ସ୍ବାମୀ-ସ୍ତ୍ରୀଙ୍କ କଳି, ଶ୍ବଶୁରଙ୍କ ମୃତ୍ୟୁ: ପୋଲିସ୍‌ରେ ପତ୍ନୀଙ୍କ ବିରୋଧରେ ହତ୍ୟା ଅଭିଯୋଗ କଲେ ପତି

Published By : Prameya-News7 Bureau | October 08, 2020 IST

ବାରିପଦା୮/୧୦: ବାରିପଦା କାଳୀମନ୍ଦିର ସାହି ୧୬ ନମ୍ବର ଓ୍ବାର୍ଡରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାକାର ସ୍ଥାୟୀ ନିବାସୀ ବିଜୟ କୁମାର ଆଇଚ୍‌ ନିଜ ପୁଅ ଦେବରାଜ ଆଇଚ୍‌ ଏବଂ ବୋହୂ ଜୟନ୍ତୀଙ୍କ ସହ ରହୁଥିଲେ। ମିଳିଥିବା ସୂଚନା ଅନୁସାରେ କୌଣସି କାରଣରୁ ପୁଅ- ବୋହୂଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ଏହି ପାରିବାରିକ କଳହକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଲାଗିଥିବା କଳି ଉଗ୍ରରୂପ ନେଇଥିଲା। ରାଗରେ ପୁଅ ଦେବରାଜ ବାହାରକୁ ଚାଲି ଯାଇଥିଲେ। ସେ ବାହାରେ ଥିବା ଅବସ୍ଥାରେ ତାଙ୍କ ଭଉଣୀ ତାଙ୍କୁ ଫୋନ କରି ଜୟନ୍ତୀ ଅର୍ଥାତ ଦେବରାଜଙ୍କ ପତ୍ନୀ ତାଙ୍କ ବାପା ବିଜୟଙ୍କୁ ଆକ୍ରମଣ କରିଥିବା କହିଥିଲେ। ପୁଅ ଘରେ ପହଁଞ୍ଚି ବାପାଙ୍କୁ ହସ୍ପିଟାଲ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବାପାଙ୍କର ମୃତ୍ୟୁ କିପରି ହେଲା, ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ୍‌ ମଧ୍ୟ ଏ ନେଇ କୌଣସି ସୂଚନା ଦେଇ ନାହିଁ।

ଅନ୍ୟପଟେ ବାପାଙ୍କୁ ହତ୍ୟା କରିବା ଅଭିଯୋଗ ଦେବରାଜ ନିଜ ସ୍ତ୍ରୀଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ଏହି ଘଟଣାରେ ପୋଲିସ୍ ଜୟନ୍ତୀଙ୍କୁ ଥାନାରେ ଅଟକ ରଖି ପଚରାଉଚାର ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.