ଶରଦ ପୂ୍ର୍ଣ୍ଣିମା ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି, ଜାଣନ୍ତୁ ୫ଟି କାରଣ
5/10/2019 at 7:06 PM

ପୂର୍ଣ୍ଣିମା ପ୍ରତିମାସରେ ଆସେ, ତେବେ ବର୍ଷର ଆଶ୍ୱିନମାସ ପୂର୍ଣ୍ଣିମାର ଖାସ ମହତ୍ୱ ରହିଛି। ଏହି ପୂର୍ଣ୍ଣିମାକୁ ଶରଦ ପୂର୍ଣ୍ଣିମା କୁହାଯାଏ। ଏହି ପୂର୍ଣ୍ଣିମାରେ ଚନ୍ଦ୍ର ତାଙ୍କର ଷୋଳକଳା ପ୍ରାପ୍ତ କରି ରାତି ତମାମ ପୃଥିବୀରେ ଅମୃତ ବର୍ଷା କରନ୍ତି। ଏହା ଛଡା ହିନ୍ଦୁ ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ଶ୍ରୀକୃଷ୍ଣ ଏହି ପୂର୍ଣ୍ଣିମାରେ ମହାରାସ ରଚିଥିଲେ। ଏଣୁ ରାତିତମାମ ଲୋକେ ଉଜାଗର ରହି ଭଜନ କିର୍ତ୍ତନରେ ମଗ୍ନ ରହନ୍ତି।

ଶରଦ ପୂର୍ଣ୍ଣିମା ରାତ୍ରିରେ ମହାଲକ୍ଷ୍ମୀ ପୃଥିବୀ ପରିକ୍ରମା ଲାଗି ଆସନ୍ତି ବୋଲି ମଧ୍ୟ ମାନ୍ୟତା ରହିଛି। ଏଣୁ ଶରଦ ପୂର୍ଣ୍ଣିମା ରାତିରେ ଖୀରି ପ୍ରସ୍ତୁତ କରି ଲୋକେ ଘର ଛାତ ଉପରେ ଚନ୍ଦ୍ରଙ୍କ କିରଣରେ ରଖନ୍ତି। ଯାହାକୁ ସକାଳେ ଭୋଗ ଲାଗି କରାଯାଏ। ଚନ୍ଦ୍ରଙ୍କ ଅମୃତା ବର୍ଷାରେ ଖୀରି ଅମୃତ ପାଲଟିଯାଏ ବୋଲି ଲୋକଙ୍କ ଧାରଣା ରହିଛି। ଅନ୍ୟପକ୍ଷରେ ମା ଲକ୍ଷ୍ମୀଙ୍କ ପୃଥିବୀ ପରିକ୍ରମା ଯୋଗୁ ଲୋକେ ସୁଖ ସୌଭାଗ୍ୟ ପ୍ରାପ୍ତି ଲାଗି ରାତି ଉଜାଗର ରହି ଲକ୍ଷ୍ମୀଙ୍କ ଆରାଧନା କରନ୍ତି।

ଓଡିଆ ପରମ୍ପରାରେ ଶରଦ ପୂର୍ଣ୍ଣିମାକୁ କୁମାରୀ କନ୍ୟାମାନେ କୁମାରୋତ୍ସବ ଭାବେ ପାଳନ କରନ୍ତି। ସାଧାରଣରେ କୁମାର ପୂର୍ଣ୍ଣିମା ଭାବେ ପାଳିତ ହେଉଥିବା ଏହି ଦିନ କୁମାରୀ ଝିଅମାନେ ଚାନ୍ଦ ପୂଜା କରିଥାନ୍ତି। ଏହି ଦିନରୁ ଗଜଲକ୍ଷ୍ମୀ ଙ୍କ ଆବାହନ ସହ ରାଜ୍ୟରେ ଲୋକେ କାର୍ତ୍ତିକ ବ୍ରତ ମଧ୍ୟ ଆରମ୍ଭ କରନ୍ତି ।