୨ ପ୍ରେମିକଙ୍କ ସହାୟତାରେ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ : ଗିରଫ

Published By : Prameya-News7 Bureau | November 03, 2019 IST

ନିର୍ମଳ ୩/୧୧: ମଣ୍ଡଲର ପୋନକଲରେ ୨ଜଣ ପ୍ରେମିକଙ୍କ ସହାୟତାରେ ଜଣେ ମହିଳା ତା’ର ସ୍ବାମୀଙ୍କୁ ହତ୍ୟା କରିଛି। ଅନୈତିକ ସମ୍ପର୍କରେ ବାଧା ସୃଷ୍ଟି କରୁଥିବାରୁ ମହିଳା ତା’ର ସ୍ବାମୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ଅନ୍ୟ ୨ଜଣ ପ୍ରେମିକ ନିଜାମାବାଦ ବାସିନ୍ଦା ହୋଇଥିବାବେଳେ ମହିଳା ପୋନକଲର ବାସିନ୍ଦା।

ପୋଲିସ୍ ୪ମାସ ପୂର୍ବରୁ ହୋଇଥିବା ଏହି ହତ୍ୟାକାଣ୍ଡର ରହସ୍ୟ ପତ୍ତା ଲଗାଇଥିଲା। ନିଜାମାବାଦ ଜିଲ୍ଲାର ଅଙ୍କାପୁରର ଗୁଜ୍ଜେଟିରେ ରହୁଥିବା ଉଦୟ କୁମାରଙ୍କ ପ୍ରଥମ ପତ୍ନୀଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ପରେ ଉଦୟ ଆଲୁରର ପାବନୀ ଓରଫ ଲାବଣ୍ୟାକୁ ଦ୍ବିତୀୟ ବିବାହ କରିଥିଲେ। ପାବନୀ ମଧ୍ୟ ପୂର୍ବରୁ ବିବାହ କରିଥିଲା। ସେ ପ୍ରଥମ ସ୍ବାମୀକୁ ଛାଡ଼ପତ୍ର ଦେଇଥିଲା। ତା’ପରେ ଉଦୟକୁ ବିବାହ କରିଥିଲା। ଉଦୟ ଏବଂ ପାବନୀ ଅଙ୍କାପୁରରେ ନିଜର ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ। ଉଦୟ ଦିନ ମଜୁରିଆ କାମ କରୁଥିବାବେଳେ ପାବନୀ ବିଡ଼ି ଶ୍ରମିକ।

 ଉଦୟ କୁମାରଙ୍କ ଦ୍ବିତୀୟ ବିବାହ ତାଙ୍କ ପ୍ରାଣ ନେଇଥିଲା। ପାବନୀ ନିଜ ସ୍ବାମୀ ରହିଥିବା ସତ୍ବେ ନିଜ ପୁରୁଣା ପ୍ରେମିକ ରମେଶ ସହ ଅନୈତିକ ସମ୍ପର୍କ ସ୍ଥାପନ କରିଥିଲା। ରମେଶ ଅଙ୍କାପୁରରେ ଡ୍ରାଇଭର। ସେହି ସମୟରେ ସ୍ବାମୀ ଉଦୟ କୁମାରଙ୍କ ବନ୍ଧୁ ଗଙ୍ଗାଧର ସହ ପାବନୀର ପରିଚୟ ହୋଇଥିଲା। ଗଙ୍ଗାଧର ସହ ମଧ୍ୟ ତା’ର ଅନୈତିକ ସମ୍ପର୍କ ସ୍ଥାପନ ହୋଇଥିଲା। ଉଦୟଙ୍କୁ ତାଙ୍କ ସ୍ତ୍ରୀଙ୍କ ଅନୈତିକ ସମ୍ପର୍କ ବିଷୟରେ ଜଣା ପଡ଼ିଯାଇଥିଲା। ଉଦୟ ତାକୁ ବୁଝାଇଥିଲା। କିନ୍ତୁ ପାବନୀ ଉଦୟଙ୍କୁ ନିଜ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା।

ଅଭିଯୁକ୍ତମାନେ ୪ମାସ ତଳେ ଜୁନ୍ ୫ତାରିଖରେ ଉଦୟଙ୍କୁ ମାରିବାର ଯୋଜନା କରିଥିଲେ। ସ୍ବାମୀଙ୍କୁ ମାରିବା ଯୋଜନା ବିଷୟରେ ପାବନୀ ରମେଶ ଏବଂ ଗଙ୍ଗାଧରକୁ କହିଥିଲା। ଏହା ପରେ ରମେଶ ଏବଂ ଗଙ୍ଗାଧର ଯୋଜନା କରି ଉଦୟକୁ ଡକାଇ ମଦ ପିଆଇ ଗୋଦାବରୀ ନଦୀ ପାଖକୁ ନେଇ ଆସିଥିଲେ। ରମେଶ ଏବଂ ଗଙ୍ଗାଧର ମଧ୍ୟ ମଦ ପିଇଥିଲେ। ଏହା ପରେ ସେଠାରୁ ପାବନୀକୁ ଫୋନ କରି ଉଦୟଙ୍କୁ ମାରିବା କି ନାହିଁ ଏକଥା ପଚାରିଥିଲେ। ପାବନୀ ହଁ କହିବାରୁ ଦୁହେଁ ମିଶି ଉଦୟଙ୍କୁ ନଦୀ​‌ରେ ବୁଡ଼ାଇ ମାରି ଦେଇଥିଲେ।

୪ଦିନ ପରେ ଉଦୟଙ୍କ ଶବ ପାଣି ବାହାରକୁ ଉଠି ଆସିଥିଲା। ପୋଲିସ୍ ଶବ ଜବତ କରି ମାମଲା ରୁଜୁ କରିଥିଲା।

ଉଦୟଙ୍କ ହତ୍ୟା ପରେ ଗଙ୍ଗାଧର ଦୁବାଇ ଚାଲିଯାଇଥିଲା ଏବଂ ରମେଶ ପାବନୀ ସହ ରହିବାକୁ ଲାଗିଥିଲା। ଉଦୟଙ୍କ ପରିବାର ଲୋକେ ପାବନୀଙ୍କୁ ପଚାରିବାରୁ ସେ କିଛି ଉତ୍ତର ଦେଇନଥିଲା। ଏହି କାରଣରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ୍ ନିଜ ଶୈଳୀରେ ଅଭିଯୁକ୍ତଙ୍କୁ ପଚରାଉଚୁରା କରିଥିଲା। ପରେ ସେମାନେ ନିଜ ଦୋଷ ସ୍ବୀକାର କରିଥିଲେ। ପାବନୀ ଏବେ ଗର୍ଭବତୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.