ପୁଅ ଜନ୍ମ ନହେବାରୁ ସ୍ତ୍ରୀ ଉପରକୁ ଏସିଡ ଫୋପାଡ଼ି ଦେଲା ସ୍ୱାମୀ: କାନ୍ଦି କାନ୍ଦି ନିଜ କାହାଣୀ କହିଲେ ମହିଳା

Published By : Prameya-News7 Bureau | January 15, 2019 IST

ରାଞ୍ଚି ୧୫/୧ : ପୁଅ ଜନ୍ମ ନହେବାରୁ ସ୍ତ୍ରୀ ଉପରେ ଏସିଡ ଫୋପାଡ଼ି ଦେଲେ ସ୍ୱାମୀ | ମହିଳା ଏବେ ସରକାରଙ୍କ ସହାୟତାକୁ ଅନେଇ ବସିଛନ୍ତି | ମହିଳା ଜଣକ ହେଲେ ରିଙ୍କୁ ଦେବୀ |

ସୂଚନାଯୋଗ୍ୟ ଯେ, ୨୦୧୧ ମସିହାରେ ରିଙ୍କୁ ଦେବୀଙ୍କ ବିବାହ ବଳରାମ ଶାବଙ୍କ ସହ ହୋଇଥିଲା | ସେତେବେଳେ ମହିଳାଙ୍କ ବୟସ ୧୭ ବର୍ଷ ଥିଲା | ବିବାହ ପରେ ଶାଶୂଘରେ ସବୁ ଠିକଠାକ ଚାଲିଥିଲା | ସ୍ୱାମୀ, ଶ୍ୱଶୁର, ଶାଶୂ ସମସ୍ତେ ତାଙ୍କୁ ସ୍ନେହ କରୁଥିଲେ | ବିବାହର କିଛି ବର୍ଷ ପରେ ରିଙ୍କୁଙ୍କର ଦୁଇଟି ଝିଅ ହୋଇଥିଲେ | ଝିଅ ହେବାପରେ ଶାଶୂଘରଲୋକଙ୍କ ବ୍ୟବହାର ବଦଳିଗଲା | ଶାଶୂଘରଲୋକ ରିଙ୍କୁଙ୍କ ପ୍ରତି ବହୁତ ରୁକ୍ଷ ବ୍ୟବହାର କରିବା ଆରମ୍ଭ କରିଥିଲେ | ସ୍ୱାମୀ ମଧ୍ୟ ତାଙ୍କୁ ବାରମ୍ବାର ବଂଶ ରକ୍ଷା ପାଇଁ ପୁଅ ଜନ୍ମ କରିବାକୁ କହୁଥିଲେ | ତେବେ ପୁଅ ଜନ୍ମ ତ ରିଙ୍କୁଙ୍କ ହାତରେ ନଥିଲା |

୨୦୧୮ ମସିହା ଏପ୍ରିଲ ୨୯ ତାରିଖରେ ରିଙ୍କୁଙ୍କ ସ୍ୱାମୀ ଏବଂ ଶାଶୂଘର ଲୋକେ କୌଣସି ପୂଜା କରିବା ବାହାନାରେ ମନ୍ଦିରକୁ ଯାଇଥିଲେ | ଏତିକିବେଳେ ରିଙ୍କୁଙ୍କ ସ୍ୱାମୀ ତାଙ୍କ ଉପରକୁ ଏସିଡ ଫୋପାଡ଼ିଦେଇଥିଲେ | ଏସିଡ ଆକ୍ରମଣ ପରେ ରିଙ୍କୁଙ୍କ ହୋସ ନଥିଲା | ସେ ହସ୍ପିଟାଲ କେମିତି ପହଁଚିଲେ ତାହା ସେ ନିଜେ ମଧ୍ୟ ଜାଣିନାହାନ୍ତି | ହୋଶ ଆସିଲା ପରେ ସେ କଷ୍ଟ ଅନୁଭବ କରିଥିଲେ | ତାଙ୍କର ପୁରା ଚେହେରା ଜଳି ଯାଇଥିଲା | ରିଙ୍କୁଙ୍କ ଚିକିତ୍ସା ପ୍ରଥମେ ରିମ୍ସ ହସ୍ପିଟାଲରେ ହୋଇଥିଲା | ସେଠାରୁ ତାଙ୍କୁ ଦେବକମଳ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ଡାକ୍ତର ଅନନ୍ତ ସିହ୍ନା ତାଙ୍କର ଚିକିତ୍ସା କରିଥିଲେ |

ରିଙ୍କୁ କାନ୍ଦି କାନ୍ଦି ନିଜ ଦୁଃଖର କାହାଣୀ ବୟାନ କରିଛନ୍ତି | ସେ କହିଛନ୍ତି ଯେ, ଯେଉଁ ଦୁଇ ଝିଅ ପାଇଁ ତାଙ୍କ ଉପରକୁ ଏସିଡ ମାଡ କରାଯାଇଥିଲା ସେହି ଦୁଇ ଝିଅଙ୍କୁ ସେ ଅଫିସର କରିବା ପାଇଁ ଚାହୁଁଛନ୍ତି | ସେ ନିଜ ସ୍ୱାମୀ ଏବଂ ଶାଶୂଘର ଲୋକଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବାକୁ ଚାହାନ୍ତି ବୋଲି କହିଛନ୍ତି | ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ସେ ସମାଜକୁ ସଚେତନ କରିବାକୁ ଚାହାନ୍ତି ଯେ, ମହିଳାମାନେ ମଧ୍ୟ କେଉଁ କ୍ଷେତ୍ରରେ ପୁଅଙ୍କ ଠାରୁ କମ ନୁହନ୍ତି | ପୁଅମାନେ ଯାହା କରିବେ ଝିଅମାନେ ମଧ୍ୟ ସେସବୁ କରିପାରିବେ | ତେବେ ସବୁ କ୍ଷେତ୍ରରେ ପୁଅମାନଙ୍କୁ ହିଁ କାହିଁକି ପ୍ରାଥମିକତା ଦିଆଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି | ରିଙ୍କୁ ସରକାରଙ୍କୁ ଗୁହାରି କରିଛନ୍ତି ଯେ, ତାଙ୍କୁ କୌଣସି ଏକ ଚାକିରୀ ଦିଆଯାଉ | ଯାହାଫଳରେ ସେ ନିଜ ଦୁଇ ଝିଅଙ୍କୁ ପାଠ ପଢାଇ ପାରିବେ |

ରିଙ୍କୁଙ୍କ ଚିକିତ୍ସା ପାଇଁ ସରକାର ୩ ଲକ୍ଷ ଟଙ୍କା ସାହାଯ୍ୟ କରିଥିଲେ | ସେହି ସହାୟତା ରାଶି ମଧ୍ୟ ସରିଗଲାଣି ବୋଲି ରିଙ୍କୁ କହିଛନ୍ତି | ନିଜ ପେଟପାଟଣା ଓ ଝିଅଙ୍କ ପାଠ ପାଇଁ ସେ କାମ କରିବାକୁ ଚାହାନ୍ତି ବୋଲି କହିଛନ୍ତି |

ଦେବକମଳ ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତର ଅନନ୍ତ ସିହ୍ନା କହିଛନ୍ତି ଯେ, ୨୦୧୮ ମସିହା ଡିସେମ୍ବର ୧୧ ତାରିଖରେ ମହିଳା ଆୟୋଗ ଅଧ୍ୟକ୍ଷା କଲ୍ୟାଣୀ ଶରଣଙ୍କୁ ଚିଠି ଲେଖାଯାଇଥିଲା | ରିଙ୍କୁଙ୍କ ଉପରକୁ ଏସିଡ ମାଡ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ନେଇ ଚିଠିରେ ଲେଖାଯାଇଥିଲା | ଚିଠିରେ ଲେଖାଯାଇଥିଲା ଏଭଳି ମହିଳାଙ୍କୁ ସାମାଜିକ ସୁରକ୍ଷା ଦିଆଯିବ ଉଚିତ | ଏଭଳି ଅମାନୁଷିକ କାଣ୍ଡ ଘଟାଉଥିବା ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ମହିଳା ଆୟୋଗ ଅଧ୍ୟକ୍ଷାଙ୍କୁ ଚିଠି ମାଧ୍ୟମରେ ନିବେଦନ କରାଯାଇଥିଲା | କିନ୍ତୁ ଚିଠି ପଠାଇବାର ମାସେ ପରେ ମଧ୍ୟ ମହିଳା ଆୟୋଗ ତରଫରୁ କୌଣସି ଜବାବ ଏପର୍ଯ୍ୟନ୍ତ ଆସିନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.