ବିବାହ କରିବାକୁ ମନା କରିବାରୁ ବିଧବାଙ୍କ ନାକ ଏବଂ ଜିଭ କାଟି ଦେଲେ ଶାଶୁ ଘର ଲୋକେ : ମୁଖ୍ୟ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | November 18, 2020 IST

ଜୟସାଲମେର ୧୮/୧୧: ପଶ୍ଚିମ ରାଜସ୍ଥାନରେ ଭାରତ-ପାକିସ୍ତାନ ବର୍ଡ଼ରରେ ଥିବା ଜୟସାଲମେର ଜିଲ୍ଲାରେ ହୃଦୟବିଦାରକ ଘଟଣା ସାମନାକୁ ଆସିଛି। ଏଠାରେ ଦ୍ବିତୀୟ ବିବାହ କରିବାକୁ ମନା କରିବାରୁ ଜଣେ ବିଧବା ମହିଳାଙ୍କ ନାକ ଏବଂ ଜିଭ କାଟି ଦିଆଯାଇଛି। ଗୁରୁତର ମହିଳାଙ୍କର ଜୋଧପୁରରେ ଚିକିତ୍ସା ଚାଲିଛି। ମାମଲା ସାମନାକୁ ଆସିବା ପରେ ପୋଲିସ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ୍ ଖୋଜୁଛି। ପୀଡ଼ିତ ମହିଳାଙ୍କ ଭାଇ ସାଙ୍କଡ଼ା ଥାନାରେ ଏନେଇ ମାମଲା ରୁଜୁ କରିଛନ୍ତି।

ଘଟଣାଟି ଘଟିଛି ଜଙ୍ଗୀରୋର ଢାଣୀରେ। ଏଠାରେ ଜଣେ ବିଧବାଙ୍କୁ ତାଙ୍କ ଶାଶୁ ଘରର ଲୋକେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିବାକୁ ବାଧ୍ୟ କରୁଥିଲେ। କିନ୍ତୁ ମହିଳା ଏଥିପାଇଁ ରାଜି ହେଉନଥିଲେ। ଏଥିରେ ରାଗିଯାଇ ଶାଶୁ ଘର ଲୋକେ ମହିଳାଙ୍କ ନାକ ଏବଂ ଜିଭ କାଟି ଦେଇଥିଲେ। ପୋଲିସ୍ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଜାନୁ ଖାନକୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କ ଖୋଜା ଚାଲିଛି। ଏଯାଏଁ ତାଙ୍କ ବିଷୟରେ କୌଣସି ପତ୍ତା ମିଳିନାହିଁ।

ପୋଲିସର କହିବା ଅନୁସାରେ ପୀଡ଼ିତାଙ୍କ ଭାଇ ବସୀର ଖାନ ରୁଜୁ କରିଥିବା ମାମଲା ଅନୁସାରେ ତାଙ୍କ ଭଉଣୀଙ୍କ ୬ବର୍ଷ ତଳେ କୋଜେ ଖାନଙ୍କ ସହ ବିବାହ ହୋଇଥିଲା। ବିବାହର ୧ବର୍ଷ ପରେ କୋଜେ ଖାନଙ୍କ ମୃତ୍ୟୁ ହୋଇଥିଲା। ଏହା ପରଠୁ ଶାଶୁ ଘର ଲୋକେ ତାଙ୍କୁ ଅନ୍ୟ ଜଣଙ୍କୁ ବିବାହ କରିବା ପାଇଁ ବାଧ୍ୟ କରୁଥିଲେ କିନ୍ତୁ ତାଙ୍କ ଭଉଣୀ ଏଥିରେ ରାଜି ହୋଇନଥିଲେ।

ମଙ୍ଗଳବାର ଦ୍ବିପ୍ରହର ୧ଟାରେ ଦୁଲେ ଖାନ୍,ଇକବାଲ ଖାନ,ହାସମ ଖାନ,ଫାରୁକ ଖାନ,ଆମ୍ବେ ଖାନ,ଲାଡୁ ଖାନ,ମନୁ ଖାନ,ଅନଓ୍ବର ଖାନ୍,ସଲିମ ଖାନ,ଜାନୁ ଖାନ,ନେମତେ ଖାନ ଏବଂ ନେବେ ଖାନ୍ ବାଇକ୍ ଏବଂ ଟ୍ରାକ୍ଟରରେ ଆସିଥିଲେ। ସେମାନେ ଏକାଠି ପୀଡ଼ିତାଙ୍କ ଉପରେ ପ୍ରାଣଘାତୀ ଆକ୍ରମଣ କରିଥିଲେ। ଏହା ପରେ ଧାରୁଆ ଅସ୍ତ୍ରରେ ତାଙ୍କ ଭଉଣୀଙ୍କ ନାକ ଏବଂ ଜିଭ କାଟି ଦେଇଥିଲେ। ସେମାନେ ମହିଳାଙ୍କ ଡାହାଣ ହାତ ମଧ୍ୟ ଭାଙ୍ଗି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.