ପୋଲିସ ଅଫିସରଙ୍କ ନାଁରେ ପତ୍ନୀଙ୍କ ସଙ୍ଗୀନ ଅଭିଯୋଗ, ମହିଳା ଏସଆଇଙ୍କ ପ୍ରେମରେ ପଡି ପତ୍ନୀଙ୍କୁ ନିର୍ଯ୍ୟାତନା, ପୁଅକୁ ପଚାରୁ ନାହାନ୍ତି, କୋର୍ଟରେ କରିଛନ୍ତି ଛାଡପତ୍ର ମୋକଦ୍ଦମା

Published By : Prameya-News7 Bureau | April 30, 2021 IST

ଯାଜପୁର ୩୦।୦୪:  ପରକୀୟା ପ୍ରୀତିରେ ଉବୁଟୁବୁ ପୋଲିସ ବାବୁ। ସ୍ତ୍ରୀ ଓ ପୁଅ ଥାଇ ନିଜ ବିଭାଗର ସୁନ୍ଦରୀ ଅଧସ୍ତନ କର୍ମଚାରୀଙ୍କ ପ୍ରେମରେ ଭାସୁଛନ୍ତି ମହାଶୟ। ବାହାଘରକୁ ୧୭  ବର୍ଷ ହେଲାଣି। ବାବୁଙ୍କ ପ୍ରେମ ନିଶା ଏବେ ଏମିତି ଯେ, ସ୍ତ୍ରୀଙ୍କଠୁ ଅଲଗା ହେବାକୁ  କୋର୍ଟକୁ ଯାଇଛନ୍ତି। ଏପଟେ ପତ୍ନୀ ସ୍ଵାମୀଙ୍କ ପରକୀୟା ପ୍ରୀତି ସାଙ୍ଗକୁ ଅବୈଧ ସଂପର୍କ ନେଇ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଖୋଲିଛନ୍ତି ମୁଖା। ଆଉ ଏଇ ଘଟଣା ଏବେ କେବଳ ପୋଲିସ ବାବୁଙ୍କ କର୍ମ କ୍ଷେତ୍ର ନୁହେଁ ଡିପାର୍ଟମେଣ୍ଟରେ ବି ଚର୍ଚ୍ଚାର ବିଷୟ।

ପୋଲିସ ବାବୁ ଜଣଙ୍କ ତଳିଆ କର୍ମଚାରୀ ନୁହନ୍ତି ପଦସ୍ଥ ଅଫିସର। ଅଭିଯୋଗ ଅନୁଯାୟୀ, ସେ ହେଲେ ଅନୁଗୋଳରେ ଅବସ୍ଥାପିତ ଏସଡିପିଓ ଅଶ୍ଵିନ କୁମାର ସାହୁ।   ବାବୁ ୨୦୦୪ ମସିହାରେ ବିବାହ କରିଥିଲେ। ତାଙ୍କର ପୁଅଟିଏ ଅଛି। କିନ୍ତୁ ବାବୁ କୁଆଡେ  ସ୍ତ୍ରୀ-ପୁଅକୁ ଛାଡି ଜଣେ ଏସଆଇ ମ୍ୟାଡ୍‌ମଙ୍କ ପ୍ରେମରେ ପହଁରୁଛନ୍ତି। ଏସଡିପିଓଙ୍କ ପତ୍ନୀ କରିଥିବା ଅଭିଯୋଗୁ ଏହା ଜଣା ପଡିଛି। ଅଶ୍ଵିନ କୁମାରଙ୍କ ଏହି ପରକୀୟା ପ୍ରୀତି ୨୦୧୧ର।  ଯାଜପୁର ରୋଡ୍ ଥାନରେ ଅବସ୍ଥାପିତ ହେବା ବେଳେ ସଂପୃକ୍ତ ଏସଆଇ ମ୍ୟାଡମଙ୍କ ପ୍ରେମରେ ପଡିଥିଲେ ଅଶ୍ଵିନ କୁମାର ସାହୁ। ଏପରିକି ଏଥିପାଇଁ ସେ ପତ୍ନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା

ଦେଉଥିବା ଅଭିଯୋଗ କରିଛନ୍ତି ଅଶ୍ୱିନୀଙ୍କ ସ୍ତ୍ରୀ। ମହିଳା ଏସଆଇଙ୍କ ସହ ସ୍ଵାମୀଙ୍କ ସଂପର୍କ  ଜାଣିବା ପରେ ଅଶ୍ୱିନୀ ଙ୍କ ସ୍ତ୍ରୀ ଏହାକୁ ବିରୋଧ କରିଥିଲେ। ସେଥିପାଇଁ ତାଙ୍କୁ ବହୁତ ଦିନ ହେବ ବିଭିନ୍ନ ପ୍ରକାର ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ ଅଶ୍ୱିନୀ। ହେଲେ ଏସବୁ ସହି ଚୁପ ଚାପ ରହୁଥିଲେ ଅଶ୍ୱିନୀଙ୍କ ସ୍ତ୍ରୀ । ହେଲେ ସ୍ତ୍ରୀଙ୍କୁ ନଜଣାଇ କୋର୍ଟରେ ଛାଡ଼ ପତ୍ର ପାଇଁ ଆବେଦନ କରିଥିଲେ ଅଶ୍ୱିନୀ । ଏହାକୁ ବିରୋଧ କରି ଅଶ୍ଵିନଙ୍କ ପତ୍ନୀ ମହିଳା କମିଶନଙ୍କ ପାଖରୁ ଆରମ୍ଭ କରି ଡିଜିପି ଙ୍କ ଦ୍ୱାରସ୍ତ ହୋଇଛନ୍ତି। କିନ୍ତୁ କେହି ଶୁଣୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣାରେ ଅଶ୍ଵିନ କୁମାର ସାହୁଙ୍କ ପ୍ରତିକ୍ରିୟା ଜଣା ପଡିନାହିଁ। ନ୍ୟାୟ ଅପେକ୍ଷାରେ ଏବେ ପୋଲିସ ବାବୁଙ୍କ ବିବାହିତା ପତ୍ନୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.