ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ଏପରି ହତ୍ୟା କଲେ ମହିଳା, ପୋଲିସ ବି ହୋଇଗଲା ସ୍ତବ୍ଧ
21/10/2019 at 9:02 PM

ନୂଆଦିଲ୍ଲୀ : ପଟେଲ ନଗର ଥାନା ଅଞ୍ଚଳରେ ହୋଇଥିବା ଏକ ହତ୍ୟାକାଣ୍ଡ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏକାଠି ମରିବା ଓ ବଞ୍ଚିବା ଲାଗି ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ମହିଳା ପ୍ରେମିକ ସହ ମିଶି ନିଜ ସ୍ୱାମୀଙ୍କୁ ନୃଶଂସ ହତ୍ୟା କରିଛି। ତେବେ ସେମାନେ ହତ୍ୟା ଲାଗି ରଚିଥିବା ଷଡଯନ୍ତ୍ର ମାମଲାର ତଦନ୍ତ କରୁଥିବା ପୋଲିସକୁ ବି ସ୍ତବ୍ଧ କରିଦେଇଛି। ୪୫ ଫୁଟ ଉପରୁ ପ୍ରେମିକ ସହ ମିସି ସ୍ୱାମୀଙ୍କୁ ଲିଫ୍ଟ ସାଫ୍ଟ କୁ ଫିଙ୍ଗି ହତ୍ୟା କରିଛନ୍ତି ମହିଳା। ପୋଲିସ ମାମଲାରେ ଉଭୟ ମହିଳା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଥିବା ବେଳେ ସେମାନେ ଅନିତା(୩୦) ଓ ଅର୍ଜୁନ ମଣ୍ଡଳ(୩୨) ଭାବେ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ ପୁରା ଘଟଣା।

ମିଳିଥିବା ସୂଚନା ଅନୁସାରେ ଅନୀତାଙ୍କ ସ୍ୱାମୀ ଦୟାରାମ ଜଣେ ରାଜମିସ୍ତ୍ରୀ। ଅନୀତା ଲୋକଙ୍କ ଘରେ କାମ କରନ୍ତି। ତେବେ ଗତ କିଛି ବର୍ଷ ହେଲା ଅନୀତା ଅର୍ଜ୍ଜୁନ ମଣ୍ଡଳ ନାମକ ଜନୈକ ଯୁବକଙ୍କ ପ୍ରେମରେ ପଡିଯାଇଥିଲେ। ଉଭୟଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଗଢିଉଠିଥିବା ବେଳେ ଏଥିରେ ଅନିତାଙ୍କ ସ୍ୱାମୀ ଦୟାରାମ ପ୍ରତିବନ୍ଧକ ପାଲଟିଥିଲେ। ଏଣୁ ଅର୍ଜ୍ଜୁନ ସହ ମିଶି ଅନୀତା ଦୟାଙ୍କୁ ରାସ୍ତାରୁ ହଟାଇବାକୁ ଦୀର୍ଘ ଦିନରୁ ଷଡଯନ୍ତ୍ର ଚଳାଇଥିଲେ।

ତେବେ ଗତ ବୁଧବାର ସେମାନଙ୍କୁ ମିଳିଥିଲା ସୁବର୍ଣ୍ଣ ସୁଯୋଗ। ଇଷ୍ଟ ପଟେଲ ନଗରରେ ନିର୍ମାଣାଧୀନ ଏକ ବହୁତଳ ଭବନକୁ ଡକାଇ ଦୟାକୁ ଅର୍ଜ୍ଜୁନ ଓ ଅନିତା ହତ୍ୟା କରିଥିଲେ । ଏଥିଲାଗି ସେମାନେ ବିଲ୍ଡିଂର ଚତୁର୍ଥ ମହଲାରେ ଦୟାକୁ ମଦ ପିଆଇଥିଲେ ଓ ସେ ନିଶାରେ ଚୁର ହୋଇଯିବା ପରେ ତାକୁ ଲିପ୍ଟ ପାଇଁ ନିର୍ମିତ ସ୍ଥାନକୁ ନେଇ ତଳକୁ ଧକ୍କା ଦେଇଥିଲେ। ଫଳରେ ୪୫ ଫୁଟ ଉପରୁ ଲିଫ୍ଟ ସାଫ୍ଟ ଉପରକୁ ଖସି ଦୟା ପ୍ରାଣ ହରାଇଥିଲା। ଘଟଣା ପରେ ଅର୍ଜୁନ ଓ ଅନୀତା ସେଠାରୁ ନିଜନିଜ ଘରକୁ ଚାଲିଯାଇଥିଲେ।

ଗୁରୁବାର ସକାଳେ ପଟେଲ ନଗର ଥାନାକୁ ନିର୍ମାଣାଧୀନ ଘରେ କେହି ମୃତ୍ୟୁବରଣ କରିଥିବାର ସୂଚନା ମିଳିଥିଲା। ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଥିଲା। ମୃତକକୁ ଚିହ୍ନଟ କରିବାର କୌଣସି ଉପାୟ ନଥିଲା। ତେବେ ତା ସାର୍ଟ ପକେଟରୁ ମିଳିଥିବା ଏକ ଚିଠାରେ ଥିବା ମୋବାଇଲ ନମ୍ବର ହତ୍ୟାର ରହସ୍ୟ ଉନ୍ମୋଚନ କରିଛି। ପୋଲିସ ମୋବାଇଲ ନମ୍ବରରେ ଫୋନ କରି ଛେନୁ ନାମକ ଜନୈକ ବ୍ୟକ୍ତିଙ୍କୁ ଡାକି ଥିଲା। ସେ ଶବକୁ ଚିହ୍ନଟ କରିବା ସହ ତା ଘରର ଠିକଣା ଦେଇଥିଲା। ସେହି ଅନୁସାରେ ପୋଲିସ ଆନନ୍ଦ ପର୍ବତସ୍ଥିତ ଦୟାଙ୍କ ଘରକୁ ଯାଇ ଅନୀତାକୁ ପଚରା ଉଚରା କରିବା ପରେ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ହଟିଛି।

ଅନୀତା ସୂଚନା ଅନୁସାରେ ପୋଲିସ ଅର୍ଜ୍ଜୁନ ମଣ୍ଡଳକୁ ଗିରଫ କରିଥିବା ବେଳେ ସେ ମଧ୍ୟ ନିଜର ଅପରାଧ ସ୍ୱୀକାର କରିଛି। ସେମାନେ ଗତ କିଛିମାସ ହେଲା ଦୟାକୁ ରାସ୍ତାରୁ ହଟାଇବାକୁ ଯୋଜନା କରୁଥିଲେ ବୋଲି ଅର୍ଜୁନ ପୋଲିସକୁ କହିଛି। ସେହି ଅନୁସାରେ ଅକ୍ଟୋବର ୧୬ ତାରିଖ ସନ୍ଧ୍ୟାରେ ଅର୍ଜୁନ ମଦ ପିଇବା ଲାଗି ଡାକିବାରୁ ଦୟା ରାଜି ହୋଇ ସେ କହିଥିବା ସ୍ଥାନରେ ପହଞ୍ଚି ଯାଇଥିଲା। ସେଠାରେ ଉଭୟ ମଦ ପିଇଥିଲେ। ତେବେ ଦୟା ଅଧିକ ମଦ ପିଇ ନିଶାରେ ଚୁର ହୋଇଯିବା ପରେ ନିକଟରେ ଥିବା ଲିଫ୍ଟ ରୁମ ଦ୍ୱାର ପାଖକୁ ନେଇ ତଳକୁ ଧକ୍କା ଦେଇଥିଲେ। ଫଳରେ ଲିଫ୍ଟ ସାଫ୍ଟରେ ପଡି ଦୟାର ମୃତ୍ୟୁ ହୋଇଥିଲା।