ମୁଁ ସପ୍ନାଙ୍କୁ ଭଲ ପାଏ… କହି ବିବାହର ୧୦ ଦିନ ପରେ ସ୍ବାମୀଙ୍କୁ ଛାଡିଦେଲେ ସ୍ତ୍ରୀ

Published By : Prameya-News7 Bureau | June 26, 2020 IST

ବେଗୁସରାଇ ୨୬।୬: ବିହାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ନବବିବାହିତ ଯୁବକଙ୍କ ହୋସ୍ ସେତେବେଳେ ଉଡିଗଲା ଯେତେବେଳେ ତାଙ୍କ ନବ ବିବାହିତ ପତ୍ନୀ ତାଙ୍କୁ କହିଥିଲେ ଯେ, ମୁଁ ତୁମକୁ ଭଲ ପାଏ ନାହିଁ କିନ୍ତୁ ସପନା ନାମକ ଜଣେ ଝିଅକୁ ଭଲ ପାଏ ଏବଂ ତାଙ୍କ ସହ ଜୀବନ ବିତାଇବାକୁ ଚାହେଁ । ଏଭଳି ଘଟଣା ବିହାରର ବେଗୁସରାଇରେ । ଜୁନ୍ ୧୪ ତାରିଖରେ ବେଗୁସରାଇ ନିବାସୀ ଅଙ୍କିତ କୁମାରଙ୍କ ସହ ରାଞ୍ଚି ନିବାସୀ ପୂଜାଙ୍କର ବିବାହ ହୋଇଥିଲା । ବିବାହ ପରେ ପୂଜା ସ୍ବାମୀଙ୍କ ସହ ବେଗୁସରାଇ ଆସିଥିଲେ । କିନ୍ତୁ ୧୦ ଦିନ ପରେ ସେ ତାଙ୍କ ସ୍ବାମୀଙ୍କ ସହ ରହିବାକୁ ମନା କରିଦେଇଥିଲେ ।

ପୂଜା କହିଥିଲେ ଯେ, ଗତ ଦୁଇ ବର୍ଷ ଧରି ସେ ସପନା ନାମକ ଜଣେ ଝିଅ ସହିତ ତାଙ୍କର ସମଲିଙ୍ଗୀ ସଂପର୍କ ରହିଛି ଏବଂ ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଏହା ଶୁଣି ଅଙ୍କିତଙ୍କ ପାଦ ତଳୁ ମାଟି ଖସିଗଲା । ଅଙ୍କିତ ଏ ନେଇ ପୋଲିସ ଷ୍ଟେସନରେ ସୂଚନା ଦେଇଥିଲେ ।

ଏହାପରେ ପୋଲିସ ସମସ୍ତଙ୍କୁ ଥାନାକୁ ଡକାଇଥିଲା । ​​ଏହି ସମୟରେ ପୂଜାଙ୍କ ପ୍ରେମିକା ସପନା ରାଞ୍ଚିରୁ ବେଗୁସରାଇରେ ପହଞ୍ଚି ପୋଲିସ ଷ୍ଟେସନକୁ ଯାଇ ତାଙ୍କ ପ୍ରେମିକାଙ୍କ ସହ ରହିବା କଥା କହିଥିଲେ ।

ସପନା ଏବଂ ପୂଜା କହିଥିଲେ ଯେ, ସେମାନେ ରାଞ୍ଚିରେ ଏକ ପୋଷାକ ଦୋକାନରେ କାମ କରୁଥିଲେ । ସେଠାରେ ଦୁହେଁ ପ୍ରେମରେ ପଡିଥିଲେ ଏବଂ ଦୁହେଁ ଦୁଇ ବର୍ଷ ଏକାଠି ରହୁଥିଲେ । ଏହି ସମୟରେ ଜୁନ୍ ୧୪ ତାରିଖରେ ପୂଜା ତାଙ୍କ ପରିବାର ସଦସ୍ୟଙ୍କ କଥାରେ ବେଗୁସରାଇର ଅଙ୍କିତଙ୍କୁ ବିବାହ କରିଥିଲେ । କିନ୍ତୁ ପୂଜା ଏହି ବିବାହରେ ଖୁସି ନଥିଲେ।

ପୂଜା କହିଥିଲେ ଯେ, ସେ ସପନାଙ୍କୁ ଭଲ ପାଆନ୍ତି ଏବଂ ତାଙ୍କୁ ବିବାହ କରିବେ । ସପନା ପୂଜାଙ୍କୁ ତାଙ୍କ ପତ୍ନୀ ବୋଲି ମଧ୍ୟ ଭାବନ୍ତି । ପୁରା ଘଟଣା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଅଙ୍କିତ ମଧ୍ୟ ପୂଜାଙ୍କୁ ବିବାହ ବନ୍ଧନରୁ ମୁକ୍ତ କରିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.