କରଓ୍ବାଚୌଥ ଦିନ ସ୍ବାମୀକୁ ଜୀବନ୍ତ ଜାଳିଦେଲା ସ୍ତ୍ରୀ : ବିବାହର ୮ବର୍ଷ ପରେ ମଧ୍ୟ ନଥିଲା ସନ୍ତାନ,ସେହି କଳିରୁ ସଂସାର ଶେଷ

Published By : Prameya-News7 Bureau | November 06, 2020 IST

ଭୋପାଳ ୬/୧୧: କରଓ୍ବାଚୌଥ ଅବସରରେ ଦେଶ-ବିଦେଶରେ ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘାୟୁ ପାଇଁ ବ୍ରତ ରଖିଥିଲେ। ସେପଟେ ମଧ୍ୟପ୍ରଦେଶରେ ଏହି ଦିନ ଜଣେ ମହିଳା ନିଜ ସ୍ବାମୀଙ୍କୁ ଜୀବନ୍ତ ଜାଳିଦେବାର ସଙ୍ଗୀନ ଅଭିଯୋଗ ଆସିଛି। ସୂଚନା ଅନୁଯାୟୀ ସ୍ତ୍ରୀ ପିଲାଛୁଆ ନହେବାରୁ ହୋଇଥିବା ଝଗଡ଼ାକୁ ନେଇ ସ୍ବାମୀଙ୍କ ଉପରେ କିରୋସିନି ଢ଼ାଳି ଜୀବନ୍ତ ଜାଳି ଦେଇଛି।

ଏହି ଘଟଣା ଗନ୍ଧଓ୍ବାନିର ବୋରଡାବରା ଗାଁରେ ଘଟିଛି। ରାତି ପାଖାପାଖି ଦେଢ଼ଟାରେ ଝଗଡ଼ା ପରେ ମହିଳା ନିଜ ସ୍ବାମୀଙ୍କୁ ଜୀବନ୍ତ ଜାଳିଦେବାକୁ ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ପୋଲିସ୍ ଅଭିଯୁକ୍ତ ମହିଳାକୁ ଗିରଫ କରିଛି।

ପୋଲିସର କହିବା ଅନୁସାରେ ଝଗଡ଼ା ହେବାର ମୁଖ୍ୟ କାରଣ ହେଉଛି ବିବାହର ୮ବର୍ଷ ପରେ ମଧ୍ୟ ସେମାନଙ୍କ ପିଲାଛୁଆ ହେଉନଥିଲା।ଫଳରେ ସେମାନଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ସେହି ଦିନ ଝଗଡ଼ା ଏତେ ବଢ଼ିଯାଇଥିଲା ଯେ ହିରଲବାଈ ନାମ୍ନୀ ମହିଳା ନିଜ ଉପରେ କିରୋସିନି ଢ଼ାଳି ସ୍ବାମୀ ତୋପ ସିଂହଙ୍କୁ ନିଆଁ ଲଗାଇ ଦେଇଥିଲେ।

ତୋପ ସିଂହଙ୍କ ଚିତ୍କାର ଶୁଣି ଆଖପାଖର ଲୋକେ ତାଙ୍କ ଘରକୁ ପହଞ୍ଚିଥିଲେ ଏବଂ ପାଣି ପକାଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ କିନ୍ତୁ ସେତେବେଳ ସୁଦ୍ଧା ତାଙ୍କ ଶରୀର ଶତ ପ୍ରତିଶତ ଜଳି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରି ଦେଇଥିଲେ।

ସ୍ବାମୀଙ୍କ ମୃତ୍ୟୁ ପରେ ଧାରା ୩୦୨ ଅନୁସାରେ ମାମଲା ରୁଜୁ କରି ପୋଲିସ୍ ଅଭିଯୁକ୍ତ ମହିଳାକୁ ଗିରଫ କରିଥିଲା।ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କ ବୟାନ ନିଆଯାଇଥିଲା ଏବଂ ବୟାନ ଆଧାରରେ ମହିଳାଙ୍କୁ ଗିରଫ କରାଯାଇଥିଲା।
ଗାଁଲୋକଙ୍କ କହିବା ଅନୁସାରେ ଘଟଣା ସମୟରେ ତୋପ ସିଂହଙ୍କ ସାନ ଭଉଣୀ ଘରେ ଥିଲେ ଏବଂ ସେ ଖଇ ସାରି ଶୋଇବାକୁ ଚାଲି ଯାଇଥିଲେ। ତୋପ ସିଂହ ୧୧ଟାରେ ଘରକୁ ଫେରିବାରୁ ପିଲାଛୁଆ କଥାକୁ ନେଇ ଉଭୟଙ୍କ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଦୁହେଁ ପରସ୍ପର ଦ୍ବିତୀୟ ବିବାହ କରିବା କଥା କହୁଥିବାରୁ ଝଗଡ଼ା​‌ ଅଧିକ ବଢ଼ି ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.