Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଭିନେତ୍ରୀ ବିଦୁସ୍ମିତାଙ୍କ ସହ ବହୁ ପ୍ରାର୍ଥୀଙ୍କ ପତ୍ନୀ ଓ ପରିବାରର ମହିଳା ସଦସ୍ୟ ଏବେ ପ୍ରଚାର ପାଇଁ ମଇଦାନରେ

12/04/2019 at 6:10 PM

ଭୁବନେଶ୍ବର୧୨|୪: ସରିଛି ପ୍ରଥମ ପର୍ଯ୍ୟାୟ ଭୋଟ୍‌ । ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ଚାଲିଛି ଜୋରଦାର ପ୍ରଚାର । ପ୍ରତିପକ୍ଷକୁ ଇଞ୍ଚେ ବି ସ୍ଥାନ ଦେବାକୁ ଚାହୁଁ ନାହାନ୍ତି କେହି । କେବଳ ନେତା ନୁହନ୍ତି ତାଙ୍କ ପରିବାର ଲୋକ ବି ଲାଗିଛନ୍ତି ପ୍ରଚାରରେ ।ବିଶେଷକରି ପ୍ରଚାରରେ ପତ୍ନୀ ମାନଙ୍କ ଭୂମିକା ବେଶ ଗୁରୁତ୍ବବହନ କରୁଛି । ସେଥିପାଇଁ ନେତାମାନଙ୍କ ପାଇଁ ଏବେ ସହ ଧର୍ମିଣୀମାନେ ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି ।

ସ୍ବାମୀଙ୍କ ପାଇଁ ନିର୍ବାଚନ ପ୍ରଚାରରେ ଅର୍ଦ୍ଧାଙ୍ଗିନୀ । ଅଭିନେତ୍ରୀ ବିଦୁସ୍ମିତା । ଖରାତରାରେ ବୁଲି ସ୍ବାମୀ ତଥା ବଲାଙ୍ଗିର ବିଧାନସଭା ବିଜେପି ପ୍ରାର୍ଥୀ ଅନନ୍ତ ଦାଶଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି । ବଲାଙ୍ଗିରର ବିଭିନ୍ନ ସାହି ବସ୍ତିରେ ସ୍ବାମୀଙ୍କ ସହ ବୁଲି ପ୍ରଚାର କରୁଥିବା ବେଳେ ଭୋଟରଙ୍କୁ ଭୋଟ ଦେବାକୁ ନିବେଦନ କରୁଛନ୍ତି । କେବଳ ବିଦୁସ୍ମିତା ନୁହନ୍ତି ବଲାଙ୍ଗିର ରାଜପରିବାରର ବୋହୁମାନେ ବି ଏବେ ନିର୍ବାଚନ ପ୍ରଚାରରେ ।

ବିଜେଡି ନେତା ଅନଙ୍ଗ ଉଦୟ ସିଂଦେଓଙ୍କ ଦୁଇ ପୁଅ କଳିକେଶ ନାରାୟଣ ସିଂଦେଓ ଓ ଅର୍କେଶ ନାରାୟଣ ସିଂଦେଓ ବଲାଙ୍ଗିର ଲୋକସଭା ଓ ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ଅଛନ୍ତି । ତେଣୁ ସ୍ବାମୀଙ୍କ ପାଇଁ ସେମାନଙ୍କ ପତ୍ନୀ ଘର ଘର ଓ ଗାଁ ଗାଁ ବୁଲି ଲୋକଙ୍କୁ ଭୋଟ୍‌ ଭିକ୍ଷା କରୁଛନ୍ତି । ପତ୍ନୀଙ୍କ ପ୍ରତାର ଦ୍ବାରା ପ୍ରାର୍ଥୀଙ୍କ ଅଧା ଟେନସନ୍‌ କମିଯାଉଛି ।

ସେହିଭଳି ବଲାଙ୍ଗିର ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ଓ ଲୋକସଭା ପାଇଁ ପୁଅ ସମରେନ୍ଦ୍ର ମିଶ୍ରଙ୍କ ପାଇଁ ପ୍ରଚାରରେ ଲାଗିପଡିଛନ୍ତି ପରିବାର ସଦସ୍ୟ । ସମରେନ୍ଦ୍ରଙ୍କ ପତ୍ନୀ ନିର୍ବାଚନ ପ୍ରଚାରକୁ ଓହ୍ଲାଇନଥିଲେ ବି ତାଙ୍କର ଦୁଇ ଭାଇଙ୍କ ପତ୍ନୀ ନିର୍ବାଚନ ପ୍ରଚାର କରୁଛନ୍ତି । ଘରଘର ବୁଲି ଶ୍ବଶୁର ଓ ଦିଅରଙ୍କ ପାଇଁ ନିର୍ବାଚନ ପ୍ରଚାରରେ ଲାଗିଛନ୍ତି ଏମାନେ ।

ସେହିଭଳି ବାରବାଟୀ-କଟକ ଆସନର କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୁକିମଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ତାଙ୍କ ଝିଅ । ପ୍ରାର୍ଥୀପତ୍ର ଦାଖଲଠୁ ପ୍ରଚାର ପର୍ଯ୍ୟନ୍ତ ସବୁବେଳେ ବାପାଙ୍କ କାନ୍ଧରେ କାନ୍ଧ ମିଶାଇ ଚାଲିଛନ୍ତି ସେ । ସେହିପରି ସାଲେପୁର ବିଜେପି ପ୍ରାର୍ଥୀ ପ୍ରକାଶ ବେହେରାଙ୍କ ପତ୍ନୀ ବି ତାଙ୍କ ସହ ଛାଇଭଳି ଅଛନ୍ତି । ନାମାଙ୍କନ ପତ୍ର ଦାଖଲ ହେଉ କି ପ୍ରଚାର ସବୁଥିରେ ପ୍ରକାଶଙ୍କ ସ୍ତ୍ରୀ ତାଙ୍କୁ ସହାୟତା କରୁଛନ୍ତି ।

କୁହାଯାଏ ସବୁ ସଫଳ ପୁରୁଷଙ୍କ ପଛରେ ଥାଏ ଜଣେ ଜଣେ ମହିଳାଙ୍କ ହାତ । ତେବେ ଏମାନଙ୍କ କ୍ଷେତ୍ରରେ ଏହା କେତେ ଦୁର ଯଥାର୍ଥ ହେଉଛି ତାହା ଭୋଟ୍ ଗଣତି ପରେ ହିଁ ଜଣା ପଡିବ ।

   Related Posts