ସୁର ରାଉତରାୟ କାନ୍ଦିଲେ କାହିଁକି ?
20/06/2020 at 10:34 AM

ଭୁବନେଶ୍ବର ୨୦।୬: ରଥଯାତ୍ରା ବନ୍ଦ ନେଇ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ ପୂର୍ବତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ସୁର ଭାବବିହ୍ୱଳ ହୋଇପଡ଼ିଥିଲେ । ତାଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇପଡ଼ିଥିଲା । ଅତ୍ୟନ୍ତ ଭାବପ୍ରବଣ ହୋଇ କହିଥିଲେ, ମୁଁ ଗତ ୬୫ ବର୍ଷ ହେବ ମହାପ୍ରଭୁଙ୍କ ରଥ ଟାଣି ଆସୁଛି ।
ଗୁରୁବାର ରଥଯାତ୍ରା ବନ୍ଦ ହେବ ବୋଲି ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ରାତି ସାରା ଶୋଇପାରିନି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଷଡ଼ଯନ୍ତ୍ର କରିଛନ୍ତି । ରଥଯାତ୍ରା ବନ୍ଦ କରିବାକୁ ଚାହୁଁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ସୁପ୍ରିମକୋର୍ଟରେ ଆଡଭୋକେଟ୍ ଜେନେରାଲ୍ ରଥଯାତ୍ରା ହେବା ସପକ୍ଷରେ ଠିକ ଭାବେ ଯୁକ୍ତି ବାଢ଼ିନାହାନ୍ତି । ଯଦି ରଥ ଯାତ୍ରା ବନ୍ଦ କରିବାର ଥିଲା, ରଥ ପ୍ରତିଷ୍ଠା କାହିଁକି କଲ ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
ଅପରପକ୍ଷେ ରାଜ୍ୟ ସରକାର କେବଳ ସେବାୟତ ଓ ପୁଲିସ୍ କର୍ମଚାରୀଙ୍କୁ ନେଇ ରଥଯାତ୍ରା କରିଥିଲେ ଚଳିଥାନ୍ତା ବୋଲି ଯୁକ୍ତି ବାଢ଼ିଛନ୍ତି । ସ୍ନାନ ପୂର୍ଣ୍ଣିମା ମଧ୍ୟ ସୁରୁଖୁରୁରେ ହୋଇଥିଲା । ଭକ୍ତମାନେ ବିଶୃଙ୍ଖଳା କରିନାହାନ୍ତି । ସୁପ୍ରିମକୋର୍ଟରେ ହୋଇଥିବା ରିଭ୍ୟୁ ପିଟିସନ୍ ଶୁଣାଣି ସମୟରେ ତୁରନ୍ତ ରଥଯାତ୍ରାର ସମାଧାନ କରିବାକୁ ସେ ଦାବି କରିଛନ୍ତି ।