ଚାଲବାଜ୍ ସୁନ୍ଦରୀ : ପ୍ରଥମ ସ୍ୱାମୀକୁ ୧ କୋଟି, ଦ୍ୱିତୀୟ ବରକୁ ୪୫ ଲକ୍ଷ ଠକିଲା, ତୃତୀୟ ବିବାହ କରି ଆମେରିକା ଚମ୍ପଟ୍
7/08/2020 at 4:28 PM

ରାଞ୍ଚୀ,୦୭|୦୮: ଝାଡଖଣ୍ଡର ଚତରାରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ରହୁଥିବା ପ୍ରିୟଙ୍କା କୁମାରୀନାମକ ଜଣେ ଯୁବତୀ ଅନଲାଇନରେ ଜଣେ ନୁହେଁ ବରଂ ୩ଜଣ ଯୁବକଙ୍କୁ ଠକି ବିଦେଶ ପଳାଇଛନ୍ତି । ପ୍ରିୟଙ୍କା ଏତେ ଧୂର୍ତ୍ତ ଯେ ସେ ଭିନ୍ନ ଭିନ୍ନ ରାଜ୍ୟର ଯୁବକଙ୍କୁ ନିଜ ଜାଲରେ ଫସାଇବା ସହ କୋଟି କୋଟି ଟଙ୍କା ଠକି ନେଇଛନ୍ତି ।
କୁହାଯାଉଛି ଯେ, ପ୍ରିୟଙ୍କା ଅନଲାଇନ୍ ବିବାହ ଓ୍ୱେବସାଇଟରେ ପ୍ରଥମେ ନିଲୟ କୁମାର ନାମକ ଜଣେ ଯୁବକଙ୍କୁ ଫସାଇଥିଲେ । ଉଭୟେ ରାଞ୍ଚୀରେ ବିବାହ କରିଥିଲେ । ୨ ବର୍ଷ ପରେ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା ।ଏହା ମଧ୍ୟରେ ପ୍ରିୟଙ୍କା ନିଲୟଙ୍କଠୁ ୧ କୋଟି ଟଙ୍କା ଠକି ଫେରାର ହୋଇଯାଇଥିଲେ ।
କିଛିଦିନ ପରେ ପ୍ରିୟଙ୍କା ପୁଣି ଅନଲାଇନରେ ନିଜକୁ ଅବିବାହିତ କହି ଗୁଜୁରାଟର ଅମିତ ମୋଦୀନାମକ ଜଣେ ଯୁବକଙ୍କୁ ଫସାଇଥିଲେ । ତାଙ୍କ ସହ ବିବାହ ପରେ ଆର୍ଥିକ ଦୁସ୍ଥିତିର ବାହାନା କରି ୪୫ ଲକ୍ଷ ଟଙ୍କା ନେଇଥିଲେ । ଏହାପରେ ସେ ଅମିତଙ୍କୁ ଦିଲ୍ଲୀ ଯିବେ ବୋଲି କହିଥିଲେ । ସେବେଠୁ ପ୍ରିୟଙ୍କା ଦିଲ୍ଲୀ ଯାଇ ଆଉ ଫେରିନଥିଲେ । ଅମିତ ପରେ ଜାଣିବାକୁ ପାଇଥିଲେ ଯେ ପ୍ରିୟଙ୍କା ୨୦୧୮ଡିସେମ୍ବର ୨୯ରେ ପୁଣେର ସୁମିତଙ୍କୁ ବିବାହ କରିଥିଲେ । ଏହାପରେ ସେମାନେ କାଲିଫର୍ଣ୍ଣିଆ ଚାଲିଯାଇଥିଲେ ।
ଏହି ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ସୁମିତଙ୍କ ମାଆ ପ୍ରିୟଙ୍କାଙ୍କ ଫୋନରେ ଅମିତଙ୍କ କଲ୍ ଦେଖିଥିଲେ । ଏପରିକି ଅମିତଙ୍କ ସହ ପ୍ରିୟଙ୍କାଙ୍କ ଫଟୋ ମଧ୍ୟ ଦେଖିଥିଲେ । ଏହାପରେ ସତ ସାମ୍ନାକୁ ଆସିଥିଲା । ସେ ପୁଣେ ପୋଲିସରେ ଏନେଇ ଅଭିଯୋଗ କରିଥିଲେ । ଏପରିକି ପ୍ରିୟଙ୍କା ପାସପୋର୍ଟ ଅଫିସରେ ମଧ୍ୟ ଭୁଲ ତଥ୍ୟ ଦେଇଥିବା ଜଣାପଡିଛି ।