ନିଃସହାୟ ବିଧବା ମହିଳାଙ୍କୁ ଗାଁରେ ନିଆଁ ପାଣି ବାସନ୍ଦ : ନ୍ୟାୟ ପାଇଁ ପ୍ରଶାସନର ଦ୍ବାରସ୍ଥ

Published By : Prameya-News7 Bureau | October 24, 2018 IST

ପୁଲବାଣୀ ୨୪|୧୦: ଜଣେ ନିଃସହାୟ ବିଧବା ମହିଳାଙ୍କୁ ଗାଁରେ ନିଆଁ ପାଣି ବାସନ୍ଦ କରାଯାଇଥିବା ଅଭିଯୋଗ । ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଳା ସାରଙ୍ଗଗଡ଼ ବଣ୍ଡଗୁଡ଼ା ଗାଁରୁ । ଗାଁର ସୀତାୟା ବିନ୍ଧାଣୀଙ୍କୁ କିଛି ଲୋକ ଭିଟାମାଟି ଛାଡ଼ି ଚାଲିଯିବାକୁ ଧମକ ଦେବା ସହ ଗାଁରେ ଏକ ଘରିକିଆ କରିଛନ୍ତି । ଏମିତିରେ ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ସୀତାୟା ଥାନାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ଆବଶ୍ୟକ ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି । ଜୀବନ ଜଞ୍ଜାଳ ଭିତରେ ଏକୁଟିଆ ଛାଡ଼ି ଆରପାରିକୁ ଚାଲିଗଲେ ସ୍ବାମୀ । ସାମାଜିକ ଚଳଣିକୁ ମାନି ଗୋଟିଏ ମାତ୍ର ଝିଅକୁ ବାହା ଦେବା ପରେ ଚାହିଁଥିଲେ ସାହି ଭାଇଙ୍କୁ ଧରି ଏକାକୀ ଜୀବନର ବାକି ସମୟତକ କାଟିଦେବେ । କାହାକୁ ଭରସା ନକରି ସିଲେଇ ମେସିନକୁ ନିଜର ସାଥୀ ରୂପେ ବାଛି ନେଲେ । ଜରିଅଖା, କପଡ଼ା ସିଲେଇ କରି ଗୁଜରାଣ ମେଣ୍ଟାଇବାକୁ ଚେଷ୍ଟା କରୁଥିଲେ । ହେଲେ ସମୟ ଆଉ ସମ୍ପର୍କ ତାଙ୍କୁ ଏବେ ପର କରିଦେଇଛି । ଯେଉଁମାନଙ୍କ ମୁହଁକୁ ଅନାଇ ବାକି ଜୀବନ କାଟିବାକୁ ଆଶା କରିଥିଲେ ସେଇମାନେ ହିଁ ଶେଷରେ ମୁହଁ ମୋଡ଼ିଛନ୍ତି । ଖାଲି ମୁହଁ ମୋଡ଼ି ନାହାନ୍ତି, ଭିଟାମାଟି ଛାଡ଼ି ଚାଲିଯିବାକୁ ଧମକ ମଧ୍ୟ ଦେଉଛନ୍ତି । ଏମିତିରେ ଏକାକୀ ସୀତାୟା କାହାକୁ କହିବେ ? କିଏ ଶୁଣିବ ତାଙ୍କ କଥା ? ନିଜ ସମାଜ ଯେତେବେଳେ ତାଙ୍କର ଅସହାୟତାକୁ ବୁଝି ପାରିଲାନି । ଗାଁରେ ନିଆଁ ପାଣି ବାସନ୍ଦ କରିବାକୁ ବି ପଛାଇଲାନି । ସେତେବେଳେ ବାଧ୍ୟ ହୋଇ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ସୀତାୟା । ହେଲେ ସେଠି ବି ମିଳିନ ସହାୟତାର ଭରସା । ବାଧ୍ୟ ହୋଇ ଏସପିଙ୍କୁ ନେହୁରା ହୋଇଛନ୍ତି । ସୀତାୟାଙ୍କ ଠାରୁ ଏଭଳି ଅଭିଯୋଗ ଶୁଣିବା ପରେ ଆମେ ସ୍ଥାନୀୟ ସରପଞ୍ଚ, କମାର ସମାଜ ଉପଦେଷ୍ଟା ଏବଂ ଜି.ଉଦୟଗିରି ଏସଡିପିଓଙ୍କୁ ଭେଟିଥିଲୁ । କ’ଣ କହୁଥିଲେ ସେମାନେ ଚାଲନ୍ତୁ ଦେଖିବା । ମାମଲା ଯାଇ ଥାନାରେ ପହଞ୍ଚିଲାଣି ସରପଞ୍ଚ କହୁଛନ୍ତି ସେ ଜାଣିନାହାନ୍ତି । ଯେଉଁମାନେ କମାର ସମାଜର ଠିକାଦାର ସାଜିଛନ୍ତି ସେମାନେ କ୍ୟାମେରା ଦେଖି କଥା ବଦଳାଉଛନ୍ତି । ଆଉ ବାଡ଼ କ୍ଷେତ ଖାଇଲା ଭଳି ପୋଲିସ ମଧ୍ୟ ମାମଲାର ଗୁରୁତ୍ବ ବୁଝିବାକୁ ଚେଷ୍ଟା କରୁନି । ଏମିତିରେ ନିଃସହାୟ ସୀତାୟା ଏବେ ଗୁହାରି କରିବେ କାହାକୁ ? ଏଠି ଆଇନ କାନୁନ୍‌ ପୋଲିସ ଥାନା କୋର୍ଟ କଚେରୀ ସବୁ ଥାଇ ବି ଯଦି ଜଣେ ନ୍ୟାୟ ପାଇବାରୁ ବଞ୍ଚିତ ହେବ ସେଥିପାଇଁ ଆମେ କାହାକୁ ଦାୟି କରିବା ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.