ସୁପାରି ଦେଇ ମାରିଛି ସ୍ତ୍ରୀ, ଫିଟିଲା ନୂଆ ବର୍ଷରେ ଘଟିଥିବା ଭୟଙ୍କର ହତ୍ୟାକାଣ୍ଡର ଗୁମର

Published By : Prameya-News7 Bureau | January 06, 2020 IST

ମୋହନା୬/୧: ସହଧର୍ମିଣୀ ସୁପାରି ଦେଇ ସ୍ବାମୀକୁ ମାରିଲା। ଗଜପତି ଜିଲ୍ଲା ଅଡ଼ବା ଥାନା ନିକଟରେ ଗତ ୧ ତାରିଖରେ ପଡ଼ିଥିବା ମୃତ ଦେହ ସଂପର୍କରେ ତଦନ୍ତ କରି ପୋଲିସ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡକୁ ଗିରଫ କରିବା ସହ ଏକ ସାଂଘାତିକ ଷଡ଼ଯନ୍ତ୍ରର ଖୁଲ୍‌ସା କରିଛି। ପରକୀୟ ପ୍ରୀତିରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ସ୍ତ୍ରୀ ସୁପାରି ଦେଇ ସ୍ବାମୀକୁ ହତ୍ୟା କରିଥିବା ବେଳେ ଏଥିରେ ପ୍ରେମିକ ସହଯୋଗ କରିଥିଲା। ସ୍ତ୍ରୀ ଓ ତାର ପ୍ରେମିକ ସହ ଆଉ ତିନିଜଣ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।

ଗତ ୧ ତାରିଖ ଦିନ ଅଡ଼ବା ଥାନା ନିକଟରେ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଏକ ମୃତ ଦେହ ଉଦ୍ଧାର କରାଯାଇଥିଲା। ମୃତକଙ୍କ ନାଁ ଯୁବରାଜ ନାୟକ ବୋଲି ପରେ ଜଣାପଡ଼ିଥିଲା। ତେବେ ମୃତ ଦେହ ଥାନା ପାଖକୁ କିପରି ଆସିଲା ତାହା ଚର୍ଚ୍ଚା ବିଷୟ ହୋଇଥିବା ବେଳେ ଗଜପତି ପୋଲିସ ତଦନ୍ତ କରି ହତ୍ୟାକାରୀ ପାଖରେ ପହଞ୍ଚି ପାରିଛି। ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ହେଉଛନ୍ତି ଯୁବରାଜଙ୍କ ପତ୍ନୀ ନିବେଦିତା ନାୟକ। ରାୟଗଡ଼ ଜିଲ୍ଲା ମୁନିଗୁଡାର ନିବେଦିତା ନାୟକ ତାଙ୍କ ପ୍ରେମିକ ସହ ମିଶି ସ୍ବାମୀ ଯୁବରାଜଙ୍କୁ ହତ୍ୟା କରିଥିବା ଗଜପତି ଅତିରିକ୍ତ ଏସପି ସୀତାରାମ ଶତପଥୀଙ୍କ ସୂଚନାରୁ ଜଣାପଡ଼ିଛି।

ପୋଲିସର ସୂଚନା ଅନୁଯାୟୀ ଯୋଜନାବନ୍ଧ ଭାବେ ଏହି ହତ୍ୟାକାଣ୍ଡ ଘଟିଥିଲା। ନିବେଦିତା ଓ ଯୁବରାଜ ମୁନିଗୁଡ଼ାର ଗୁପ୍ତା କଲୋନୀରେ ଭଡ଼ା ଘର ନେଇ ରହୁଥିଲେ। କିନ୍ତୁ ନିବେଦିତାଙ୍କର ଅନ୍ୟଜଣେ ଯୁବକଙ୍କ ସହ ପ୍ରେମ ସଂପର୍କ ରହିଥିଲା। ଯୁବରାଜଙ୍କୁ ରାସ୍ତା ହଟାଇବାକୁ ନିବେଦିତା ଓ ତାଙ୍କ ପ୍ରେମିକ ଷଡ଼ଯନ୍ତ୍ର କରିଥିଲେ। ଏଥିପାଇଁ ସେମାନେ ତିନିଜଣଙ୍କୁ ୩୦ ହଜାର ଟଙ୍କା ସୁପାରି ଦେଇଥିଲେ। ସୁପାରି କିଲର୍‌ଙ୍କ ସହ ମିଶି ଯୁବରାଜଙ୍କୁ ମାରିବାକୁ ନିବେଦିତା ଓ ତାଙ୍କ ପ୍ରେମିକ ମାରିବାକୁ ଯୋଜନା କରିଥିଲେ।

ଯୋଜନା ମୁତାବକ ହତ୍ୟାକାରୀମାନେ ଯୁବରାଜଙ୍କ ଗୁପ୍ତା କଲୋନୀସ୍ଥିତ ଭଡ଼ା ଘରେ ଲୁଚି ରହିଥିଲେ। ଜିରୋ ନାଇଟ୍‌ ସେଲିବ୍ରେସନ ସାରି ୩୧ ତାରିଖ ରାତିରେ ଯୁବରାଜ ଘରକୁ ଫେରିବା ପରେ ନିବେଦିତା, ତାଙ୍କ ପ୍ରେମିକ ଓ ତିନି ସୁପାରି କିଲର୍ ତାଙ୍କୁ ହତ୍ୟା କରିଥିଲେ। ଏହାପରେ ସେମାନେ ଯୁବରାଜଙ୍କ ମୃତଦେହକୁ ହାତଗୋଡ଼ ବାନ୍ଧି ଲୁଗାରେ ଗୁଡ଼େଇ ଏକ ଗାଡ଼ିରେ ନେଇ ଆସିଥିଲେ। ମୃତ ଦେହଟିକ ଅଡ଼ବା ଥାନା ନିକଟରେ ଫିଙ୍ଗି ଦେଇ ଚାଲି ଯାଇଥିଲେ। ପୋଲିସ ନିବେଦିତାଙ୍କୁ ଗିରଫ କରିଥିବା ବେଳେ ଖୁବ୍ ଶୀଘ୍ର ତାଙ୍କ ପ୍ରେମିକ ଓ ତିନି ସୁପାରି କିଲର୍‌ଙ୍କୁ ଗିରଫ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୀତାରାମ ଶତପଥୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.