ରାଜସ୍ଥାନ : ଶ୍ୟାମଳ ରଙ୍ଗ ଯୋଗୁ ସ୍ୱାମୀ ଉଲୁଗୁଣା ଦେଉଥିଲେ, ଜୀବନରୁ ନିରାଶ ହୋଇ କୂଅକୁ ଡେଇଁଲା ସ୍ତ୍ରୀ

Published By : Prameya-News7 Bureau | November 12, 2019 IST

ଜୟପୁର : ରାଜସ୍ଥାନ ଜୟପୁରରେ ଘଟିଛି ଅଭାବନୀୟ ଘଟଣା। ଶ୍ୟାମଳ ରଙ୍ଗ ଯୋଗୁ ସ୍ୱାମୀଙ୍କ ଆକ୍ଷେପ ସହି ନ ପାରି ଜଣେ ମହିଳା କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ୨୧ ବର୍ଷ ବୟସ୍କା ଏହି ମହିଳା ଜଣକ ମାତ୍ର ୬ ମାସ ପୂର୍ବେ ବିବାହ କରିଥିଲେ। ମହିଳା କୂଅକୁ ଡେଇଁ ପଡିବାରୁ ପାଖପଡୋଶୀମାନେ ତାଙ୍କୁ ବାହାର କରିବାକୁ ଉଦ୍ୟମ କରିଥିଲେ। ତେବେ କୂଅରୁ ବାହାର କରି ହସ୍ପିଟାଲ ନେବେ ବେଳକୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଝାଲାବଡ ଜିଲ୍ଲା ବକାନୀ ଥାନାରେ ଏ ନେଇ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତ ସ୍ୱାମୀ ବିରୋଧରେ ଆଇପିସିର ଧାରା ୩୦୬ରେ  ମୋକଦ୍ଦମା ରୁଜୁ କରିଛି। ମୃତ ମହିଳାଙ୍କ ପିତା ତାଙ୍କ ଝିଅ ଗତ ଏପ୍ରିଲ ମାସରେ ବିବାହ କରିଥିଲେ ବୋଲି ପୋଲିସକୁ କହିଛନ୍ତି। ତେବେ ତାଙ୍କ ଝିଅର ରଙ୍ଗ ଶ୍ୟାମଳ ହୋଇଥିବାରୁ ସ୍ୱାମୀ ତାଙ୍କୁ ଘୃଣ୍ୟ ବ୍ୟବହାର କରୁଥିଲେ। ମହିଳାଙ୍କ ପିତା ପୋଲିସରେ କରିଥିବା ଲିଖିତ ଏତଲାରେ ତାଙ୍କ ଝିଅ ସ୍ୱାମୀଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି।

ମାମଲାର ଯାଞ୍ଚ ଡିଏସପି ସ୍ତରର ଜଣେ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ତେବେ ଘଟଣା ପରେ ମହିଳାଙ୍କ ସ୍ୱାମୀ କେଉଁଆଡେ ଫେରାର ହୋଇଯାଇଥିବାରୁ ପୋଲିସ ତାଙ୍କୁ ଗିରଫ କରିପାରି ନାହିଁ। ହେଲେ ଅଭିଯୁକ୍ତ ଖୁବ୍ ଶୀଘ୍ର ଗିରଫ ହେବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.