡ଼ି ମଧ୍ୟ ରହିଛି। ଝଗଡ଼ା ପରେ ସଞ୍ଜୁ ବହୁତ ଦୁଃଖୀ ଥିଲେ।

ପୋଲିସ୍ ଏହି ମାମଲାର ତଦନ୍ତ କରୁଛି। ଏହି ମାମଲାରେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.