ପରକୀୟା ପ୍ରୀତି ସନ୍ଦେହରେ ଦଣ୍ଡ : ସ୍ୱାମୀକୁ କାନ୍ଧରେ ବସାଇ ବୁଲାଇଲା ସ୍ତ୍ରୀ, ପଛେ ପଛେ ବାଡ଼ିରେ ବାଡଉଥିଲେ ଗ୍ରାମବାସୀ
30/07/2020 at 4:57 PM

ନୂଆଦିଲ୍ଲୀ ୩୦/୦୭ : ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି ଯାହା ଅତ୍ୟନ୍ତ ନିନ୍ଦନୀୟ | ଜଣେ ମହିଳା ନିଜ ସ୍ୱାମୀକୁ କାନ୍ଧରେ ବସାଇ ପୁରା ଗାଁରେ ବୁଲିବାକୁ ସଜା ଦିଆଯାଇଥିଲା | ଘଟଣା ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଅଞ୍ଚଳ ଝାବୁଆର | ସୋସିଆଲ ମିଡ଼ିଆରେ ଏହି ଭିଡିଓ ଖୁବ ଭାଇରାଲ ହେଉଛି |

ସୂଚନାଯୋଗ୍ୟ ଯେ, ପୀଡିତା ମହିଳା ରବିବାର ଦିନ ସ୍ୱାମୀ ଓ ୩ ଶିଶୁଙ୍କ ସହିତ ଗୁଜରାଟରୁ ଝାବୁଆ ରନବାସା ଗାଁକୁ ଫେରିଥିଲେ | ଉଭୟ ସ୍ୱାମୀ-ସ୍ତ୍ରୀ ଗୁଜରାଟରେ ଶ୍ରମିକ ଭାବେ କାମ କରନ୍ତି | ସ୍ତ୍ରୀ ଆଉ କାହାକୁ ପ୍ରେମ କରୁଥିବା, ଅନ୍ୟ କାହା ସହିତ ସମ୍ପର୍କ ରଖିଥିବା ସ୍ୱାମୀ ସନ୍ଦେହ କରିଥିଲା | ଏହି ସନ୍ଦେହ ଆଧାରରେ ପରିବାର ଲୋକେ ମହିଳାଙ୍କୁ ଏହିଭଳି ଦଣ୍ଡ ଦେଇଥିଲେ | ଦଣ୍ଡ ଥିଲା ଯେ ମହିଳାଙ୍କୁ ନିଜ ସ୍ୱାମୀକୁ କାନ୍ଧରେ ବସାଇ ଗାଁରେ ବୁଲେଇବାକୁ ପଡିବ | ମହିଳାଙ୍କ ପଛେ ପଛେ ଗ୍ରାମବାସୀ ଥିଲେ | ଭିଡିଓରେ ମହିଳା କହୁଛନ୍ତି ମୁଁ ଆଗକୁ ଆଉ ଏମିତି କିଛି କରିବିନି କିନ୍ତୁ ଗ୍ରାମବାସୀ ତାଙ୍କ କଥା ଶୁଣୁ ନାହାନ୍ତି |
ଗ୍ରାମବାସୀ ମହିଳାଙ୍କ ପଛେ ପଛେ ଚାଲିବ ସହ ପାଟି କରୁଥିଲେ | କିଛି ବାଟ ଗଲା ପରେ ମହିଳା ହାଲିଆ ହୋଇ ଅଟକି ଯିବାରୁ ତାଙ୍କୁ ବାଡ଼ିରେ ମାଡ ମରାଯାଇଥିଲା ଯାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା | ମାଡ ଖାଇ ମହିଳା କାନ୍ଦି କାନ୍ଦି ପୁଣି ଆଗକୁ ଚାଲିଲେ | ଗ୍ରାମବାସୀ ତାଙ୍କ ପଛେ ପଛେ ତାଙ୍କୁ ମାଡ ମାରି ମାରି ଚାଲିଥିଲେ | କିଛି ଲୋକ ଘଟଣାର ଭିଡିଓ କରି ଶୋଷିଲା ମିଡ଼ିଆରେ ଭାଇରାଲ କରିଥିଲେ | ଘଟଣାର ଭିଡିଓ ଭାଇରାଲ ହେବାପରେ ପୋଲିସ ଏହି ମାମଲାରେ ୭ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି | ଥାନା ପ୍ରଭାରୀ ସୁରେନ୍ଦ୍ର ସିଂହ କହିଛନ୍ତି, କୌଣସି କଥାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବିବାଦ ହୋଇଥିଲା | ଏହାପରେ ମହିଳାଙ୍କୁ ଏହିଭଳି ଦଣ୍ଡ ଦିଆଯାଇଥିଲା | ମହିଳାଙ୍କ ବୟାନ ଆଧାରରେ ୭ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି | ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ମହିଳା ନିଜ ପ୍ରେମିକ ସହ ଫେରାର ହୋଇଯାଇଥିଲେ | ଜଣାପଡ଼ିବାରୁ ତାଙ୍କୁ ଗାଁକୁ ଅଣାଯାଇଥିଲା ଓ ଏହିଭଳି ଦଣ୍ଡ ଦିଆଯାଇଥିଲା |